ପୂର୍ଣ୍ଣଗର୍ଭା ନଦୀ ଅତିକ୍ରମ କରି ବିଦ୍ୟୁତ୍‌ ସମସ୍ୟା ସଜାଡ଼ିଲେ କର୍ମଚାରୀ

ପଦ୍ମପୁର : ପଦ୍ମପୁର ଉପଖଣ୍ତ ଲଖମରା ଚର୍ଦାପାଲି ପଞ୍ଚାୟତ ମଝିରେ ଯାଇଥିବା ଅଙ୍ଗ ନଦୀ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟିଛି। ବର୍ଷା ଋତୁରେ ନଦୀରେ ପାଣି ଆସିବା ଫଳରେ ଚର୍ଦାପାଲି ପଞ୍ଚାୟତର ଚର୍ଦାପାଲି, ଚଙ୍ଗରିଆ, ଗୁଣ୍ତିଚାଡିହି, ଲହଣ୍ତିପୁର, ଲୁହୁରାକୋଟ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ। ଫଳରେ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଗତ କିଛି ଦିନ ହେଲା ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ ଅଙ୍ଗ ନଦୀ ଏବେ ପୂର୍ଣ୍ଣଗର୍ଭା। ସ୍ରୋତ ଏତେ ପ୍ରଖର ଯେ ନାବିକ ଡଙ୍ଗା ଚଳାଇବାକୁ ବି ସାହସ କରୁନାହାନ୍ତି। ଏଭଳି ସମୟରେ ଉପରୋକ୍ତ ପଞ୍ଚାୟତରେ ଦେଖାଦେଇଥିଲା ବିଦ୍ୟୁତ୍‌ ସମସ୍ୟା। ଏ ସଂପର୍କରେ ସୂଚନା ପାଇବା ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପ୍ରଶାନ୍ତ, ଦୁର୍ଯ୍ୟୋଧନ, ତେଜସ୍ବୀ, ଗନ୍ଧର୍ବ, ବ୍ରଜକିଶୋର ପ୍ରମୁଖ ପୂର୍ଣ୍ଣଗର୍ଭା ନଦୀରେ ଡଙ୍ଗା ସାହାଯ୍ୟରେ ବୁଧବାର ଜୀବନକୁ ବାଜି ଲଗାଇ ଅତିକ୍ରମ କରି ଚର୍ଦାପାଲି, ଢିପାପରା, ଚଂଗରିଆ, ଦେବଦର୍ହା, ମାଳିଡିହିକୁ ବିଜୁଳି ସଂଯୋଗ କରିଥିବା ଜଣାପଡ଼ିଛି। କର୍ମଚାରୀଂକ ସାହସ ଓ ସେବା ମନୋବୃତ୍ତିକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର