ଏମ୍‌ପ୍ୟାନେଲମେଣ୍ଟ ନାଁରେ ରୋଜଗାର ଛଡ଼ାଇବାକୁ ଚକ୍ରାନ୍ତ

କିଛି ନିର୍ଦ୍ଦିଷ୍ଟ ସଂସ୍ଥା କରିବେ କୃଷି ବିଭାଗ କାର୍ଯ୍ୟର ଭିଡିଓ ଡକ୍ୟୁମେଣ୍ଟେସନ୍, ବାରମ୍ବାର ନୋଟିସ୍ ବଦଳାଇବା ପଛରେ କିଏ?

ଭୁବନେଶ୍ବର : କୃଷି ବିଭାଗର ଜିଲ୍ଲାୱାରୀ ହେଉଥିବା ଭିଡିଓ ଡକ୍ୟୁମେଣ୍ଟେସନ୍‌ କାର୍ଯ୍ୟକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥାଙ୍କ ଜରିଆରେ କରିବା ପାଇଁ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଏମ୍‌ପ୍ୟାନେଲମେଣ୍ଟ ନାଁରେ ଡକ୍ୟୁମେଣ୍ଟେସନ୍ କାର୍ଯ୍ୟକୁ ରାଜ୍ୟସ୍ତରରେ ନିୟନ୍ତ୍ରଣ କରାଯିବ। ଜିଲ୍ଲାସ୍ତରରେ ଯେଉଁ ସଂସ୍ଥାମାନେ ଡକ୍ୟୁମେଣ୍ଟେସନ୍ କରୁଥିଲେ, ସେମାନଙ୍କୁ ଆଉ କାମ ମିଳିବ ନାହିଁ। ଫଳରେ ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟ ଉପରେ ନିର୍ଭର କରି ପରିବାର ଚଳାଉଥିବା ସଂସ୍ଥାଗୁଡ଼ିକ କର୍ମ ସଂସ୍ଥାନ ହରାଇବା ଏକପ୍ରକାର ସ୍ପଷ୍ଟ ହୋଇଛି।

ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତ କରୁଥିବା ସଂସ୍ଥାମାନଙ୍କ ଅଭିଯୋଗ ଅନୁସାରେ, କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚାଷ ପ୍ରଣାଳୀ ଓ ଲାଭ/କ୍ଷତିକୁ ନେଇ ଜିଲ୍ଲାସ୍ତରରେ ଏହାର ଭିଡିଓ ଡକ୍ୟୁମେଣ୍ଟେସନ୍ କରାଯାଇଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ମିସନ୍ ବା ଏନ୍‌ଏଫ୍‌ଏସ୍‌ଏମ୍, ବ୍ରିଙ୍ଗିଙ୍ଗ୍‌ ଗ୍ରିନ୍ ରିଭୋଲ୍ୟୁସନ୍ ଇଷ୍ଟର୍ଣ୍ଣ ଇଣ୍ଡିଆ ବା ବିଜିଆରଇଆଇ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ବା ଆରକେଭିୱାଇ, ମିଲେଟ୍ ମିସନ୍ ଓ ‘ଆତ୍ମା’ ରେ ଚାଷୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ନେଇ ପ୍ରତିବର୍ଷ ଖରିଫ ଓ ରବି ଋତୁରେ ଭିଡିଓ ଡକ୍ୟୁମେଣ୍ଟେସନ୍ ହୋଇଥାଏ। ଏହି ଭିଡିଓ ଡକ୍ୟୁମେଣ୍ଟେସନ୍ କରିବାକୁ ଚାହୁଥିବା ସଂସ୍ଥାମାନେ ଏଥିପାଇଁ ଜିଲ୍ଲାସ୍ତରରେ କୃଷି ଉପ-ନିର୍ଦେଶକଙ୍କ ନିକଟରେ ଆବେଦନ କରିଥାନ୍ତି। ସଂସ୍ଥାମାନଙ୍କୁ ଚୟନ କରିବା ପାଇଁ ଜିଲ୍ଲାସ୍ତରରେ ଏକ କମିଟି ରହିଛି। କମିଟି ସଂସ୍ଥାକୁ ଚୟନ କରିବା ପରେ ଜିଲ୍ଲାପାଳ ଏଥିପାଇଁ ଅନୁ ମୋଦନ ଦେଇଥାନ୍ତି। ପ‌ରେ ସଂସ୍ଥାମାନଙ୍କୁ ଧାର୍ଯ୍ୟ ଅର୍ଥରେ ଡକ୍ୟୁମେଣ୍ଟେସନ୍ ପାଇଁ ଅନୁମତି ମିଳିଥାଏ। ଏଥିରେ ସୁଟିଂ ସହ ଏଡିଟିଂ, ଭଏସ୍‌-ଓଭର୍‌ କରାଯାଇ କୃଷି ଉପ-ନିର୍ଦେଶକଙ୍କୁ ଏହାର ସିଡି ପ୍ରଦାନ କରିଥାନ୍ତି ସଂସ୍ଥାମ‌ାନେ। ରାଜ୍ୟରେ ଏଭଳି ୫୦ରୁ ଅଧିକ ସଂସ୍ଥା କାର୍ଯ୍ୟ କରୁଛନ୍ତି। ପ୍ରାୟ ୧୫ବର୍ଷ ଧରି ସଂପୃକ୍ତ ସଂସ୍ଥାମାନେ ଗ୍ରାମାଞ୍ଚଳରେ ଏଭଳି ଭିଡିଓ ଡକ୍ୟୁମେଣ୍ଟେସନ୍ କରି ପରିବାର ଚଳାଉଛନ୍ତି।

ତେବେ କିଛି ଦିନ ତଳେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ ବା ଇମେଜ୍ ପକ୍ଷରୁ ଭିଡିଓ ଡକ୍ୟୁମେଣ୍ଟେସନ୍ କରୁଥିବା ସଂସ୍ଥାମାନଙ୍କୁ ଏମ୍‌ପ୍ୟାନେଲ୍ କରିବା ପାଇଁ ଅଗଷ୍ଟ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏକ୍ସପ୍ରେସନ୍ ଅଫ ଇଣ୍ଟରେଷ୍ଟ ବା ଇଓଆଇରେ ଏମପ୍ୟାନଲେମେଣ୍ଟ ପାଇଁ ଜରୁରୀ ମାନଦଣ୍ଡଗୁଡ଼ିକ ପୂରଣ କରୁଥିବା ସଂସ୍ଥାମାନଙ୍କୁ ଆବେଦନ କରିବା ପାଇଁ କୁହାଯାଇଥିଲା। ସେହି ମାସ ୩୦ ତାରିଖରେ ଏହି ବିଜ୍ଞପ୍ତି ବାତିଲ ହୋଇ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା ଇମେଜ୍। ପରବର୍ତୀ ସମୟରେ ସେପ୍ଟେମ୍ବର ୧୯ତାରିଖରେ ପୁନର୍ବାର ଏକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଅକ୍ଟୋବର ୩ ସୁଦ୍ଧା ଆବେଦନ ପାଇଁ କୁହାଯାଇଥିଲା। ପୂର୍ବରୁ ଯେଉଁ ସଂସ୍ଥାମ‌ାନେ ଆବେଦନ କରିସାରିଛନ୍ତି, ସେମାନେ ପୁନର୍ବାର ପ୍ର ପୋଜାଲ ଦାଖଲ କରିବାର କୌଣସି ଆବଶ୍ୟକତା ନ ଥିବା କୁହାଯାଇଥିଲା। ମାତ୍ର ଯଦି କୌଣସି କାଗଜପତ୍ର ବା ଡକ୍ୟୁମେଣ୍ଟ ପୂର୍ବରୁ ହୋଇଥିବା ଆବେଦନପତ୍ରରେ ଛାଡ଼ି ଯାଇଛନ୍ତି, ସେମାନେ ଚାହିଲେ ଏଥିରେ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି‌ରେ ଉଲ୍ଲେଖ ଥିଲା। ତେବେ ଏଭଳି ବିଜ୍ଞପ୍ତିକୁ ନେଇ ଡକ୍ୟୁମେଣ୍ଟସନ୍ କରୁଥିବା ସଂସ୍ଥାମ‌ାନେ ଆ‌ପତ୍ତି ଉଠାଇଛନ୍ତି। ବାତିଲ ହୋଇଥିବା ଟେଣ୍ଡର୍‌ରେ ସଂସ୍ଥାମାନଙ୍କୁ ନୂତନ ଭାବେ ଆଉ ଥରେ ଆବେଦନ କରିବାକୁ ଦିଆ ନଯାଇ ପୂର୍ବରୁ ଆବେଦନ କରିଥିବା ସଂସ୍ଥାକୁ ଅନୁକମ୍ପା ଦିଆଯାଉଥିବା ସଂସ୍ଥାମାନେ ଅଭିଯୋଗ କରିଛନ୍ତି। ଦ୍ବିତୀୟଥର ହୋଇଥିବା ଟେଣ୍ଡରରେ ୧୨ଟି ସଂସ୍ଥାକୁ ଏମପ୍ୟାନେଲ କରାଯାଇଥିବା ସଂସ୍ଥାମାନେ ଅଭିଯୋଗ କରିଛନ୍ତି। କୃଷି ବିଭାଗର କିଛି ଅଧିକାରୀ ଜାଣିଶୁଣି ଏମପ୍ୟାନେଲମେଣ୍ଟ ନାଁରେ ଅଭିଜ୍ଞତା ନ ଥିବା ସଂସ୍ଥାକୁ ଡକ୍ୟୁମେଣ୍ଟସନ୍ ଦାୟିତ୍ବ ଦେବା ପାଇଁ ଏଭଳି ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ଆଣିଛନ୍ତି।

ଇମେଜ୍‌ର ନିର୍ଦେଶକ ବିଜୟ ପଟ୍ଟନାୟକ କହିଛନ୍ତି, ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଜିଲ୍ଲାୱାରି ଡକ୍ୟୁମେଣ୍ଟେସନ୍ କରାଯାଉଛି। ମାତ୍ର ସଂପ୍ରସାରଣ ସୂଚନା ପାଇଁ ଏମପ୍ୟାନେଲମେଣ୍ଟ କରାଯାଉଛି। ଜିଲ୍ଲାୱାରି ହେଉଥିବା ଡକ୍ୟୁମେଣ୍ଟେସନ୍ ସହିତ ଏହାର କୌଣସି ସଂପର୍କ ନାହିଁ। କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ଏମପ୍ୟାନେଲମେଣ୍ଟ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ନିର୍ବାଚନ ଯୋଗୁଁ ଏହା ହୋଇପାରି ନ ଥିଲା। ଏବେ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟବ୍ୟାପୀ ଡକ୍ୟୁମେଣ୍ଟେସନ୍ ପାଇଁ କାହାରିକୁ ମନଇଚ୍ଛା ଚୟନ ନ କରି ସଂସ୍ଥାମାନଙ୍କୁ ଏମପ୍ୟାନେଲ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର