‌ମହାନଦୀ ସେତୁରୁ ଡେଇଁ କର୍ମଚାରୀଙ୍କ ଆତ୍ମହତ୍ୟା

ସମ୍ବଲପୁର : ବୁଧବାର ସକାଳେ ଜିଇଡି ବିଭାଗର ଭାରପ୍ରାପ୍ତ ମୁଖ୍ୟ କିରାଣି ହରେକୃଷ୍ଣ ନାୟକ ସମ୍ବଲପୁର ନୂଆ ମହାନଦୀ ସେତୁ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କିଛି ମାସ ତଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ସୁସ୍ଥ ହେବା ପରେ କିଛିଦିନ ହେଲା ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। ହେଲେ କୌଣସି କାରଣରୁ ସେ ମାନସିକ ଚାପରେ ଥିଲେ।

ବୁଧବାର ସକାଳୁ ହରେକୃଷ୍ଣ ସ୍କୁଟି ନେଇ ଘରୁ ବାହାରି ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବାହ୍ନ ପ୍ରାୟ ୯ଟା ୪୫ରେ ସେତୁ ଉପରୁ ସେ ମହାନଦୀକୁ ଡେଇଁ ପଡ଼ିଥିଲେ। ହେଲେ ପାଣିରେ ନପଡ଼ି ସେ ଏକ ବଡ଼ ପଥର ଉପରେ ପଡ଼ିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ୧୦ଟା ୪୫ରେ ସେଠାରେ ପହଂଚି ଉଦ୍ଧାର କରିଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା। ଆଠମଲ୍ଲିକ ଅଂଚଳର ମୂଳନିବାସୀ ହରେକୃଷ୍ଣ ସମ୍ବଲପୁର ପିଡବ୍ଲ୍ୟୁଡି କଲୋନିରେ ରହୁଥିଲେ। ସେ ତାଙ୍କ ପଛରେ ପତ୍ନୀ ଏବଂ ଏକମାତ୍ର ପୁତ୍ରକୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ବିଭାଗୀୟ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର