ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ତାଙ୍କ ପ୍ରକୋଷ୍ଠରେ ବିମାନବନ୍ଦର କର୍ମଚାରୀ ସଂଘ ସଭାପତି ସନ୍ଦୀପ ମିଞ୍ଜଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ତଥା ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଶ୍ରୀ ମିଞ୍ଜ ବିମାନବନ୍ଦର ଥାନାରେ ନିର୍ଦ୍ଦେଶକ ଶ୍ରୀ ତିୱାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ନିର୍ଦ୍ଦେଶକ ଶ୍ରୀ ତିୱାରୀ କହିଛନ୍ତି କୌଣସି କଥାକୁ ନେଇ ବଚସା ହେବା କଥା ସତ। କିନ୍ତୁ ମାଡ଼ ମାରିବା ଓ ଜାତିଆଣ ଆକ୍ଷେପ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି।
ଅଭିଯୋଗ ଅନୁସାରେ, ପ୍ରତିମାସରେ କର୍ମଚାରୀ ସଂଘର ବୈଠକ ହେଉଥିବା ବେଳେ ସଭାପତି ଉକ୍ତ ବୈଠକର ନିର୍ଯ୍ୟାସ ଓ ଦାବିଗୁଡ଼ିକ ସମ୍ପର୍କରେ ବିମାନବନ୍ଦର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥାନ୍ତି। ଚଳିତ ମାସରେ ହୋଇଥିବା ବୈଠକର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ପାଇଁ ସଭାପତି ଶ୍ରୀ ମିଞ୍ଜ ଆଜି ଏକ ଦାବିପତ୍ର ନେଇ ନିର୍ଦ୍ଦେଶକ ଶ୍ରୀ ତିୱ‌ାରୀଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିମାନବନ୍ଦର ମଧ୍ୟରେ ଦେଢ଼ ବର୍ଷ ତଳୁ ଗଚ୍ଛିତ ରହିଥିବା ବାଲି, ଗୋଡ଼ି ଆଦିକୁ ବାହାରକୁ ଚାଲାଣ କରି ଦିଆଯାଉଥିବା ପ୍ରସଙ୍ଗକୁ ମଧ୍ୟ ଆଲୋଚନା ବିଷୟବସ୍ତୁ ମଧ୍ୟରେ ରଖାଯାଇଥିଲା। କିନ୍ତୁ ନିର୍ଦ୍ଦେଶକ ଶ୍ରୀ ତିୱାରୀ ଉକ୍ତ ପ୍ରସଙ୍ଗକୁ ନ ହଟାଇବା ଯାଏଁ ଆଲୋଚନା ହୋଇ ପାରିବନି ବୋଲି କହିଥିଲେ। ମାତ୍ର ସଭାପତି ଶ୍ରୀ ମିଞ୍ଜ ଉକ୍ତ ପ୍ରସଙ୍ଗ ହଟାଇବାକୁ ରାଜି ନ ହେବାରୁ ନିର୍ଦ୍ଦେଶକ ଶ୍ରୀ ତିୱାରୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମୁଥ ମାରିଥିଲେ। ଶ୍ରୀ ମିଞ୍ଜ ତଳେ ପଡ଼ିଯିବା ପରେ ଶ୍ରୀ ତିୱାରୀ ତାଙ୍କ ଛାତିକୁ ଗୋଇଠା ବି ମାରିଥିଲେ। ମୁଥ ମାରିବା ଯୋଗୁ ଶ୍ରୀ ମିଞ୍ଜଙ୍କ ଦାନ୍ତ ଭାଙ୍ଗିଥିବା ବେଳେ ମୁହଁରୁ ରକ୍ତସ୍ରାବ ହୋଇଛି। ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇବା ପରେ ବିମାନବନ୍ଦର ଥାନା‌ରେ ପହଞ୍ଚିଥିଲେ।