ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପଞ୍ଚାୟତ ମୁଣ୍ଡାଆମ୍ବ ମୌଜାରେ ଇଡ୍‌କୋ ପକ୍ଷରୁ ୩୦୦ ଏକର ଜାଗା ପ୍ରଦାନ କରାଯାଇ ଗଢି ଉଠିଛି ଶିଳ୍ପାଞ୍ଚଳ। ସେଠାରେ ବିଭିନ୍ନ କଂପାନିରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ନିଯୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସେଥିପ୍ରତି କଂପାନି କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ଜଙ୍କିଆ ଓ ପାଖାପାଖି ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷେ ତଳେ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯେଉଁ ଦାବିପତ୍ର ଦେଇଥିଲେ ସେଥିରେ ଶିଳ୍ପାଞ୍ଚଳରେ ନିଯୁକ୍ତି ପାଇଁ ଗୁହାରି କରିଥିଲେ।  ଏ ନେଇ ମଧ୍ୟ ସେତେବେଳେ ଶତାଧିକ ଲୋକ ଜଙ୍କିଆ ମୁଣ୍ଡାଆମ୍ବ ଅଞ୍ଚଳରେ ଚାଲୁ ହୋଇଥିବା କଂପାନି ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ଦାବି ପୂରଣ ପାଇଁ ଅଡ଼ିବସିଥିଲେ। ସେମାନଙ୍କ ଦାବି ମୁତାବକ, ଜମି ଅଧିଗ୍ରହଣ ସମୟରେ ସେମାନଙ୍କୁ ବିଭିନ୍ନ କଂପାନିରେ ଗ୍ରାମ୍ୟ କମିଟି ମାଧ୍ୟମରେ ସୁପର୍‌ଭାଇଜର, ସୁଇପର୍‌, ଶ୍ରମିକ ଆଦି ନିଯୁକ୍ତି ଦେବା, କଂପାନିରେ ଲାଗୁଥିବା କଞ୍ଚାମାଲ ପାଇଁ ସ୍ଥାନୀୟ ଗାଡ଼ି ନିୟୋଜିତ ହେବା ସହିତ ସ୍ଥାନୀୟ ଗ୍ରାମର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।

Advertisment

ଏ ନେଇ ଗତ ବର୍ଷ ଜୁଲାଇ ମାସ ୨୭ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,  ପୂର୍ବତନ ବିଧାୟକ ଜିତୁ ମିତ୍ର, ଇଡ୍‌କୋ ସି ଜିଏମ୍ ପ୍ରଜ୍ଞାଧାରା ମିଶ୍ର, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ତହସିଲଦାର ବିଭାସ ଚନ୍ଦ୍ର ପାଣିଗ୍ରାହୀଙ୍କ  ସହ ବିଭିନ୍ନ କଂପାନି ଅଧିକାରୀଙ୍କ ସମେତ ଜଙ୍କିଆ ଅଞ୍ଚଳର ଗ୍ରାମବାସୀଙ୍କ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଦକ୍ଷତା ଭିତ୍ତିରେ ନିଯୁକ୍ତି ତିରିଶ ଚାଳିଶ ଭାଗ ବେକରୀଙ୍କୁ ନିଯୁକ୍ତି ସୁଯୋଗ, ଜଙ୍କିଆ ଖେଳ ପଡ଼ିଆଠାରୁ ନୂଆଗାଁ ଦେଇ ମୋଟା ଛକ ପର୍ଯ୍ୟନ୍ତ ଏକ ପିଚୁ ରାସ୍ତା, ଗ୍ରାମର ଉନ୍ନତି ପାଇଁ ୫୦ ଏକର ଜମି ପ୍ରଦାନ ଓ ଜଙ୍କିଆ ହାଇସ୍କୁଲ ଶ୍ରେଣୀ ଗୃହକୁ ପକ୍କା ଘର ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା। କଂପାନିମାନଙ୍କୁ ଜାଗା ପ୍ରଦାନ ବେଳେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ କଂପାନି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବାକୁ ଜିଲ୍ଲାପାଳ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପରେ ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି ପାଇଁ ବେକାର ଯୁବକ ଯୁବତୀଙ୍କର ଏକ ତାଲିକା ପ୍ରଦାନ କରାଯାଇଥିଲା।

ଅଦ୍ୟାବଧି ନିଯୁକ୍ତି ନାହିଁ କି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ଦେବାକୁ ଥିବା ୫୦ ଏକର ଜାଗା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆଜି ଜଙ୍କିଆ ଶିଳ୍ପାଞ୍ଚଳକୁ   ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଆସିଥିବା ବେଳେ ମୁଣ୍ଡାଆମ୍ବବାସୀଙ୍କ ତରଫରୁ ସେମା ନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଗ୍ରାମ୍ୟ କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ସାମନ୍ତରାୟ, ସମ୍ପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀ, ସରପଞ୍ଚ ପଙ୍କୋଜିନୀ ବଳବନ୍ତରାୟ, ସମିତି ସଭ୍ୟ କିଶୋର ଚନ୍ଦ୍ର ମାର୍ଥା, ଉପସଭାପତି ରମ୍ୟରଞ୍ଜନ ଜେନା, ସହ ସମ୍ପାଦକ ଶ୍ରୀକାନ୍ତ ବଳବନ୍ତରାୟ, ଉପଦେଷ୍ଟା ବିଶ୍ବଭୂଷଣ ଛୋଟରାୟ, ସୁରେନ୍ଦ୍ରନାଥ ଜେନା, ବିରଞ୍ଚି ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ।