ଦେଓଗାଁ: ବଲାଙ୍ଗୀର ଜିଲ୍ଲାରେ ଜାଲ୍ ପ୍ରମାଣପତ୍ରରେ ବହୁ ସଂଖ୍ୟାରେ ଲୋକ ଚାକରି କରୁଥିବା ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ଏହି ଆଲୋଚନା ଏବେ ଗାଁରେ ବି ହେଉଛି। କେବଳ ସେତିକି ନୁହେଁ କିଏ ଜାଲ୍ ପ୍ରମାଣପତ୍ରରେ ଚାକରି କରୁଛି ଏବଂ ତାର ଚାକରି ଗଲେ କିଏ ଫାଇଦା ପାଇବ ତାହା ମଧ୍ୟ ଆଲୋଚନାକୁ ଆସୁଛି। ଅନ୍ୟପକ୍ଷରେ ବହୁ ବର୍ଷ ଧରି ଜାଲ୍ ପ୍ରମାଣପତ୍ରରେ ଚାକରି କରୁଥିବା କର୍ମଚାରୀରଙ୍କ ରକ୍ତଚାପ ବଢ଼ିବାରେ ଲାଗିଛି। କିଛିଦିନ ହେଲା ଏପରି ଏକ କଥା ଆଲୋଚନାକୁ ଆସୁଛି ତୁଷୁରା, ଦେଓଗାଁ ଓ ଟିକ୍ରାପଡ଼ା କେନ୍ଦୁପତ୍ର ରେଞ୍ଜର କର୍ମଚାରୀଙ୍କୁ ନେଇ। ଅଭିଯୋଗ ଆସୁଛି ଯେ, ତୁଷରା ରେଞ୍ଜରେ ହେଡ୍ଚେକର ଭାବେ କାମ କରୁଥିବା ରସୁଲ ଖାନ ୧୯୭୮ଜାମୁଟର ମୁନସୀ ଭାବେ କାମ ଆରମ୍ଭ କରିଥିଲେ।
ବର୍ତ୍ତମାନ ସେ ତୁଷୁରା ରେଞ୍ଜର ହେଡଚେକର ଭାବେ କାମ କରୁଛନ୍ତି। ତାଙ୍କ ଶିକ୍ଷାଗତ ପ୍ରମାଣପତ୍ର ଜାଲିଆତି ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ତାଙ୍କୁ ଚାକରିରୁ କେହି ବାହାର କରୁନଥିବାରୁ ବିଭାଗର ପଦାଧିକାରୀ ପ୍ରତି ଅଙ୍ଗୁଳି ନିର୍ଦେଶ ହେଉଛି। ସେହିପରି ଏହି ରେଞ୍ଜର ଅନ୍ୟ ୩ ଜଣ କର୍ମଚାରୀ ମଧ୍ୟ ଜାଲ ଶିକ୍ଷାଗତ ପ୍ରମାଣପତ୍ରରେ ଚାକରି କରୁଛନ୍ତି। ଏ ସଂକ୍ରାନ୍ତ ଉପରିସ୍ଥ ଅଧିକାରୀମାନଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସେହିପରି ଦେଓଗାଁ ରେଞ୍ଜ ଅଧୀନରେ ଥିବା ଉପରଝର ସେକ୍ସନର କାମ କରୁଥିବା ମହାଦେବ ପଧାନ ନକଲି ପ୍ରମାଣ ପତ୍ର ଦେଇଛନ୍ତି।
ସେ ଦେଇଥିବା ପ୍ରମାଣପତ୍ର ଉପରଝର ହାଇସ୍କୁଲର ବୋଲି ଜଣାପଡ଼ୁଥିବା ବେଳେ ସେହି ସ୍କୁଲରେ ଏହି ବ୍ୟକ୍ତି ପାଠ ପଢ଼ି ନଥିବା ସ୍କୁଲ ପକ୍ଷରୁ ଜଣାପଡ଼ୁଛି। ସେହିପରି ଟିଟିଲାଗଡ଼ ଡିଭିଜନ ଟିକ୍ରାପଡ଼ା ରେଞ୍ଜରେ କାମ କରୁଥିବା କବି ବାଗ, ନୀଳମଣି ପଟେଲ, ଜୟମଙ୍ଗଳ ବରିହା ଓ ହୃଷୀକେଶ ଭୋଇ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକରି କରୁଥିବା ବିଷୟରେ ଗଜିନ୍ଦ୍ର ଭୋଇ, ଭୋଦେବ ପଧାନ,ବଶିଷ୍ଠ ବଗର୍ତ୍ତି, ହାଡ଼ୁ ବଗର୍ତ୍ତି, ସମୀର ପଟ୍ଟନାୟକ, ମକୁନ୍ଦପଧାନ, ପ୍ରସନ୍ନ ବାଗ ଗତ ୧୨ ତାରିଖ ଦିନ ଓଡ଼ିଶା କେନ୍ଦୁକର୍ମଚାରୀ, ତୋଳାଳି ମହାସଂଘକୁ ସଂପାଦକ ଟିଟିଲାଗଡ଼ ଡିଭିଜନ ମାଧ୍ୟମରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗତ କିଛିଦିନ ହେଲା ଜାଲ୍ ପ୍ରମାଣପତ୍ରରେ ଚାକରି କରୁଥିବା କର୍ମଚାରୀମାନେ ଆସୁ ନାହାନ୍ତି।