ଅନୁଗୁଳ: ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ବାବଦରେ ଗତବର୍ଷ ଦିଆଯାଇଛି କୋଟିଏ ଟଙ୍କାରୁ ଅଧିକ। ଏମିତି ଗତ ୫ ବର୍ଷରେ ସରକାର ଅନୁଗୁଳ ଜିଲ୍ଲାରେ ବାଣ୍ଟିଛନ୍ତି ୭ କୋଟି ୬୪ ଲକ୍ଷ ଟଙ୍କା। କିନ୍ତୁ ସାପ କାମୁଡ଼ାରୁ ରକ୍ଷା ପାଇବା କିମ୍ବା ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ନେଇ ସଚେତନତା ବାବଦକୁ ଖର୍ଚ୍ଚ ଲକ୍ଷେ ଟପୁନି। ଫଳରେ ସାପ କାମୁଡ଼ା ସଂଖ୍ୟା କମିବାର ନାଁ ଧରୁନି। କେବଳ ସାପ କାମୁଡ଼ା କଥା ନୁହେଁ, ପାଣିରେ ବୁଡ଼ି ମରିବା ଓ ବଜ୍ରପାତ ଜନିତ ମୃତ୍ୟୁରେ ବି ରୋକ୍ ଲାଗୁନି। ସାପ କାମୁଡ଼ା ସମେତ ବଜ୍ରପାତ ଓ ପାଣି ବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏହି ୩ ଘଟଣାରେ ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାରେ ସାଢ଼େ ୨୦ କୋଟି ଟଙ୍କା ପ୍ରଦାନ କରାଗଲାଣି। ବର୍ଷକୁ ବର୍ଷ ସହାୟତା ରାଶି ବଢ଼ି ଚାଲିଛି। ସରକାର ବି ସହାୟତା ରାଶି ଧରାଇ ଦେଇ ଖୁସ୍। ହେଲେ ଏମିତି ଅଘଟଣକୁ କେମିତି ରୋକା ଯାଇ ପାରିବ କିମ୍ବା ମୃତ୍ୟୁସଂଖ୍ୟା କମ୍ କରିହେବ ସେ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି। କାଁ ଭାଁ କିଛି ସଚେତନତା କାର୍ଯ୍ୟକ୍ରମରେ ସୀମିତ ରହିଛି ସମୁଦାୟ ପ୍ରକ୍ରିୟା। ବଡ଼ କଥା ହେଲା, ଏହି ସଚେତନତା କାର୍ଯ୍ୟକ୍ରମ ତଳ ସ୍ତରରେ ପହଞ୍ଚି ପାରୁନି। ସରକାରୀ ବିଜ୍ଞାପନ ଓ ସଭା ଗାଁ ଗହଳି ଲୋକଙ୍କ ପାଖରେ ପହଞ୍ଚୁ ନ ଥିବାରୁ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନି। 

Advertisment

୫ ବର୍ଷରେ ଦିଆଗଲାଣି ୨୦ କୋଟି
ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୧ କୋଟି
ସାପ କାମୁଡ଼ା ପାଇଁ ୭.୬୪ କୋଟି

ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାରେ ପାଖାପାଖି ୩ ଶହ ଲୋକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କିଏ ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଯାଇଛନ୍ତି ତ କିଏ କୂଅରେ ପଡ଼ି ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଏହା ଭିତରୁ ୨୭୫ ଜଣ ଲୋକଙ୍କ ପରିବାରକୁ ସରକାରୀ ସହାୟତା ମିଳିଛି। ୨୦୨୩ରେ ସର୍ବାଧିକ ୬୮ ଜଣଙ୍କୁ ସହାୟତା ମିଳିଥିଲା ବେଳେ ୨୦୨୦ରେ ୬୦ ଜଣ, ୨୦୨୨ରେ ୫୯ ଜଣ, ୨୦୨୧ରେ ୫୭ ଜଣ ଓ ୨୦୨୪ରେ ୩୧ ଜଣଙ୍କ ପରିବାର ଏହି ସହାୟତା ରାଶି ପାଇଛନ୍ତି। ଏମିତି ଗତ ୫ ବର୍ଷରେ ୧୧ କୋଟି ଟଙ୍କା ସରକାରୀ ତହବିଲରୁ ଯାଇଛି। ସେହିପରି ଗତ ୫ ବର୍ଷରେ ସାପ କାମୁଡ଼ାରେ ୨ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହା ଭିତରୁ ୧୯୧ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ହିସାବରେ ଏମିତି ୭ କୋଟି ୬୪ ଲକ୍ଷ ଟଙ୍କା ଦିଆଯାଇଥିବା ହିସାବ କହୁଛି। ୨୦୨୦ରେ ସର୍ବାଧିକ ୫୩ ଜଣଙ୍କୁ ସହାୟତା ରାଶି ମିଳିଥିଲା ବେଳେ ୨୦୨୧ରେ ୪୭ଜଣ, ୨୦୨୨ରେ ୨୭ ଜଣ, ୨୦୨୩ରେ ୩୫ ଜଣ ଓ ୨୦୨୪ରେ ୨୯ ଜଣଙ୍କ ପରିବାରକୁ ସହାୟତା ରାଶି ମିଳିଛି। ଅପରପକ୍ଷରେ ବଜ୍ରପାତରେ ପ୍ରାଣ ହରାଇଥିବା ୪୭ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ବାବଦରେ ଗତ ୫ ବର୍ଷରେ ସରକାରଙ୍କୁ ଦେବାକୁ ପଡ଼ିଛି ପ୍ରାୟ ୨ କୋଟି ଟଙ୍କା। ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନ କରି ସହାୟତା ରାଶି ବାଣ୍ଟିବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପରିବେଶବିତ୍। ଏ ଦିଗରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ସାଥୀ ପରିବାରର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ସଚେତନତା ହିଁ ସାପ କାମୁଡ଼ା ଓ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା କମାଇପାରିବ। ହେଲେ ଏ ଦିଗରେ କାମ କରିବାକୁ ପ୍ରଶାସନ ଆଗ୍ରହ ଦେଖାଉନି। କେବଳ ଟଙ୍କା ଦେଇ ନିଜ କାମ ସାରି ଦେଉଛି। ଗ୍ରାମାଞ୍ଚଳରେ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯାଇପାରିଲେ ମୃତ୍ୟୁସଂଖ୍ୟା ନିହାତି କମିବ ବୋଲି ସେ କହିଛନ୍ତି।