ଘରୋଇକରଣ ବିରୋଧରେ ତାତିଲେ କର୍ମଚାରୀ : ଲିଜ୍‌ ନୁହେଁ, ପାନ୍ଥନିବାସର ବିକାଶ କର

ଭୁବନେଶ୍ୱର : କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ଆବଶ୍ୟକ ହୋଇପଡ଼ିଛି। ଗୋଟିଏ ପଟେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପ ସୁଧାରିବା ପାଇଁ ଆଶା ଦେଖାଉଛନ୍ତି, ଅନ୍ୟ ପଟେ ରାଜ୍ୟର ଭିତ୍ତିଭୂମିକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ଫନ୍ଦି କରୁଛନ୍ତି। କିଛି ଅଧିକାରୀଙ୍କ ମନମାନି ଯୋଗୁଁ ପାନ୍ଥନିବାସ ସରକାରଙ୍କ ହାତରୁ ଖସିଯିବାକୁ ବସିଛି। ଆଜି ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଉତ୍କଳ ପର୍ଯ୍ୟଟନ ନିଗମର କର୍ମଚାରୀ ସଂଘ ନେତା।

ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ଲୋକଙ୍କୁ ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ଆତିଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସରକାର ପାନ୍ଥନିବାସର ପରିକଳ୍ପନା କରିଥିଲେ। ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତମାନଙ୍କ ପ୍ରଥମ ପସନ୍ଦ ରହିଆସିଛି। ୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥନିବାସ ନିୟମିତ ଲାଭରେ ଚାଲିଛି। ପାନ୍ଥନିବାସ ପରିଚାଳନା କରୁଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୨୦୧୮-୧୯ରେ ସରକାରଙ୍କୁ ୨ କୋଟି ଟଙ୍କାର ଲାଭାଂଶ ବି ପ୍ରଦାନ କରିଛି। ଏସବୁ ସତ୍ତ୍ବେ ୫ଟି ପାନ୍ଥନିବାସକୁ ହୋଟେଲ୍ ସଂସ୍ଥା ହାତରେ ଟେକି ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ, ବରଂ ରାଜ୍ୟରେ ପରିଚାଳିତ ଆଉ କିଛି ପାନ୍ଥନିବାସକୁ ରେକର୍ଡଭୁକ୍ତ କରି ହୋଟେଲ୍ ସଂସ୍ଥା ହାତରେ ଟେକି ଦେବାକୁ ହୀନ ଚକ୍ରାନ୍ତ ହେଉଛି। ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।

ସଂଘ ପକ୍ଷରୁ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଲେ, ଏନେଇ କିଛିଦିନ ତଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଥିଲୁ। କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ସଂଘର କର୍ମକର୍ତାଙ୍କୁ ଡାକି ଆଲୋଚନା କରିବାକୁ ଅନୁରୋଧ କରିଥିଲୁ। କିନ୍ତୁ କେହି ଶୁଣିଲେ ନାହିଁ।

୨୦୧୭-୧୮ରେ ୨୧ଟି ପାନ୍ଥନିବାସର କାରବାର ୩୧କୋଟି ୨୪ ଲକ୍ଷରୁ ୨୦୧୮-୧୯ରେ ୩୯ କୋଟି ୩୯ ଲକ୍ଷରେ ପହଞ୍ଚିଥିଲା। ୨୦୧୯-୨୦ରେ କରୋନା ସତ୍ତ୍ବେ ୩୩କୋଟି ୨୬ଲକ୍ଷରୁ ଅଧିକ କାରବାର କରିଛି। ଏବେ ଯେଉଁ ୫ଟି ପାନ୍ଥ ନିବାସକୁ ଘରୋଇ ସଂସ୍ଥାକୁ ଦେବାକୁ ଉଦ୍ୟମ ହୋଇଛି ସେଗୁଡ଼ିକ ବି ଲାଭରେ ଚାଲିଛି। ଗୋପାଳପୁର ପାନ୍ଥନିବାସ ୨୦୧୭-୧୮ରେ ୮୯.୬୭ ଲକ୍ଷ ଟଙ୍କାର କାରବାର କରିଥିବା ବେଳେ ୨୦୧୭-୧୮ରେ କାରବାର ୧କୋଟି ୫ଲକ୍ଷ ଅତିକ୍ରମ କରିଥିଲା। ୨୦୧୮-୧୯ରେ ଏହା ୧କୋଟି ୧୦ଲକ୍ଷ ଅତିକ୍ରମ କରିଥିଲା। ଭଦ୍ରକ ଗତବର୍ଷ ନୂଆ କରି ଆରମ୍ଭ ହୋଇଥିଲେ ହେଁ ଏହାର କାରବାର ୨୦୧୮-୧୯ରେ ପାଖାପାଖି ୪୧ଲକ୍ଷ ହୋଇଛି। ଧଉଳିରେ ୨୦୧୭-୧୮ରେ ୧୬.୫୧ ଲକ୍ଷରୁ ୨୦୧୮-୧୯ରେ ୧୭.୮୮ଲକ୍ଷରେ ପହଞ୍ଚିଛି। ବାଲେଶ୍ବରରେ ୨୦୧୭-୧୮ରେ ପାନ୍ଥନିବାସର କାରବାର ୧୪.୭୭ ଲକ୍ଷରୁ ୨୦୧୮-୧୯ରେ ୨୦.୯୮ ଲକ୍ଷରେ ପହଞ୍ଚିଛି। ତପ୍ତପାଣିରେ ୨୦୧୮-୧୯ରେ କରୋନା ସତ୍ତ୍ବେ କାରବାର ୩୬.୧୮ ଲକ୍ଷ ହୋଇଛି। ଅଭିବୃଦ୍ଧି ଯୋଗୁଁ ପାନ୍ଥନିବାସଗୁଡ଼ିକ ସରକାରଙ୍କ ବ୍ରୋଞ୍ଜ୍ ତାଲିକାରୁ ରୌପ୍ୟ ଉଦ୍ୟୋଗକୁ ଉନ୍ନୀତ ହୋଇଛି। କରୋନା ମାଡ଼ରେ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ୫ ପାନ୍ଥନିବାସକୁ ୩୦ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଲିଜ୍ ସୂତ୍ରରେ ଦେଇଦେବା କେତେଦୂର ଯଥାର୍ଥ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସଂଘ ସଭାପତି ଶିବାନନ୍ଦ ରାୟ କହିଛନ୍ତି, ଯଦି ସରକାର ଆହୁରି ଲାଭ ଚାହୁଛନ୍ତି, ତେବେ ପୁଞ୍ଜିନିବେଶ ସହ ଏହାର ଉନ୍ନତୀକରଣ କରନ୍ତୁ। ଫଳରେ ପାନ୍ଥନିବାସ ଅଧିକ ଲାଭଦାୟୀ ଆତିଥ୍ୟ ସଂସ୍ଥା ଭାବେ ନିଜକୁ ପ୍ରମାଣିତ କରି ଦେଖାଇବ। ଏହା ନକରି କରୋନା ସମୟରେ କର୍ମଚାରୀଙ୍କ ସ୍ବାର୍ଥକୁ ଭୁଲି ପାନ୍ଥନିବାସକୁ ଲିଜ୍‌ ଦେବାର ଅର୍ଥ କ’ଣ। ତୁରନ୍ତ ସରକାର ଏ ବାବଦରେ ପୁନଃ ନିଷ୍ପତ୍ତି ନିଅନ୍ତୁ। ନଚେତ ପାନ୍ଥନିବାସ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର