ନାଲ୍‌କୋରେ ନିଯୁକ୍ତି ଦାବି: ଜେଜେବାପାଙ୍କଠାରୁ ଚାଲିଛି ଲଢ଼େଇ; କେବଳ ପ୍ରତିଶ୍ରୁତି ମିଳୁଛି ହେଲେ ନିଯୁକ୍ତି ମିଳୁନି

ବଅଁରପାଳ : ବଅଁରପାଳ ବ୍ଲକ୍‌ ବଳରାମପ୍ରସାଦ ପଞ୍ଚାୟତର ପିଙ୍ଗୁଆ ଗାଁର ଉମାକାନ୍ତ ରାଉତ ନାଲ୍‌କୋରେ ନିଯୁକ୍ତି ପାଇଁ ଦାବି କରିଆସୁଛନ୍ତି। କେବଳ ସେ ନୁହଁନ୍ତି, ତାଙ୍କ ଜେଜେବାପାଙ୍କଠାରୁ ଏହି ଦାବି ହୋଇଆସୁଛି। କେବଳ ପ୍ରତିଶ୍ରୁତି ମିଳୁଛି ସିନା, ଦାବି ପୂରଣ ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଉମାକାନ୍ତ କହିବା ମୁତାବକ, ତାଙ୍କ ଜେଜେ ବାପା  ଗୋପାଳ ରାଉତଙ୍କର ୧ ଏକର ୪୮ ଡେସିମିଲ୍‌ ଜାଗା ୧୯୮୭ ମସିହାରେ ନାଲକୋ କମ୍ପାନି ଅଧିଗ୍ରହଣ କରିଛି। ନାଲ୍‌କୋ ରେଲୱେ କ୍ରସିଂଠାରେ ଏହି ଜାଗା ଅବସ୍ଥିତ। ଏହା ବଦଳରେ ତାଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ନାଲ୍‌କୋ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରତିଶ୍ରୁତି ପୂରଣ ହେଲା ନାହିଁ। ଗୋପାଳ ରାଉତ ନିଯୁକ୍ତି ପାଇଁ ନାଲକୋ ସହିତ ଲଢ଼େଇକରି ୨୦୦୯ ମେ ୨ ତାରିଖରେ ମୃତ୍ୟୁ ବରଣ କରିଛନ୍ତି। ଗୋପାଳଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଟିକନ ରାଉତ ନିଯୁକ୍ତି ପାଇଁ ନାଲ୍‌କୋ ଓ ଜିଲ୍ଲା ପ୍ରଶାସନ ନିକଟରେ ବହୁଥର ଦାବି କରିଥିଲେ। ତାଙ୍କୁ କେବଳ ପ୍ରତିଶ୍ରୁତି ମିଳିଲା, ନିଯୁକ୍ତି ମିଳିଲା ନାହିଁ।

ଟିକନଙ୍କୁ ପାଖାପାଖି ୬୦ ବର୍ଷ ହେଲାଣି। ଟିକନ ନିରାଶ ହେବା ପରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତ ମଧ୍ୟ ପରିବାର ଲୋକଙ୍କୁ ନିଯୁକ୍ତି ଦାବିକରି ତାଙ୍କ ଜମିରେ ଯାଇଥିବା ରେଳ ଧାରଣାରେ ବହୁଥର ରେଳରୋକ ଆନ୍ଦୋଳନ କରିଥିଲେ। ନାଲ୍‌କୋ କର୍ତ୍ତୃପକ୍ଷ ପୁଲିସ ସହଯୋଗରେ ତାଙ୍କ ପରିବାର ଲୋକଙ୍କୁ ଏକାଧିକ ଥର ଗିରଫକରି ଛାଡ଼ିଛନ୍ତି। ଗୀତାଞ୍ଜଳି ୨୦୨୦ ନଭେମ୍ବର ୨୫ ତାରିଖ ସକାଳେ ନିଜ ଜମିକୁ ଧାନ କାଟିବାକୁ ଯିବା ସମୟରେ ନାଲ୍‌କୋ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାଆଙ୍କ ମୃତ୍ୟୁ ଯୋଗୁଁ ତାଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବିକରି ଉମାକାନ୍ତ ରେଳରୋକ ଆନ୍ଦୋଳନ କରିଥିଲେ। ତାଙ୍କୁ କେବଳ ପ୍ରତିଶ୍ରୁତି ମିଳିଥିଲା। ନାଲ୍‌କୋ ପକ୍ଷରୁ ଆୟୋଜିତ ଆପ୍ରେଣ୍ଟିସ୍‌ ଟ୍ରେନିଂ ଉମାକାନ୍ତ ଗୋଟିଏ ବର୍ଷ ନେଇଛନ୍ତି। ଏଥିରେ ସେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତଥାପି ତାଙ୍କୁ ନିଯୁକ୍ତି ମିଳିଲା ନାହିଁ। ନିଯୁକ୍ତି ଦାବିରେ ଉମାକାନ୍ତ ନାଲ୍‌କୋ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନକୁ ବହୁଥର ଜଣାଇ ନିରାଶ ହେବା‌ ପରେ ନାଲ୍‌କୋ ରେଳଧାରଣରେ ରେଳରୋକ ଆନ୍ଦୋଳନ କରିଥିଲେ। କିନ୍ତୁ ପୁଲିସ ଗିରଫଦାରୀ ଭୟ ଦେଖାଇ ତାଙ୍କୁ ଚୁପ୍‌ କରାଇଦିଆଯାଉଛି। ନାଲ୍‌କୋରେ ନିଯୁକ୍ତି ମିଳିବ ବୋଲି ଏବେ ମଧ୍ୟ ସେ ଆଶା ରଖିଛନ୍ତି।

ଏ ସଂପର୍କରେ ନାଲକୋ ସିପିପି ଏଚ୍‌ଆର୍‌ ଡିଜିଏମ୍‌ ସୁନିଲ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ‘ଉମାକାନ୍ତଙ୍କ ପରିବାର ‘ଏଲ୍‌ଏପି’ ବର୍ଗର  ହୋଇଥିବାରୁ ତାଙ୍କ ପରିବାରର କେବଳ ଜଣକୁ ନିଯୁକ୍ତି ମିଳିଛି। ଉମାକାନ୍ତଙ୍କ ମାଆ ନାଲକୋ ଟ୍ରେନ୍‌ ଲାଇନ୍‌ରେ ଦୁର୍ଘଟଣାରେ ପ୍ରାଣ ହରାଇନାହାନ୍ତି, ସେଠାରେ ସେ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କ ପରିବାର ଲୋକଙ୍କୁ ସେତେବେଳେ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ବୋଲି ଡିଜିଏମ୍‌ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ତେବେ ଏହି ନିଯୁକ୍ତି ସଂପର୍କ‌ରେ ଉମାକାନ୍ତ କହିଛନ୍ତି ‘ତାଙ୍କ ଭାଇ ରମାକାନ୍ତ ରାଉତଙ୍କୁ ନାଲ୍‌କୋ ପକ୍ଷରୁ ଅସ୍ଥାୟୀ ୪ର୍ଥ ଗ୍ରେଡ଼ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି। ରମାକାନ୍ତ ମାସିକ ମାତ୍ର ୭ ହଜାର ଟଙ୍କା ଦରମା ପାଉଛନ୍ତି।’ ନାଲ୍‌କୋ ପକ୍ଷରୁ ମିଳିଥିବା ଏହି ନିଯୁକ୍ତି ଉପଯୁକ୍ତ ନୁହେଁ ବୋଲି ଉମାକାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର