ସୋନପୁର: ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିଲେ। ରାଷ୍ଟ୍ରର ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ମାନବିକ ଅଧିକାର ପାଇବାକୁ ହକଦାର ଏଣୁ  ଜିଲ୍ଲାର କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ ନିଜ ନିଜ ସ୍ତରରେ ବିବେକାନୁମୋଦିତ ଭାବେ ଜନସାଧାରଣଙ୍କୁ ସେମାନଙ୍କ ମାନବିକ ଅଧିକାର ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପୂଜାହାରୀ। ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସୋନପୁର ସ୍ଥିତ ଜିଲ୍ଲାର ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ତଥା ଚିକିତ୍ସାଳୟ ସମ୍ୱନ୍ଧୀୟ ଆଲୋଚନା କରିଥିଲେ। ଚିକିତ୍ସାଳୟର ଭିତ୍ତିଭୂମି ତଥା ପରିଚାଳନା ସହ ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସାସେବାରେ ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ। ବିଭାଗ ପକ୍ଷରୁ ଆଲୋଚନା ସମୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ତଥା ବିଭିନ୍ନ ପାରାମେଡିକାଲ ପଦବି ଖାଲି ରହିଥିବା ନେଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Advertisment

ଚିକିତ୍ସାଳୟ ପରିଦର୍ଶନ ସମୟରେ ଅଧ୍ୟକ୍ଷ ଜଷ୍ଟିସ ପୂଜାହାରୀ ଚିକିତ୍ସାଧୀନ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଚିକିତ୍ସା ସେବା ଉପରେ ପଚାରି ବୁଝିଥିଲେ। ପରେ ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ନାଗରିକ ସମାଜ ବୈଠକରେ ଉପସ୍ଥିତ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ଭାବ ବିନିମୟ କରିଥିଲେ। ବୈଠକ ଆରମ୍ଭରେ ରେଜିଷ୍ଟ୍ରାର ରାଜୀବ ଲୋଚନ ସାହୁ ବୈଠକର ଆଭିମୁଖ୍ୟ ତଥା ମାନବାଧିକାର ଆୟୋଗ ଅଧ୍ୟକ୍ଷଙ୍କ ଗସ୍ତର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ପ୍ରତିନିଧିଙ୍କୁ ଜିଲ୍ଲାରେ ମାନବଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଅଧ୍ୟକ୍ଷଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଜଷ୍ଟିସ ପୂଜାହାରୀ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସମସ୍ତ ଅଧିକାରୀ ସ୍ୱତଃ ଭାବେ ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ମାନବିକ ସେବା ହେଉ ଅବା ଅଧିକାରକୁ ଆନ୍ତରିକତା ତଥା ବିବେକାନୁମୋଦିତ ସହ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ନିଜ ନିଜ ସ୍ତରରେ ପ୍ରତ୍ୟେକ ଅଧିକାରୀ ମାନବୀୟ ଅଧିକାର ପ୍ରଦାନ ସହ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ଜନସାଧାରଣ ପାଇଁ ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ସେ ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ, ପରିବେଶ, ଶିକ୍ଷା, ଜଳ ଓ ପରିମଳ ସହ ଭିନ୍ନକ୍ଷମ ବର୍ଗଙ୍କ ଯୋଜନା ସମ୍ୱନ୍ଧରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଜଷ୍ଟିସ ପୂଜାହାରୀ ବିଶେଷ ଭାବେ ଜିଲ୍ଲାରେ କନ୍ୟା ଜନ୍ମହାର କ୍ରମଶଃ ହ୍ରାସ ପାଉଥିବାରୁ ଏଥି ନିମନ୍ତେ ବ୍ୟାପକ ସଚେତନତା ସହ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ। ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରିବା ସହ ବିଶେଷ ଭାବେ ସମସ୍ତଙ୍କ ପାଇଁ ଆବଶ୍ୟକ ଜଳ ଯୋଗାଣ ଓ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନୁଷ୍ଠିତ ନାଗରିକ ସମାଜ ବୈଠକରେ ବସ୍‌ ମାଳିକ ସଂଘ ସଭାପତିଙ୍କୁ କନ୍ୟା ଜନ୍ମ ହ୍ରାସ ଉପରେ ସଚେତନତା ଧର୍ମୀ ପୋଷ୍ଟର ବ୍ୟାନର ଇତ୍ୟାଦି ବସ୍‌ ଗୁଡ଼ିକରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି।

ଅଧ୍ୟକ୍ଷଙ୍କ ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ସିଡିଓ ତଥା ଜିଲ୍ଳା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ସୋନପୁର ଉପଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବୀରମହାରାଜପୁର ଉପଜିଲ୍ଲାପଳ ଅଶୋକ ଭୋଇ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭୂପ୍ରସାଦ ପଣ୍ଡା, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ୱ ରଞ୍ଜନ ପତି, ଏଡିପିଏଚଓ(ପରିବାର କଲ୍ୟାଣ) ଡ. ଦୈତ୍ୟ ନାରାୟଣ ପାଢ଼ୀ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଓକିଲ ସଂଘ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ, ଆର୍ତ୍ତତ୍ରାଣ ବାବୁ, ଶ୍ରୀବତ୍ସ ମଲ୍ଲିକ, ପୁରୁଷୋତ୍ତମ ପାଣିଗ୍ରାହୀ, ଅନଙ୍ଗ ନେଗୀ, ଶିବଶଙ୍କର ନାଏକ ଉପସ୍ଥିତ ଥିଲେ।