ଭୁବନେଶ୍ବର: ଶିକ୍ଷା, ଗବେଷଣା, ସାଂସ୍କୃତିକ ସହଯୋଗିତା ମାଧ୍ୟମରେ ଶୈକ୍ଷିକ ଓ ସାଂସ୍କୃତିକ ବିକାଶ ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ଅନୁଯାୟୀ ପରିବେଷଣ କଳା ସହ ଶୈକ୍ଷିକ ଓ ସାଂସ୍କୃତିକ ବିକାଶ ନିମନ୍ତେ ଉଭୟ ବିଶ୍ବବିଦ୍ୟାଳୟ କାର୍ଯ୍ୟ କରିବେ। ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ଫକୀରମୋହନ ବିଶ୍ବବିଦ୍ୟାଳୟକୁ ଯାଇ ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ କରିବେ। ଅନୁରୂପ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିବେଷଣ କଳା ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ସଂସ୍କୃତି ବିଶ୍ବବିଦ୍ୟାଳୟକୁ ଆସି ଉଚ୍ଚଶିକ୍ଷା ସମ୍ପର୍କରେ ଜାଣିପାରିବେ। ଚୁକ୍ତିନାମା ସ୍ବାକ୍ଷର ସମୟରେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମିନା ଦାସ, ନିର୍ଦ୍ଦେଶକ(ଗବେଷଣା) ପଙ୍କଜ କୁମାର ପାଢ଼ୀ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, କୁଳସଚିବ ଅନାମିକା ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ବୈଜ୍ଞାନିକ ଓ ଶୈକ୍ଷିକ ସହଭାଗିତା ବୃଦ୍ଧି ପାଇଁ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟ ମଧ୍ୟରେ ଆଉ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସମ୍ପ୍ରତି ଅଧିକାଂଶ ଶିକ୍ଷିତ ଯୁବବର୍ଗ ଅତ୍ୟଧିକ ଚାପଗ୍ରସ୍ତ ହେତୁ ବହୁ ପ୍ରକାର ଦୁର୍ଘଟଣାର ଶିକାର ହେଉଛନ୍ତି। ସେମାନଙ୍କୁ ମାନସିକସ୍ତରରେ ସୁସ୍ଥ ରଖବା ସହ ସେମାନଙ୍କ ମାନସିକତାରେ ସନ୍ତୁଳନ ଆଣିବାକୁ ସାହିତ୍ୟ, ପରିବେଷଣ କଳା, ସାଂସ୍କୃତିକ ଭାବଗତ ଅଧ୍ୟୟନର ଏକାନ୍ତ ଆବଶ୍ୟକତା ରହିଛି। ଫଳରେ ଯୁବବର୍ଗଙ୍କ ମାନସିକତାର ବିକାଶ ସହ ଆମ କଳା ସଂସ୍କୃତିର ବିକାଶ ହୋଇପାରିବ ବୋଲି କୁଳପତି ପ୍ରଫେସର ସ୍ବାଇଁ ମତପ୍ରକାଶ କରିଥିଲେ। ସେହିପରି ଉତ୍କଳ ଐତିହ୍ୟ, ପରମ୍ପରା ଓ ପ୍ରଚୀନ ତାଳପତ୍ର ପୋଥି ସମ୍ପର୍କିତ ଗବେଷଣା ପାଇଁ ସାଂସ୍କୃତିକ ଅନୁଷ୍ଠାନ ‘ଐତିହ୍ୟ’ ସହ ବିଶ୍ବବିଦ୍ୟାଳୟ ଆଉ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଆଜିର ୩ଟି ଚୁକ୍ତିନାମା ଦ୍ବାରା ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍କଳର ପ୍ରାଚୀନ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଶିକ୍ଷାକୁ ଗୁରୁତ୍ବ ଦିଆଯିବା ସହ ଶୈକ୍ଷିକ ବିକାଶ ପାଇଁ ମିଳିତ ପ୍ରୟାସ କରାଯିବ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ସୃଷ୍ଟି ଏକାମେଡିର ଅଧ୍ୟକ୍ଷ ଉମାକାନ୍ତ ଦାଶ, ‘ଐତିହ୍ୟ’ ପକ୍ଷରୁ ଅରୁଣ କୁମାର ନାୟକ, ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ଚକ୍ରଧର ବେହେରା, ସହଯୋଗୀ ପ୍ରଫେସର ଧୀରଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।