ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ବେଗୁନିଆ ରାଉତପଡ଼ା ପରିବର୍ଦ୍ଧିତ ଶାଖା କର୍ମଚାରୀ ଗରିବ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ଖାଇଯାଇଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ପରେ ତଦନ୍ତରେ ଟାଳୁଟୁଳ ନୀତି ଅବଲମ୍ବନ କରଯିବାରୁ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ହିତାଧିକାରୀ ପହଞ୍ଚି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଘଟଣାର ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ ପ୍ରାୟ ୮୦ ହିତାଧିକାରୀଙ୍କ କଳ୍ପତରୁ ଜମା, ରିକରିଂ ଡିପୋଜିଟ୍, ସ୍ଥାୟୀ ଜମା ଓ ସଂଚୟ ଜମା ଟଙ୍କା ଆତ୍ମସାତ ହୋଇଥିବା ନେଇ ଖୋଦ୍ ଜମାକାରୀମାନେ ଶାଖା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଧ୍ୟ ଶାଖା କର୍ତ୍ତୃପକ୍ଷ ପ୍ରାୟ ୧ ସପ୍ତାହ ଧରି କୌଣସି ପଦକ୍ଷେପ ନେଇନଥିଲେ। ଏହାପରେ ଶେଷ ସପ୍ତାହରେ ଖୋର୍ଦ୍ଧା ମୁଖ୍ୟ ଶାଖା ଏହାର ଆଭ୍ୟନ୍ତରୀଣ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ।
ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତ ପାଇଁ ସୁପାରିଶ
୩ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ନିର୍ଦ୍ଦେଶ
୧ ମାସ ବିତିଯାଇଥିଲେ ମଧ୍ୟ ଜମାକାରୀ ସେମାନଙ୍କ ଅର୍ଥ ଫେରିପାଇବା ନେଇ କୌଣସି ସ୍ପଷ୍ଟ ସୂଚନା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ପାଇନଥିଲେ। ଶେଷରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହି ସମୟରେ ସମବାୟ ବ୍ୟାଙ୍କର ସିଇଓ ବ୍ୟାଙ୍କ ଶାଖାରେ ୧ କୋଟି ୨୦ଲକ୍ଷ ଟଙ୍କାର ଜାଲିଆତି ହୋଇଥିବା ଓ ଏଥିପାଇଁ ଜଣେ ଅସ୍ଥାୟୀ ଡିଟିପି ଅପରେଟରକୁ କାର୍ଯ୍ୟରୁ ବହିଷ୍କାର କରାଯିବା ସହ ୨ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା କହିଥିଲେ । ଏହାସହ ଏହି ଜାଲିଆତିରେ ଶାଖାର ପୂର୍ବତନ ହିସାବ ରକ୍ଷକ ବୁଦ୍ଧିରାମ ଦାସ ମୁଖ୍ୟ କାର୍ପେଟଦାର ଥିବା ନେଇ ସ୍ୱୀକାର କରିଥିବା କଥା ମଧ୍ୟ କହିଥିଲେ ।
ଏନେଇ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ଆତ୍ମସାତ ଘଟଣାର ରିପୋର୍ଟ ସେ ପାଇଛନ୍ତି । ମୋଟ ୧ କୋଟି ୫୦ଲକ୍ଷ ୫ହଜାର ୧୩୬ଟଙ୍କା ଜାଲିଆତି ହୋଇଛି । ଏହି ଘଟଣାରେ ପୂର୍ବତନ ହିସାବରକ୍ଷକ ବୁଦ୍ଧିରାମ ଦାସ ଓ ଶକୁନ୍ତଳା ଓଝା ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରସନ୍ନ କୁମାର ତୋଷଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏତେ ପରିମାଣ ଟଙ୍କାର ଜାଲିଆତି ହୋଇଥିବାରୁ ଏହାର ତଦନ୍ତ ପାଇଁ ସେ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ତଦନ୍ତ କରାଇବାକୁ ସୁପାରିଶ କରିଛନ୍ତି ।
ପ୍ରାଥମିକ ରିପୋର୍ଟ ଆସିଛି, କିନ୍ତୁ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ପରବର୍ତ୍ତୀ ତଦନ୍ତରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ଫେରାଇବାର କୌଣସି ବ୍ୟବସ୍ଥା ହେବ କି ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ପ୍ରଥମେ ତଦନ୍ତ ଆରମ୍ଭ ହେଉ ତା’ପରେ ଯେଉଁମାନେ ଏହି ଜାଲିଆତିରେ ସମ୍ପୃକ୍ତ ସେମାନଙ୍କଠାରୁ ଏହି ଅର୍ଥ ଆଦାୟ କରାଯିବା ସହ କର୍ମଚାରୀଙ୍କ ଦରମାରୁ ମଧ୍ୟ ଏହା ଆଦାୟ କରାଯିବ ।