ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ। ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ ଆଜି ମଧ୍ୟ ମାନବ ଜୀବନକୁ ଗଢ଼ି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ଼ ଭୂମିକା ତୁଲାଇଥାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି କଳିଙ୍ଗ ଷ୍ଟାଡିୟମରେ ନବନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଶିକ୍ଷକ ହେଉଛନ୍ତି ଜଣେ ଜଣେ ମଣିଷ ଗଢ଼ା ଶିଳ୍ପୀ। ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ, ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ନବନିଯୁକ୍ତ ଶିକ୍ଷକମାନେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ। ତା’ହେଲେ ଶିକ୍ଷକତା ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ସହିତ ଶିକ୍ଷାଦାନକୁ ମଧ୍ୟ ଆନନ୍ଦମୟ କରିହେବ। କିଛି ଶିକ୍ଷକ-ଶିକ୍ଷୟିତ୍ରୀ ନିଜକୁ ଜଣେ ଜଣେ ‘କଡ଼ା’ ଶିକ୍ଷକ ବା ଶିକ୍ଷୟିତ୍ରୀଭାବେ ଗଢ଼ି ତୋଳିବାକୁ ଚାହାନ୍ତି। ମୋର ଅନୁରୋଧ, ସେଥିରୁ କ୍ଷାନ୍ତ ରୁହନ୍ତୁ। ପ୍ରତ୍ୟେକ ଡାକ୍ତର, ଇଞ୍ଜିନିୟର, ବ୍ୟବସାୟୀ, ଶିଲ୍ପପତି, ରାଜନେତା, କୌଣସି ନା କୌଣସି ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଛନ୍ତି। ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ଶିକ୍ଷକ ଗଭୀର ଭାବେ ନିଜର ପ୍ରଭାବ ପକାଇଥିବେ। ତେଣୁ ସେହି ପ୍ରଭାବୀ ଶିକ୍ଷକ ହେବାକୁ ଚେଷ୍ଟା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଶିକ୍ଷକତା ହେଉଛି ଦୁନିଆରେ ସବୁଠୁ ମହତ କାର୍ଯ୍ୟ ଓ ସମ୍ମାନସ୍ପଦ ବୃତ୍ତି: ମୁଖ୍ୟମନ୍ତ୍ରୀ
ବିକଶିତ ଓଡ଼ିଶାର ମୁଖ୍ୟ ସୂତ୍ରଧର ହେବେ ଶିକ୍ଷକ: ଧର୍ମେନ୍ଦ୍ର
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଗାମୀ ଦିନରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ମୁଖ୍ୟ ସୂତ୍ରଧର ହେବେ। ସମାଜକୁ ସଶକ୍ତ ଓ କଲ୍ୟାଣ କରିବା ଦିଗରେ ଶିକ୍ଷକଙ୍କ ଗୁରୁ ଦାୟିତ୍ୱ ରହିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳମଣି ମଧୁସୂଦନ ଦାସଙ୍କ ପରି ଅନେକ ମହାପୁରୁଷ ମଧ୍ୟ ଶିକ୍ଷକଙ୍କ ମାର୍ଗଦର୍ଶନରେ ଆମ ଜାତିକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟରେ ପ୍ରାୟ ୬୨ ହଜାର ସରକାରୀ ଓ ବେସରକାରୀ ସ୍କୁଲରେ ୩ ଲକ୍ଷ ୩୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସେହି ପୃଷ୍ଠଭୂମିରେ ୧୬ ହଜାର ୯ ଜଣ ନୂଆ ବିନ୍ଧାଣୀ ଯୋଡ଼ି ହୋଇଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାରେ ଧନୀ ଲୋକଙ୍କ ଅଭାବ ଥାଇ ପାରେ କିନ୍ତୁ ଜ୍ଞାନୀ ଲୋକଙ୍କର ଅଭାବ ନାହିଁ। ଓଡ଼ିଆ ପିଲାମାନଙ୍କୁ ସ୍ୱାଭିମାନୀ ବନାଇବା ପାଇଁ ଦାୟିତ୍ୱ ନେଲେ ଓଡ଼ିଆ ଦିଗ୍ବିଜୟୀ ହେବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଓଡ଼ିଶା କିପରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ସେଥିପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଧନ୍ୟବାଦ ଦେଇଥିଲେ।