ଅନୁଗୁଳର ପ୍ରମୁଖ ସମସ୍ୟା କ’ଣ ଓ ଏହାର କିଭଳି ସମାଧାନ ହୋଇପାରିବ ?
ଅନୁଗୁଳରେ ଏବେ ଦୁଇଟି ସମସ୍ୟା ରହିଛି। ପ୍ରମୁଖ ହେଉଛି ପ୍ରଦୂଷଣ। ଜିଲ୍ଲାରେ ଏବେ ୧୦୦ ନିୟୁତ ଟନ୍ କୋଇଲା ଉତ୍ପାଦନ ହେଉଛି। ଯଦି ନୂଆ ଖଣି ଖୋଲିବା ପ୍ଲାନ୍ କାର୍ଯ୍ୟକାରୀ ହୁଏ ତାହାଲେ କୋଇଲା ଉତ୍ପାଦନ ୨୦୦/୩୦୦ ନିୟୁତ ଟନ୍କୁ ବୃଦ୍ଧି ପାଇବ। ତେଣୁ ଅନୁଗୁଳ ପାଇଁ ପ୍ରଦୂଷଣ ହ୍ରାସ ଏକ ପ୍ରମୁଖ ପ୍ରସଙ୍ଗ। ସେହିପରି ଜିଲ୍ଲାରେ କିଛି ଖଣି ବନ୍ଦ ହୋଇଯାଇଛି। ତେଣୁ ଏସବୁ ଜମିକୁ ଫେରାଇ ଆଣିଲେ ଲୋକ ଓ ଚାଷୀମାନେ ଉପକୃତ ହୋଇପାରିବେ। ନୂଆ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ଖଣି ପୁନରୁଦ୍ଧାର ଏବେ ପ୍ରମୁଖ ଆହ୍ବାନ ପାଲଟିଛି। ଏହାସହ ଅନୁଗୁଳରେ ଜଳବାୟୁ ପରିବର୍ତନର ଯଥେଷ୍ଟ ପ୍ରଭାବ ରହିଛି। ଗତବର୍ଷ ଜିଲ୍ଲାରେ ମରୁଡ଼ି ହୋଇଥିଲା ଓ ଚଳିତବର୍ଷ ବନ୍ୟା ଆସିଛି। ତେଣୁ ଜଳବାୟୁ ପରିବର୍ତନକୁ ନଜରରେ ରଖି ଲୋକଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। କେବଳ ଅନୁଗୁଳ ନୁହେଁ, ସାରା ଓଡ଼ିଶା ପାଇଁ ଏହା ଜରୁରୀ।
ଖଣି ପାଇଁ ଅନୁଗୁଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ତେଣୁ ଆପଣଙ୍କ ଗବେଷଣାଭିତ୍ତିକ ରିପୋର୍ଟରେ ଏହାର କ’ଣ ସମାଧାନ ରହିଛି ?
କୋଇଲା, ଗ୍ୟାସ ଓ ତେଲ ପାଇଁ ଜଳବାୟୁ ପରିବର୍ତନ ହେଉଛି। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ସାରା ବିଶ୍ବର ସମସ୍ୟା। ଜଳବାୟୁ ପରିବର୍ତନର ସମାଧାନ କରିବାକୁ ହେଲେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ। ଜିଲ୍ଲା ଏକ କୋଇଲା ଭିତ୍ତିକ ଅର୍ଥନୀତି ହୋଇଥିବା ବେଳେ ଏହାକୁ ସବୁଜ ଭିତ୍ତିକ ଅର୍ଥନୀତିକୁ ବଦଳାଇବାକୁ ହେବ। ଅର୍ଥନୀତିରେ ବିବିଧତା ଆଣିବା ସହିତ ଲୋକମାନଙ୍କ ଦକ୍ଷତା ବିକାଶ ପାଇଁ ତାଲିମ୍ ଦେବାକୁ ହେବ। ଏବେଠାରୁ ଯୋଜନା ହେଲେ ଆସନ୍ତା ୨୦ବର୍ଷରେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ନଚେତ୍ ଆଗକୁ ଯାଇ ଏହା ଅନେକ ସମସ୍ୟା ସୃଷ୍ଟ କରିପାରେ।
ସବୁଜ ଅର୍ଥନୀତି କ’ଣ ସମ୍ଭବ ?
ଯଦି ଏହା ସମ୍ଭବ ହୋଇପାରିବ ନାହିଁ, ତାହାଲେ ବହୁ ସମସ୍ୟା ଭୋଗିବାକୁ ପଡ଼ିବ। ସବୁଜ ଅର୍ଥନୀତିକୁ ନେଇ ସମସ୍ତ ଅଂଶୀଦାରମାନଙ୍କ ଭିତରେ ଏକ ସହମତି ରହିଛି। ଅକ୍ଷୟ ଶକ୍ତି ଉପରେ ମଧ୍ୟ କାମ କରିବା ଲାଗି ସମସ୍ତେ ଇଚ୍ଛୁକ। ଏହାକୁ କିଭଳି ଢଙ୍ଗରେ କାର୍ଯ୍ୟକାରୀ କରାଯିବ ଆମର ଗବେଷଣାଭିତ୍ତିକ ରିପୋର୍ଟରେ ଏହାର ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଅନ୍ୟମାନଙ୍କୁ ଏହି ରିପୋର୍ଟ ଦିଆଯିବ। ଏହାକୁ ଓଡ଼ିଆରେ ମଧ୍ୟ ଅନୁବାଦ କରାଯାଇଛି। ଯାହାଫଳରେ ଓଡ଼ିଆ ଲୋକମାନେ ଏହାକୁ ବୁଝିପାରିବେ।
ଏହି ରୋଡମ୍ୟାପ୍ କ’ଣ ଓ ଏହା କିଭଳି ସମ୍ଭବ ହୋଇପାରିବ ?
ଆଜିର ସମୟରେ ଅନୁଗୁଳରେ ଶସ୍ତାରେ କୋଇଲା ଉପଲବ୍ଧ ହେବା କାରଣରୁ ଏହାର ବ୍ୟବହାର ବଢ଼ିବାରେ ଲାଗିଛି। ଆସନ୍ତା ୧୦ବର୍ଷରେ ଏହା ରହିବ ନାହିଁ। ଦେଶରେ ସୌର ଓ ପବନ ଶକ୍ତିର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଉଛି। ଧୀରେ ଧୀରେ ସୌର ଶକ୍ତି ବି ବହୁତ ଶସ୍ତା ହେବାରେ ଲାଗିଛି। ଆଜିର ସମୟରେ କୋଇଲାକୁ ଟକ୍କର ଦେବା ଭଳି ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ହେଉଛି। ଓଡ଼ିଶା ଏବେ କୋଇଲା ଉପରେ ନିର୍ଭରଶୀଳ। ଓଡ଼ିଶାକୁ ଆସନ୍ତା ୧୦/୧୫ ବର୍ଷ ପାଇଁ ବିକଶିତ ହେବାକୁ ହେଲେ ଏବେଠାରୁ ଅକ୍ଷୟ ଶକ୍ତି ଉପରେ କାମ କରିବାକୁ ହେବ। ଅନୁଗୁଳ ଜିଲ୍ଲାରେ ଅକ୍ଷୟ ଶକ୍ତି ପାଇଁ ବେଶ୍ ସୁଯୋଗ ରହିଛି। ଏପରିକି ଦକ୍ଷିଣ ଓଡ଼ିଶାରେ ମଧ୍ୟ ସୌର ଶକ୍ତି ବିକଶିତ ହୋଇପାରିବ। ତେଣୁ ଏବେଠାରୁ ଅକ୍ଷୟ ଶକ୍ତି ଉପରେ ନିବେଶ କରିବାକୁ ହେବ। ଶସ୍ତା କୋଇଲାକୁ ହାଇଡ୍ରୋଜେନ୍ର ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରେ। ଗ୍ରିନ୍ ହାଇଡ୍ରୋଜେନ୍କୁ ଷ୍ଟିଲ, ସାର ଉତ୍ପାଦନରେ ବ୍ୟବହାର ହୋଇପାରିବ। ଆସନ୍ତା ୧୦ବର୍ଷ ପାଇଁ କୋଇଲାକୁ ସବୁଜ ଅର୍ଥନୀତିର ମେରୁଦଣ୍ଡ ଭାବେ ଏହାକୁ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଉ। ପରବର୍ତୀ ସମୟରେ ସଂପୂର୍ଣ୍ଣଭାବେ ସବୁଜ ଅର୍ଥନୀତିକୁ ସ୍ଥାନାନ୍ତର ସମ୍ଭବ ହେବ। କୋଇଲା ଜଳିବା କାରଣରୁ ପାଉଁଶ ଓ ପ୍ରଦୂଷଣ ବଢ଼ୁଛି। ଏ ଦୃଷ୍ଟିରୁ ପ୍ରଦୂଷଣ ସୃଷ୍ଟି କରୁଥିବା ପ୍ରଯୁକ୍ତିବିଦ୍ୟାର ସ୍ଥାୟିତ୍ବ ନାହିଁ।
ଆଜିର ସମୟରେ ଅନୁଗୁଳର ଲୋକମାନେ ବହୁ ସମସ୍ୟାରେ ଅଛନ୍ତି। ଏହା ବଳରେ କ’ଣ ସେମାନଙ୍କ ସମସ୍ୟା ଦୂର ହୋଇପାରିବ ?
ଅନୁଗୁଳରେ ରହୁଥିବା ଲୋକଙ୍କ ବହୁ ସମସ୍ୟା ରହିଛି। ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଉଛି। ତେଣୁ କୋଇଲାର ବିକଳ୍ପଭାବେ ଥିବା ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଗଲେ ଏସବୁ ସମସ୍ୟା ଦୂର ହୋଇପାରିବ। ବୈଠକରେ ପ୍ରଦୂଷଣ ବୋର୍ଡ, ଜଙ୍ଗଲ ବିଭାଗ, ସ୍ଥାନୀୟ ପ୍ରଶାସନ, ଏମ୍ସିଏଲ୍, ଏନ୍ଟିପିସି ଭଳି ଅଂଶୀଦାରମାନେ ଏହା ଉପରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଆପଣଙ୍କ ଏହି ରୋଡମ୍ୟାପ୍ କାର୍ଯ୍ୟକାରୀ ହେଲେ ୧୦ବର୍ଷ ପରେ କ’ଣ ଅନୁଗୁଳ ନକ୍ସା ବଦଳିଯିବ ?
ପରିବର୍ତନ ଜରୁରୀ। ନଚେତ୍ ସ୍ଥାନୀୟ ଲୋକ, ସ୍ବାସ୍ଥ୍ୟ ଓ ଅର୍ଥନୀତି ପାଇଁ ଏହା ବିପଦ ସୃଷ୍ଟି କରିବ। ରିପୋର୍ଟରେ ସ୍ବଳ୍ପ ମିଆଦି ଯୋଜନାରେ ପରିବହନ କ୍ଷେତ୍ରରେ ଧୂଳିକଣା ହ୍ରାସ ନେଇ କେଉଁ ପଦକ୍ଷେପ ନିଆଯାଇପାରିବ ତାହା ସଂପର୍କରେ କୁହାଯାଇଛି। ଯଦି ରୋଡମ୍ୟାପ ଅନୁଯାୟୀ କାର୍ଯ୍ୟ କରାଯାଏ ତାହାଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ।
ଅନୁଜ କୁମାର ଦାସ, କନକ୍ନ୍ୟୁଜ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/chandra-bhusan.jpg)