ଫିକି ଓଡ଼ିଶା, ମିସନ୍ ଶକ୍ତି ଓ ସମ୍ବାଦ ଗ୍ରୁପ ପକ୍ଷରୁ ମହିଳା ଉଦ୍ୟମୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମହିଳାଙ୍କ ହାତକୁ ପଇସା ନଆସିଲେ ସଶକ୍ତୀକରଣ ଅସମ୍ପୂର୍ଣ୍ଣ

ଭୁବନେଶ୍ବର: ଘରେ ଘରେ କେୟାର୍ ଇକନମି ବା ଯତ୍ନ ଅର୍ଥବ୍ୟବସ୍ଥାକୁ ୮୦ରୁ ୯୦ ପ୍ରତିଶତ ମହିଳା ନିୟନ୍ତ୍ରଣ କରୁଥିବା ବେଳେ ସେମାନଙ୍କୁ ଆବଶ୍ୟକ ସ୍ବୀକୃତି ମିଳୁନଥିଲା। ଏମିତିରେ ଦେଖିବାକୁ ଗଲେ ଅଣକାର୍ଯ୍ୟକ୍ଷମ ମହିଳା କେହି ନାହାନ୍ତି। ବରଂ ସମୟର ଦାରିଦ୍ରୢ ଯୋଗୁଁ ଘରେ ଚବିଶ ଘଣ୍ଟା ଧନ୍ଦି ହେଉଥିବା ମହିଳାମାନେ ନିଜନିଜ ସ୍ବାମୀମାନଙ୍କ ପରିଚୟ ନେଇ ବଞ୍ଚିବା ସମୀଚୀନ ନୁହେଁ। ମହିଳା ହାତରେ ପଇସା ରହିଲେ ହିଁ ସେ ଆଗକୁ ଯାଇପାରିବ। ଏପରି ସ୍ଥଳେ ଓଡ଼ିଶାର ତୃଣମୂଳସ୍ତରରେ ବିଭିନ୍ନ କ୍ଷେତ୍ରରେ ‘ମିସନ୍ ଶକ୍ତି’ ନେତୃତ୍ବ ଗଠନ ସହିତ ମହିଳାଙ୍କୁ ପରିଚୟ ଦେଇଛି। ମିସନ ଶକ୍ତି କେବଳ ଋଣ ବ୍ୟବସ୍ଥାରେ ସୀମିତ ନାହିଁ; ବରଂ ବ୍ୟାଙ୍କ ବିହୀନ ବିଭିନ୍ନ ଗ୍ରାମାଞ୍ଚଳରେ ଏସଏଚ୍‌ଜିଗୁଡ଼ିକର ମହିଳାମାନେ ବ୍ୟାଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ଏସ୍‌ଏଚ୍‌ଜି ମହିଳା ନିର୍ଦିଷ୍ଟ ଗୋଟିଏ ପ୍ରକାର କାର୍ଯ୍ୟରେ ସୀମିତ ନରହି କଳାହାଣ୍ଡି, ସମ୍ବଲପୁର, ବରଗଡ଼ରେ ମହିଳାମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଛନ୍ତି।

ମିସନ ଶକ୍ତି ନେତୃତ୍ବ ଗଠନ ସହିତ ମହିଳାଙ୍କୁ ପରିଚୟ ଦେଇଛି: ସୁଜାତା
ମହିଳାମାନେ ଶୃଙ୍ଖଳିତ; ସେମାନେ ବଜାରକୁ ପ୍ରଭାବିତ କରନ୍ତୁ: ସୈାମ୍ୟ

ସହରାଞ୍ଚଳର ନିର୍ମାଣ କାର୍ଯ୍ୟ, ଇଲେକ୍‌ଟ୍ରିକ୍ ମିଟର ରିଡିଂ ସମେତ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଜି ଖିମ୍‌ଜି ଫାଉଣ୍ଡେସନର ସହାୟତାରେ ମିସନ ଶକ୍ତି, ଫିକି (ଭାରତୀୟ ଶିଳ୍ପ ଓ ବଣିକ ମହାସଂଘ), ଓଡ଼ିଶା ଓ ସମ୍ବାଦ ଗ୍ରୁପ ପକ୍ଷରୁ ଭର୍ଚୁଆଲରେ ଆୟୋଜିତ ଉଦ୍ୟମୀ ମହିଳା ପ୍ରଶିକ୍ଷଣର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମିସନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତ୍ତିକେୟନ୍‌। ନିଜ ଉଦ୍ୟମ‌ରେ ରୋଜଗାରକ୍ଷମ ହେବା ସହିତ ନିଜ ଅଞ୍ଚଳର ମହିଳାଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିଥିବା ଆଦିବାସୀ ଅଧ୍ୟୁଷିତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର ବଛାବଛା ମହିଳାଙ୍କୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଉଦ୍‌ବୋଧନ ଦେଇ ଶ୍ରୀମତୀ କାର୍ତ୍ତିକେୟନ କହି‌ଲେ ଯେ କୋଭିଡ୍‌ ସମୟରେ ଏସଏଚ୍‌ଜିଗୁଡ଼ିକ ୭୦ ଲକ୍ଷରୁ ଊର୍ଧ୍ବ ମାସ୍କ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ସମୟରେ ମହିଳାମାନେ ଯେଉଁଭଳି ଲୋକଙ୍କୁ ସଚେତନ କରିବାକୁ ବାହାରି ଆସିଲେ ଏହା ତା’ର ଉଦାହରଣ ଅଟେ। ବର୍ତ୍ତମାନ ଓଡ଼ିଶାରେ ଏସ୍‌ଏଚ୍‌ଜି ଜରିଆରେ ୩ ହଜାର ୨ଶହ କୋଟି ଟଙ୍କାର କାରବାର ହୋଇଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ମହିଳାମାନେ ରୋଜଗାରକ୍ଷମ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମର୍ଯାଦା ମିଳିବ ନାହିଁ। ଭାରତୀୟ ସମାଜରେ ମା’ଙ୍କ ଆଶୀର୍ବାଦ ବିନା କୌଣସି ଭଲ କାମ ହୁଏ ନାହିଁ। ଏହିଭଳି ଏକ ସଂସ୍କୃତିରେ ଏଭଳି ଅବସ୍ଥା ହୋଇଛି ଯେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ପଡ଼ୁଛି। କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ବିଶ୍ବରେ ଏହିଭଳି ସ୍ଥିତି ରହିଛି। ଘରେ ମହିଳା କରୁଥିବା କାର୍ଯ୍ୟର ମୂଲ୍ୟ ନୋଟ୍‌ରେ ଦିଆଯାଇ ପାରୁନଥିବାରୁ ତାର ଉପଯୁକ୍ତ ମୂଲ୍ୟାୟନ ହୋଇ ପାରୁନାହିଁ। ବର୍ତ୍ତମାନର ବ୍ୟବସ୍ଥାରେ ବଜାରକୁ ମହିଳାମାନେ ପ୍ରଭାବିତ କରିପାରିଲେ ହିଁ ତିଷ୍ଠି ପାରିବେ। ମହିଳାଙ୍କ ସକ୍ରିୟତା ସମାଜ ଓ କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରେ। ଏହି ଅବସରରେ ରାଜନୀତିରେ ମହିଳାଙ୍କ ଅଧା ଭାଗୀଦାରି ନେଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ମଧ୍ୟ ଶ୍ରୀ ପଟ୍ଟନାୟକ ସ୍ବାଗତ କରିଛନ୍ତି।

ଅନ୍ୟତମ ଅତିଥି କିମ୍ସ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ପ୍ରଫେସର ଏସ୍‌ଏନ୍‌ ମିଶ୍ର କହିଛନ୍ତି, ଦଶ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇଛି। ଓଡ଼ିଶାର ଆର୍ଥିକ ସର୍ଭେ ଅନୁସାରେ ମାତ୍ର ୨୨ ପ୍ରତିଶତ ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ଭାଗୀଦାରି ରହିଛି। ବିମୁଦ୍ରାୟନ, କରୋନା ମହାମାରି କର୍ମଜୀବୀ ମହିଳା ସର୍ବାଧିକ ପ୍ରଭାବିତ କରିଛି। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ଇଂଜିନିୟରିଂ ଭଳି ପ୍ରଯୁକ୍ତି ଶିକ୍ଷାରେ ମହିଳାଙ୍କ ଭାଗୀଦାରି ମାତ୍ର ୪ ପ୍ରତିଶତ ରହିଛି। ଯାହାକି ପୁରୁଷଙ୍କ ତୁଳନାରେ ଅନେକ କମ। ଦରମା ପାଇବାରେ ମଧ୍ୟ ସେମାନେ ଭେଦଭାବର ଶିକାର ହେଉଛନ୍ତି।
ମୁଖ୍ୟ ପ୍ରଶିକ୍ଷକ ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଜିତେନ୍ଦ୍ର ନାରାୟଣ ଦାସ (ଦାଶ ବେହେନୁର), ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଉପସ୍ଥିତ ଥିଲେ। ଫିକି ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷା ମୋନିକା ନୈୟର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ‘ସମ୍ବାଦ’ର ସିଜିଏମ୍‌(ନ୍ୟୁଜ୍) ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ଫିକି ଓଡ଼ିଶା ମୁଖ୍ୟ ହିମାଂଶୁ ଶେଖର ସାହୁ ଧନ୍ୟବାଦ ଦେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅନେକ ମହିଳା ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେପ୍ଟେମ୍ବର ମାସରୁ ଫିକି ଓଡ଼ିଶା ଚେପ୍ଟର ଏବଂ ସମ୍ବାଦ ଗ୍ରୁପ ପକ୍ଷରୁ ମିଳିତ ଭାବରେ ଏ ସଂକ୍ରାନ୍ତରେ କାର୍ଯ୍ୟ କରାଯାଇ ରାଜ୍ୟର ୯୦୦ ଉଦ୍ୟମୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ଭର୍ଚୁଆଲରେ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ବାଦର ୩୩ ଜିଲ୍ଲାର ସ୍ବାବଲମ୍ବୀ ମହିଳା ଯୋଡ଼ି ହୋଇଥିଲେ।
ପ୍ରତ୍ୟେକ କାର୍ଯ୍ୟରେ ଅନନ୍ୟ ମହିଳା:
ପୁରୁଷଙ୍କଠାରୁ ଅଧିକ କାର୍ଯ୍ୟ କରୁଛନ୍ତି ମହିଳା। ପୁରୁଷମାନେ କରୁଥିବା ପ୍ରତ୍ୟେକ କାର୍ଯ୍ୟ ମହିଳା କରିପାରେ; କିନ୍ତୁ ଜଣେ ଶିଶୁଙ୍କୁ ଜନ୍ମ ଦେବା କାର୍ଯ୍ୟ କେବଳ ମହିଳା ହିଁ କରିପାରିବ। ପ୍ରଶିକ୍ଷଣ ପାଇଁ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସୁନ୍ଦରଗଡ଼ର ସମୀମା ବେଗମ, କୋରାପୁଟର ଚନ୍ଦ୍ରମଣି ଜାନି, କନ୍ଧମାଳର ବିଜୟଲକ୍ଷ୍ମୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ଭାବରେ ଆଲୋଚନା ବେଳେ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଅବସରରେ ସମୀମା ବେଗମ କହିଥି‌ଲେ, ଚାଷରେ ମହିଳାଙ୍କ ଶ୍ରମର ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ଥାଏ। କିନ୍ତୁ ଚାଷୀ କହିଲେ କେବଳ ପୁରୁଷଙ୍କୁ ବୁଝାଏ। ଏଭଳି ମାନସିକତାରେ ପରିବର୍ତ୍ତନ ତଥା ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା କାର୍ଯ୍ୟ ସେ ହାତକୁ ନେଇଥିବା କହିଥିଲେ। ଚନ୍ଦ୍ରମଣି ଜାନୀ ଛତୁ ଚାଷ ସହିତ ପୂର୍ବରୁ ଶୌଚାଳୟ ନିର୍ମାଣ ସହିତ ସରପଞ୍ଚ ଭାବରେ କାର୍ଯ୍ୟ କରିଥିବା କହିଥିଲାବେଳେ ବିଜୟଲକ୍ଷ୍ମୀ ପ୍ରଧାନ ପରିବା ଚାଷ ସମ୍ପର୍କରେ ନିଜ ଅନୁଭବ ବଖାଣିଥିଲେ।

ସମ୍ବନ୍ଧିତ ଖବର