ମଧ୍ୟପ୍ରାଚ୍ୟରେ ବୃଦ୍ଧିପାଇବ ନିଯୁକ୍ତିର ସୁଯୋଗ: ଧର୍ମେନ୍ଦ୍ର

ଏନ୍ଏସ୍‌ଡିସି-ଏସ୍‌ଡିଆଇ ମଧ୍ୟରେ ଏମ୍ଓୟୁ

ଖୋର୍ଦ୍ଧା: ଜାତୀୟ ସ୍କିଲ୍ ଡେଭଲପ୍‌ମେଣ୍ଟ୍‌ କର୍ପୋରେସନ୍ (ଏନ୍ଏସ୍‌ଡିସି) ଏବଂ ରାଜ୍ୟ ସ୍କିଲ୍ ଡେଭଲପ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଡିଆଇ) ମଧ୍ୟରେ ଆଜି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହା ଓଡ଼ିଆ ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ଏମ୍‌ଓୟୁ ସ୍ବାକ୍ଷରିତ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ଅଞ୍ଚଳରୁ ଅନେକ ଯୁବକଯୁବତୀ ବିଦେଶକୁ, ବିଶେଷତଃ ମଧ୍ୟପ୍ରାଚ୍ୟ (ଗଲ୍ଫ)କୁ କର୍ମନିଯୁକ୍ତି ପାଇଁ ଯାଉଛନ୍ତି। ଜାତୀୟ ସ୍କିଲ୍ ଡେଭଲପ୍‌ମେଣ୍ଟ୍‌ କର୍ପୋରେସନ୍ (ଏନ୍ଏସ୍‌ଡିସି) ଓ ରାଜ୍ୟ ସ୍କିଲ୍ ଡେଭଲପ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଡିଆଇ) ମଧ୍ୟରେ ଚୁକ୍ତି ଦ୍ବାରା ଓଡ଼ିଆ ଯୁବକଯୁବତୀମାନେ ପ୍ରଶିକ୍ଷିତ ହେବା ସହ କୁଶଳୀ ହୋଇପାରିବେ। ଭାରତରେ ୧୫ରୁ ୨୫ ବର୍ଷ ବର୍ଗରେ ପ୍ରାୟ ୨୫ କୋଟି ଯୁବକ ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୭୫ ଲକ୍ଷ। ତେଣୁ ଓଡ଼ିଶାର ଏହି ୭୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ଦ୍ବାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହାଦ୍ବାରା ମଧ୍ୟପ୍ରାଚ୍ୟର ଆବଶ୍ୟକତା ଅନୁସାରେ ନିଯୁକ୍ତିର ସୁଯୋଗ ଅନେକ ପରିମାଣରେ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ଣରେ ଜଟଣୀ ତରାବୋଇସ୍ଥିତ ଏସ୍‌ଡିଆଇ ପରିସରେ ଅନୁଷ୍ଠିତ ଦ୍ବିପାକ୍ଷିକ ଏମ୍ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏମ୍ଓୟୁ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଆଜିର ଏମ୍ଓୟୁରେ ଏହି ଅନୁଷ୍ଠାନ ପରିସରରେ ସ୍କିଲ୍ ଇଣ୍ତିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍‌, ୱାଲଡ୍ ସ୍କିଲ୍ ଏକାଡେମି ଓ ନ୍ୟାସନାଲ୍ ଏକାଡେମି ଫର୍ ସ୍କିଲ୍ ଟିଚର୍‌ ଆଦି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ବିଦେଶରେ ଭାରତୀୟ ଯୁବକଯୁବତୀଙ୍କ କର୍ମନିଯୁକ୍ତି ବୃଦ୍ଧି କରାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ମଧ୍ୟପ୍ରାଚ୍ୟର ବାହାରିନ୍, ୟୁଏଇ, ସାଉଦିଆରବର ଶିଳ୍ପ ପ୍ରତିଷ୍ଠାନ ଓ ଅନୁଷ୍ଠାନଙ୍କ ସହ ମିଶି ଭାରତରୁ ପ୍ରଶିକ୍ଷିତ ଓ କୁଶଳୀ ମାନବ ସମ୍ବଳ ଯୋଗାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଯୋଜନାରେ ରାଜ୍ୟ ସ୍କିଲ୍ ଡେଭଲପ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ସାମିଲ କରାଯାଇଛି। ଏଠାରେ ବିଦେଶୀ କମ୍ପାନିଗୁଡ଼ିକ ନିମନ୍ତେ ଆବଶ୍ୟକ ପ୍ରଶିକ୍ଷିତ ମାନବସମ୍ବଳ ସୃଷ୍ଟି କରାଯିବ। ଏଭଳି ପ୍ରଶିକ୍ଷଣ ଦ୍ବାରା ବିଦେଶ ଯାଉଥିବା ଯୁବକଯୁବତୀଙ୍କ ପାଇଁ ରୋଜଗାର ଓ ଆତ୍ମନିଯୁକ୍ତିର ଅଧିକ ସୁଯୋଗ ସୃଷ୍ଟି ହେବ। ସେହିଭଳି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ବିଦେଶକୁ ପ୍ରଶିକ୍ଷିତ ମାନବସମ୍ବଳ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ତାହାକୁ ଖୁବ୍ ଶୀଘ୍ର ଏଠାରେ କାର୍ଯ୍ୟକାରୀ କରାଯିବ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାରେ ପ୍ରାକୃତିକ ସମ୍ବଳ ଭରପୂର। କୁଶଳୀ ମାନବସମ୍ବଳ ସହ ଖଣିଜ ଶିଳ୍ପ ମଧ୍ୟରେ ସମନ୍ବୟ ରକ୍ଷା କରାଗଲେ ରାଜ୍ୟର ମୁଣ୍ତପିଛା ଆୟ ବୃଦ୍ଧି ପାଇବ। ଏଠାରେ ଏସ୍‌ଡିଆଇ ଉଲ୍ଲେଖନୀୟ କାର୍ଯ୍ୟକରୁଛି। ଯଦି ରାଜ୍ୟ ସରକାର ଏସ୍‌ଡିଆଇକୁ ଅଧିକ ଜମି ଯୋଗାଇଦିଅନ୍ତି ତେବେ ଏହାର ଭିତ୍ତିଭୂମି ବିକଶିତ ହେବା ସହ ରାଜ୍ୟର ଅଧିକ ଯୁବକଯୁବତୀ ଉପକୃତ ହୋଇପାରିବେ। ଆଜିର ଏମ୍ଓୟୁ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏସ୍‌ଡିଆଇର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଏନ୍ଏସ୍‌ଡିସିର ସିଇଓ ବେଦମଣି ତିୱାରୀ, ଏସ୍‌ଡିଆଇ ସିଇଓ ସଞ୍ଜୟ ଶ୍ରୀବାସ୍ତବଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର