ଯାଜପୁର/ଦାନଗଦୀ : ଏମ୍ଏମ୍ଟିସି କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁ ଇସ୍ପାତ ରାଜଧାନୀ କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାରେ ୧୪ମାସ ହେଲା ତାଲା ପଡ଼ିଛି। ଦରମା ଦିଆଯାଉ ନଥିବାରୁ କରୋନା ସମୟରେ ହଜାର ହଜାର କର୍ମଚାରୀଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। ଏହା ମଧ୍ୟରେ ୧୦ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ହେଲେ ସେମାନଙ୍କ ପରିବାର ପ୍ରାପ୍ୟ ପାଇପାରୁନାହାନ୍ତି। ଗତକାଲି ଜଣେ ସୁରକ୍ଷା କର୍ମଚାରୀ ଧୀରଜ ଭଣ୍ଡାରୀ (୨୮) ଆର୍ଥିକ ଅନଟନରୁ ମାନସିକ ଭାରସାମ୍ୟ ହରାଇ କାରଖାନା ପରିସରରେ ଆତ୍ମହତ୍ୟା କରିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କ କର୍ମଚାରୀ ମାରଣ ନୀତିକୁ ପଦାରେ ପକାଇଦେଇଛି।
ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ବନ୍ଦ କାରଖାନାର ଗଚ୍ଛିତ ସାମଗ୍ରୀ ବିକ୍ରି କରି କର୍ମଚାରୀଙ୍କ ବକେୟା ଦରମା ପ୍ରଥମେ ଦେବାକୁ ଚୂଡାନ୍ତ ହୋଇଥିଲା। ଏମ୍ଏମ୍ଟିସି ଓ ନୀଳଚଳ କର୍ତ୍ତୃପକ୍ଷ ସାମଗ୍ରୀ ବିକ୍ରି କରି ଏହା ମଧ୍ୟରେ ୬୩କୋଟି ଟଙ୍କା ହାତେଇଥିବା ବେଳେ କର୍ମଚାରୀଙ୍କ ଦରମା ବାବଦକୁ ମାତ୍ର ୨୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏପରିକି କର୍ମଚାରୀଙ୍କ ଇପିଏଫ ଓ ଅନ୍ୟାନ୍ୟ ପ୍ରାପ୍ୟ ଜମା କରିନଥିବାରୁ କର୍ମଚାରୀଙ୍କ ପରିବାର ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ ଗତ ୨୪ତାରିଖରୁ ନୀଳାଚଳ କାରଖାନାର ସାମଗ୍ରୀ ପରିବହନକୁ ବନ୍ଦ କରିଦେଇଛନ୍ତି। ଏଠାରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/nilachal.jpg)