ବଲାଙ୍ଗୀର: ରାଜ୍ୟରେ ଓପିଟିସିଏଲ୍ କର୍ମଚାରୀ ଓ ଅଧିକାରୀଙ୍କ ମରୁଡ଼ି ଦେଖାଦେଇଛି। ବିଶେଷ କରି, ପଶ୍ଚିମ ଓଡ଼ିଶାରୁ ବରିଷ୍ଠ ପଦାଧିକାରୀମାନେ ମୁହଁ ମୋଡ଼ୁଛନ୍ତି। ରାଜ୍ୟର ୪ଟି ଜୋନ୍ରେ ଡିଜିଏମ୍ (ଏଚ୍ଆର୍ଡି) ରହିବା ନିୟମ ରହିଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ନିଯୁକ୍ତି ପାଇଥିବା ଏହି ପଦାଧିକାରୀ ୬/୭ ମାସ ପରେ ଭୁବନେଶ୍ବରକୁ ବଦଳି ହୋଇସାରିଛନ୍ତି। ପଶ୍ଚିମ ଓଡ଼ିଶାରେ କେବଳ ଜଣେ ଡେପୁଟି ମ୍ୟାନେଜରଙ୍କ ଉପରେ ସବୁ ଜୋନ୍ ନିର୍ଭର କରୁଛି। ପଶ୍ଚିମ ଓଡ଼ିଶା ଗ୍ରିଡ୍ଗୁଡ଼ିକରେ ମାତ୍ର ଜଣେ ଲେଖାଏଁ ଯନ୍ତ୍ରୀ ନିୟୋଜିତ ରହିଛନ୍ତି। ଅପରପକ୍ଷରେ ପୂର୍ବ ଓଡ଼ିଶାରେ ମାଳମାଳ ଯନ୍ତ୍ରୀ ଅଛନ୍ତି। ଗୋଟିଏ ତୁଳନାତ୍ମକ ଚିତ୍ରରୁ ଓପିଟିସିଏଲ୍ର ସ୍ଥିତି ସ୍ପଷ୍ଟ ଜଣାପଡ଼ୁଛି। ୨୨୦ କେଭି ଗ୍ରିଡ୍ ପଶ୍ଚିମ ଓଡ଼ିଶାରେ ଜଣେ ଯନ୍ତ୍ରୀ ରହୁଥିବା ବେଳେ ପୂର୍ବ ଓଡ଼ିଶାର ୧୩୨କେଭି ଗ୍ରିଡ୍ରେ ୪/୫ ଜଣ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି।
କେସିଙ୍ଗା ଓ ବରଗଡ଼ ଭଳି ପ୍ରମୁଖ ୨୨୦ କେଭି ଗ୍ରିଡ୍ରେ ୧୦ ଜଣ ଲେଖାଏଁ ଯନ୍ତ୍ରୀ ରହିବା କଥା। କିନ୍ତୁ ସେଠାରେ ଯଥାକ୍ରମେ ଦୁଇ ଓ ଜଣେ ଯନ୍ତ୍ରୀ ଅଛନ୍ତି। କିନ୍ତୁ ପୂର୍ବ ଓଡ଼ିଶାରେ ଥିବା ୧୩୨ କେଭି ବିଶିଷ୍ଟ କୋଣାର୍କ, ରଣସିଂହପୁର ଓ ମଞ୍ଚେଶ୍ବର ଗ୍ରିଡ୍ରେ ବହୁ ସଂଖ୍ୟାରେ କର୍ମଚାରୀ ଓ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ବଲାଙ୍ଗୀର ସର୍କଲ ଅଫିସ୍ରେ ମାତ୍ର ୬ ଜଣ କର୍ମଚାରୀ ଥିବା ବେଳେ କଟକ ସର୍କଲ୍ରେ ୧୦ରୁ ଅଧିକ କର୍ମଚାରୀ ଅଛନ୍ତି। ୪୦୦ କେଭି କ୍ଷମତାର ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳି ଗ୍ରିଡ୍ରେ ଇଏଣ୍ଡଏମ୍ଆର୍ ସବ୍ଡିଭିଜନ୍ ଖୋଲାଯାଇଛି। କିନ୍ତୁ ସମପରିମାଣର ଓ ସମାନ ଭୋଲ୍ଟେଜ୍ କ୍ଷମତାର ସମ୍ବଲପୁରସ୍ଥିତ ଲପଙ୍ଗାରେ ସବ୍ଡିଭିଜନ୍ ଖୋଲା ଯାଇନାହିଁ। ପଶ୍ଚିମ ଓଡ଼ିଶାରେ ପାଖାପାଖି ୭୦ଟି ଅତି ଉଚ୍ଚମାନର ଗ୍ରିଡ୍ ଥିବା ବେଳେ ସେଠାରେ ପାଖାପାଖି ୧୧ଶହ କର୍ମଚାରୀ ରହିବା କଥା। କିନ୍ତୁ ୩୫୦ ଜଣ କର୍ମଚାରୀରେ କାମ ଚଳିଯାଉଛି।
ବୁର୍ଲା ଜୋନ୍ ଅଫିସ୍ ସମଗ୍ର ପଶ୍ଚିମ ଓଡ଼ିଶାକୁ ନିୟନ୍ତ୍ରଣ କରୁଥିବା ବେଳେ ସେଠାରେ ଗୋଟିଏ ଗେଷ୍ଟହାଉସ୍ରେ ଦପ୍ତର କାମ ଚାଲିଛି। କିନ୍ତୁ ପୂର୍ବ ଓଡ଼ିଶାରେ ବିଭିନ୍ନ ସର୍କଲ୍ରେ ବହୁତଳ କୋଠା ନିର୍ମାଣ କରାଯାଇଛି। ୪ଶହ କେଭି କ୍ଷମତାର ଲପଙ୍ଗା ଓ ୨୨୦ କେଭି ବୁଢ଼ୀପଦର ଭଳି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରିଡ୍ ସାରା ରାଜ୍ୟର ବିଜୁଳି ଚାହିଦା ମେଣ୍ଟାଇବା ସହ ଢେର ରାଜସ୍ବ ଦେଉଛନ୍ତି। କିନ୍ତୁ ଏଗୁଡ଼ିକ ମଧ୍ୟ ଅବହେଳିତ ହୋଇ ପଡ଼ିରହିଛି। ଓପିଟିସିଏଲ୍ ବର୍ତ୍ତମାନ ୮ଶହ କୋଟି ଟଙ୍କାର ବ୍ୟୟବରାଦରେ ପାୱାର ଗ୍ରିଡ୍ ସହ ମିଶି ରାଜ୍ୟରେ ସ୍ବୟଂଚାଳିତ ବ୍ୟବସ୍ଥା ଆଣିବାକୁ ଯାଉଛି। ଏଥିପାଇଁ କର୍ମଚାରୀ ଛଟେଇ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଓପିଟିସିଏଲ୍ର ସେବା ବ୍ୟବସ୍ଥା ଭୁଶୁଡ଼ିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।