ଭିନ୍ନକ୍ଷମଙ୍କ ନିଯୁକ୍ତି ବୃଦ୍ଧି ନେଇ ଘରୋଇ ଉଦ୍ୟୋଗଙ୍କ ସହଯୋଗ ଉପରେ ଗୁରୁତ୍ବ

ଇନ୍ଦୋରରେ ଭିନ୍ନକ୍ଷମ ସଶକ୍ତିକରଣ ନେଇ ଜାତୀୟ କର୍ମଶାଳା

ଭୁବନେଶ୍ବର : ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗର ବୃଦ୍ଧି ପାଇଁ ଘରୋଇ ଉଦ୍ୟୋଗର ସହଯୋଗ ଜରୁରୀ। ଏହାସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକରେ ସ୍ବତନ୍ତ୍ର ଆଇଟିଆଇ ଖୋଲାଯିବା ସହିତ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଗୁରୁତ୍ବ ଦିଆଯିବା ଆବଶ୍ୟକ। ମଧ୍ୟପ୍ରଦେଶର ଇନ୍ଦୋରରେ ଭିନ୍ନକ୍ଷମ ସଶକ୍ତିକରଣ ନେଇ ଆୟୋଜିତ ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରି ଏହା କହିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଦୁଇଦିନିଆ ଜାତୀୟ କର୍ମଶାଳା ଇନ୍ଦୋରରେ ଅନୁଷ୍ଠିତ ହେଉଛି। ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତିକରଣ, ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଡାଟାବେସ୍ ପ୍ରସ୍ତୁତି ସାଙ୍ଗକୁ ଜିଲ୍ଲାସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଉପଲବ୍ଧିଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଶ୍ରୀ ପଣ୍ଡା କହିଥିଲେ ଯେ ବାର୍ଷିକ ୨୩କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଚାଲୁ ରହିଛି। ୬ଟି ଜିଲ୍ଲାରେ ସମନ୍ବିତ ଭିତ୍ତିଭୂମି ବିକାଶ ପୁଞ୍ଜ କାର୍ଯ୍ୟ କରୁଥିବା ବେଳେ ୪ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରତି କେନ୍ଦ୍ର ପାଇଁ ୪୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଶିକ୍ଷା କ୍ଷେତ୍ରରେ ‘ବାଣୀଶ୍ରୀ’ ବୃତ୍ତି ୨୨ହଜାରରୁ ଅଧିକ ବିଦ୍ୟାର୍ଥୀଙ୍କୁ ଦିଆଯାଉଛି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ୍ ଯୋଗାଇ ଦିଆଯାଉଛି।

ବ୍ରହ୍ମପୁରସ୍ଥିତ ଅତ୍ୟାଧୁନିକ ବ୍ରେଲି ପ୍ରେସରେ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ପାଇଁ ୨୦୨୧/୨୨ବର୍ଷରେ ପ୍ରାୟ ୩୭ହଜାର ବ୍ରେଲି ପାଠ୍ୟପୁସ୍ତକ, +୨ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି ପୃଷ୍ଠା ଓ ଓଡ଼ିଆ କ୍ୟାଲେଣ୍ଡର ପ୍ରସ୍ତୁତି ହୋଇପାରିଛି। ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ସହାୟତା ମଧ୍ୟ ଦିଆଯାଉଛି। ଭୁବନେଶ୍ବର ସମେତ ରାଜ୍ୟର ୫ଟି ସହରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ମଧୁବାବୁ ପେନସନ ଯୋଜନାରେ ୯୦ହଜାରରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ଶ୍ରୀ ପଣ୍ଡା କହିଥିଲେ। ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

ଏହି ଜାତୀୟ କର୍ମଶାଳାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତିଭା ଭୌମିକଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରଣାଳୟର ପଦାଧିକାରୀ, ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସାମାଜିକ ସୁରକ୍ଷା ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର