ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ଛଟେଇ

ବୁର୍ଲା : କୋଭିଡ ହସ୍ପିଟାଲର ଠିକା କର୍ମଚାରୀମାନେ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୁକ୍ରବାର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଶନିବାର ମଧ୍ୟ ଆନ୍ଦୋଳନରେ ବସିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଅକ୍ଟୋବର ୧ ତାରିଖ ୨୦୨୦ରୁ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଏଲ୍‌ଆଣ୍ଡ୍‌କେ ମାଧ୍ୟମରେ ୧୨୦ଜଣ ବୁର୍ଲା ଭିମ୍‌ସାର କୋଭିଡ୍‌ ହସ୍ପିଟାଲ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ l ସେମାନେ ଚାକିରିରେ ଯୋଗ ଦେବା ସମୟରେ ତାଙ୍କୁ ତିନି ମାସ ପାଇଁ ଚୁକ୍ତି ସ୍ଵାକ୍ଷର କରାଯାଇଥିଲା। ସେହି ହିସାବରେ ଜାନୁଆରି ଏକ ତାରିଖ ୨୦୨୧ରେ ସେମାନଙ୍କର ଚୁକ୍ତି ଶେଷ ହୋଇ ଯାଉଥିଲା। କିନ୍ତୁ କରୋନାର ଦ୍ଵିତୀୟ ଲହରୀ ଆସିବା ସମୟରେ ସେମାନଙ୍କୁ ଆଉ କୌଣସି ଚୁକ୍ତି ସ୍ଵାକ୍ଷର ନକରି କାମ କରିବା ପାଇଁ କୁହାଯାଇଥିଲା। କିନ୍ତୁ ହଠାତ ଜୁଲାଇ ଏକ ତାରିଖ ୨୦୨୧ କୋଭିଡ ଡାକ୍ତରଖାନାର ସଂଯୋଜକ ୧୨୦ଜଣଙ୍କ ମଧ୍ୟରୁ ୩୩ଜଣଙ୍କୁ ଚାକିରି ଜୁଲାଇ ଏକ ତାରିଖରୁ ଛଟେଇ କରାଯାଇଥିବା ସୂଚନା ଦେଇଥିଲେ। ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ସେମାନେ ବାରମ୍ବାର ଜିଲ୍ଲାପାଳ ଓ ବୁର୍ଲା ମେଡିକାଲ ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ l କିନ୍ତୁ, କୌଣସି ସୁଫଳ ମିଳିନଥିଲା। ତେଣୁ, ସେମାନେ ଗତ ଜୁଲାଇ ୮ ତାରିଖ ଦିନ ୧୫ ଜୁଲାଇ ମଧ୍ୟରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ଏହି ପରିପେକ୍ଷୀରେ ଗତକାଲିଠାରୁ ସେମାନେ ଭିମ୍‌ସାର ଦ୍ଵିତୀୟ ଗେଟ ପାଖରେ ଧାରଣାରେ ବସିଛନ୍ତି।

ଭିମ୍‌ସାର୍‌ ଅଧୀକ୍ଷକ ଡା. ଲାଲ୍‌ମୋହନ ନାୟକ, ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ, ଷ୍ଟୋର ଅଫିସର୍‌ ଅଶୋକ ପାଣିଗ୍ରାହୀ, ଷ୍ଟିଵାର୍ଡ ଅଶ୍ବିନୀ କୁମାର ମେହେର ଯାଇ ବୁଝାସୁଝା କରିଥିଲେ। ଯଦି କୋଭିଡ୍‌ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼େ ଏବଂ ଷ୍ଟାଫ୍ ବଢାଇବାକୁ ନିର୍ଦ୍ଦେଶ ଆସିଲେ ଅଗ୍ରାଧିକାର ଦିଆଯିବ ବୋଲି କହାଯାଇଥିଲା।

ସମ୍ବନ୍ଧିତ ଖବର