ପୁରୀ : ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ। ଅବାଟରେ ଖର୍ଚ୍ଚ ହେଉଛି ଭକ୍ତଙ୍କ ଦାନ। ଆୟରେ ଶ୍ରୀମନ୍ଦିର ପ୍ରଶାସନ ବହୁ ପଛରେ ପଡ଼ିଥିବା ବେଳେ ବହୁଗୁଣା ବ୍ୟୟ ଏବେ ଚିନ୍ତା ବଢ଼ାଇଲାଣି। ଶ୍ରୀମନ୍ଦିରର ତିନି ଭକ୍ତ ନିବାସ କିଭଳି କ୍ଷତିରେ ଚାଲିଛି, ତାର ତଥ୍ୟ ପ୍ରମାଣ ନିକଟରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ରଥଯାତ୍ରା, ଚନ୍ଦନଯାତ୍ରାରେ ପ୍ରାପ୍ୟ ପାଉଣାକୁ ନେଇ ଯେଉଁ ରୋଚକ ତଥ୍ୟ ଆସିଛି, ତାହା ମୁଣ୍ଡରେ ହାତ ଦେବା ଭଳି। ଯେଉଁଠି ମାତ୍ର ୧୫ ଲକ୍ଷର ଖର୍ଚ୍ଚ ଅଟକଳ କରାଯାଇଥିଲା, ସେଠି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ଏପ୍ରିଲରୁ ଜୁନ୍‌ ଖର୍ଚ୍ଚ ଦେଖିଲେ, ଯେଉଁଠି ୨ କୋଟି ଟଙ୍କା ଭିତରେ ଖର୍ଚ୍ଚ ଅଟକଳ କରାଯାଇଥିଲା, ସେଠି ୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହା ଭକ୍ତ, ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

Advertisment

୨୦୨୨ ମସିହା ଏପ୍ରିଲରୁ ଜୁନ୍‌ ମାସର ତଥ୍ୟ ଉପରେ ନଜର ପକାଇଲେ, ରଥଯାତ୍ରା ପାଇଁ କେବଳ ରଥଖଳା ପାଉଣା ବାବଦକୁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୧ କୋଟି ୨୧ଲକ୍ଷ ୮୧ହଜାର ୧୬୫ ଟଙ୍କା। ବ୍ୟୟ ଅଟକଳ ତୁଳନାରେ ରଥଖଳା ପାଉଣା ୧କୋଟି ୬ଲକ୍ଷ ୮୧ହଜାର ୧୬୫ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ସେହିଭଳି ଚନ୍ଦନଯାତ୍ରାରେ ୫ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଖର୍ଚ୍ଚ ହୋଇଛି ୧୧ଲକ୍ଷ ୨୮ହଜାର ୮୫୦ ଟଙ୍କା। ଅଟକଳ ଖର୍ଚ୍ଚ ତୁଳନାରେ ୫ଲକ୍ଷ ୭୮ହଜାର ୮୫୦ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ନୀତିକାନ୍ତିରେ ବ୍ୟବହୃତ ଘିଅ, ଲହୁଣି ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୩ଲକ୍ଷ ୭୫ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୫ଲକ୍ଷ ୪ହଜାର ୬୩୦ ଟଙ୍କା। ଏ ବାବଦକୁ ୧ଲକ୍ଷ ୨୯ହଜାର ୬୩୦ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ସେବକଙ୍କ ଧ୍ବଜା ପାଉଣା ୮ଲକ୍ଷ ୭୫ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୧୩ଲକ୍ଷ ୮୩ହଜାର ୯୯୪ ଟଙ୍କା। ଏ ବାବଦକୁ ୫ଲକ୍ଷ ୮ହଜାର ୯୯୪ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି।

ରଥଖଳା ଅଟକଳ ୧୫ ଲକ୍ଷ, ଖର୍ଚ୍ଚ ୧.୨୧ କୋଟି
ଚନ୍ଦନଯାତ୍ରା ସେବକ ପ୍ରାପ୍ୟ ଅଟକଳ ୫.୫୦ ଲକ୍ଷ, ଖର୍ଚ୍ଚ ୧୧.୨୮ ଲକ୍ଷ

publive-image

ବିମାନବଡ଼ୁଙ୍କ ପାଉଣା ବାବଦକୁ ୧ଲକ୍ଷ ୬୬ହଜାର ୨୫୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୬ଲକ୍ଷ ୬୪ହଜାର ୩୩୫ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ବାବଦରେ ୪ଲକ୍ଷ ୯୮ହଜାର ୮୫ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ସେବକ ସ୍ବାସ୍ଥ୍ୟ ବୀମା ବାବଦକୁ ୭୬ଲକ୍ଷ ୭୫ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୩ କୋଟି ୧୦ଲକ୍ଷ ୯୨ହଜାର ୪୮୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ବାବଦକୁ ୨ କୋଟି ୩୨ଲକ୍ଷ ୧୭ହଜାର ୪୮୦ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ସେବକ ବୀମା ବାବଦରେ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୩ଲକ୍ଷ ୫୪ହଜାର ଟଙ୍କା। ଏ ବାବଦରେ ୫୪ହଜାର ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ବିଦ୍ୟୁତ ସରଞ୍ଜାମ କିଣାକିଣି ଓ ରକ୍ଷଣାବେକ୍ଷଣ ବାବଦକୁ ୩୧ଲକ୍ଷ ୨୫ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୪୮ଲକ୍ଷ ୪୭ହଜାର ୭୭୪ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ବାବଦରେ ୧୭ଲକ୍ଷ ୨୨ହଜାର ୭୭୪ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। କଣ୍ଟିଜେନ୍ସି ପାଣ୍ଠିରୁ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୩ଲକ୍ଷ ୨୬ହଜାର ୧୧୬ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ବାବଦରେ ୨୬ହଜାର ୧୧୬ ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ଏଭଳି ହିସାବ କଲେ ଗତ ଏପ୍ରିଲରୁ ଜୁନ୍‌ ଭିତରେ ପ୍ରାୟ ୧.୮୦ କୋଟି ବ୍ୟୟ ଅଟକଳ କରାଯାଇଥିବାବେଳେ ଖର୍ଚ୍ଚ ହୋଇଛି ପ୍ରାୟ ୬ କୋଟି।

ରଥଯାତ୍ରାର ରଥଖଳାର ଏହି ଅତିରିକ୍ତ ଖର୍ଚ୍ଚ ଡବଲ ପାଉଣା ଯୋଗୁ ବୃଦ୍ଧି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି। ସେହିଭଳି ଚନ୍ଦନଯାତ୍ରାରେ ଅଧିକ ପାଳିଆ ନିୟୋଜିତ ହୋଇଥିବାରୁ ସେବକ ପାଉଣା ବୃଦ୍ଧି ହୋଇଥିବା କୁହାଯାଇଛି। ନୀତିକାନ୍ତିରେ ଘିଅ, ଲହୁଣି ଆଦି ସାମଗ୍ରୀ ଅଧିକ ପରିମାଣର ଲାଗିଥିବାରୁ ଏହି ଖର୍ଚ୍ଚ ବୃଦ୍ଧି ପାଇଥିବା କୁହାଯାଇଛି। ସେହିଭଳି ଧ୍ବଜା ସଂଖ୍ୟା ବଢ଼ିଥିବାରୁ ଧ୍ବଜା ପାଉଣା ବଢ଼ିଥିବା କୁହାଯାଇଛି। ବିମାନବଡ଼ୁ ସେବକଙ୍କୁ ଏକକାଳୀନ ଏତେ ଟଙ୍କା ପାଉଣା ଆକାରରେ ପ୍ରଦାନର ଅଜବ କାରଣ ଦର୍ଶାଇଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଠି ‌ତୈ ମାସିକ ପାଉଣା ପ୍ରଦାନ କରାଯିବା କଥା, ସେଠି ଯେହେତୁ ଏକକାଳୀନ ଏହି ଟଙ୍କା ପ୍ରଦାନ କରାଯାଇଛି, ତେଣୁ ପାଉଣା ବୃଦ୍ଧି ଘଟିଛି ବୋଲି ଦର୍ଶାଯାଇଛି। ସେବକ ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମା କଥାରେ ବି ସମାନ କଥା ଦୋହରାଯାଇଛି। ବିଦ୍ୟୁତ ଖର୍ଚ୍ଚ ବୃଦ୍ଧି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଇଡ୍‌କୋକୁ ଏହି ଟଙ୍କା ପ୍ରଦାନ କରାଯାଇଛି। ୨୦୦୭-୦୮ରୁ ୨୦୧୦-୧୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଇଡ୍‌କୋ ଯେଉଁ ଆଡ୍‌ଭାନ୍ସ ଟଙ୍କା ଦେଇଥିଲା, ସେ ବାବଦ ଖର୍ଚ୍ଚ ବି ଏଥିରେ ମିଶାଯାଇଛି। ସେଥିପାଇଁ ତିନି ମାସର ବିଦ୍ୟୁତ୍‌ ଖର୍ଚ୍ଚ ବୃଦ୍ଧି ଘଟିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି।