ଆକାଉଣ୍ଟ୍ ଖାଲି କରିଦେଉଛି ଗେମିଂ ଆପ୍ ‘ଫ୍ରି ଫାୟାର’

ଶିକାର ହେଉଛନ୍ତି ନିରୀହ କିଶୋର ଛାତ୍ରଛାତ୍ରୀ

ଏୟାରଡ୍ରପ୍ କିଣିବା ଚକ୍କରରେ କଟୁଛି ଟଙ୍କା
ପବ୍‌ଜି ବ୍ୟାନ ପରେ ଲକଡାଉନ୍‌ରେ ସାଜିଛି ମନୋରଞ୍ଜନର ପ୍ରମୁଖ ମାଧ୍ୟମ

ବାରିପଦା : ଆଜିର ଯୁଗ ହେଉଛି ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ୍‌ର। ହାଇସ୍କୁଲରେ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ହାତରେ ଏବେ ରହିଛି ସ୍ମାର୍ଟ ଫୋନ୍। ବିଶେଷକରି କରୋନାଜନିତ ଲକ୍‌ଡାଉନ ଏବଂ ଅନ୍‌ଲାଇନ ପାଠପଢ଼ା ଖୁବ୍ କମ୍ ବୟସର ଛାତ୍ରଛାତ୍ରୀଙ୍କ ହାତରେ ମୋବାଇଲ୍ ଧରେଇଦେଇଛି। ମାତ୍ର ଏହା କେତେକ କ୍ଷେତ୍ରରେ ବିପଦର କାରଣ ସାଜୁଥିବା ପରିଲକ୍ଷିତ ହେଉଛି। ସ୍କୁଲ୍ କିମ୍ବା କଲେଜରେ ପଢ଼ୁଥିବା ଆପଣଙ୍କ ସନ୍ତାନ ମୋବାଇଲରେ ଗେମ୍ ଖେଳୁଛନ୍ତି କି? ତେବେ ବେଳ ଥାଉ ଥାଉ ଆପଣ ସାବଧାନ ହୋଇଯାଆନ୍ତୁ। କାରଣ ଏହି ଖେଳ ଆପଣଙ୍କ ପାଇଁ କାଳ ସାଜିପାରେ।

ପବ୍‌ଜି ଗେମ୍ ବ୍ୟାନ୍ ପରେ ଲକ୍‌ଡାଉନରେ ଫ୍ରି ଫାୟାର୍ ଗେମିଂ ଆପ୍ ଏବେ କମ୍ ବୟସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ମାତ୍ର ଏହି ଗେମ୍ ଖେଳି ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜ ଅଭିଭାବକଙ୍କ ଆକାଉଣ୍ଟ୍ ଖାଲି କରିଦେଉଥିବା ଭଳି ଦୃଷ୍ଟାନ୍ତ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ନଜରକୁ ଆସିଛି। ଆଜିକାଲି ସମସ୍ତଙ୍କ ସ୍ମାର୍ଟ ଫୋନରେ ରହିଛି ଅନ୍‌ଲାଇନ ଟଙ୍କା କାରବାର କରିବାର ବିଭିନ୍ନ ବ୍ୟବସ୍ଥା। ସେହିପରି ଏହି କୈଶୋରରେ ପାଦ ଦେଉଥିବା ଏହି ଛାତ୍ରଛାତ୍ରୀଙ୍କୁ ଘର ମୋବାଇଲରେ ହିଁ ପାଠ ପଢ଼ିବା ଏବଂ ଗେମ୍ ଖେଳିବାକୁ ଦିଆଯାଇଥାଏ । ମାତ୍ର ଏହା ହିଁ ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ବାରିପଦାରେ ରହୁଥିବା ଏକ ପରିବାରର ହାଇସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ଏହି ଫ୍ରି ଫାୟାର୍ ଗେମ୍ ଖେଳି ପ୍ରାୟ ୨୦ହଜାରରୁ ଊର୍ଧ୍ବ ଟଙ୍କା ହରାଇଛନ୍ତି। ସେହିପରି ଆଉ ଜଣେ ଅଭିଭାବକ ମଧ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ଫ୍ରି ଫାୟାର୍ ଗେମ୍ ଏକ ବ୍ୟାାଟେଲ୍ ରୟାଲ୍ ଗେମ୍। ଏହି ଗେମର ଏକ ଷ୍ଟେଜରେ ଗୋଟିଏ ଗୋଟିଏ ସ୍ପେଶିଆଲ୍ ଏୟାରଡ୍ରପ୍ ଆସିଥାଏ। ଏହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବହୁ ପ୍ରତିଯୋଗୀ ଖେଳିପାରୁଥିବା ଏହି ଅନ୍‌ଲାଇନ ଗେମର କ୍ଲାସ୍ ସ୍କୋର୍ଡ ବୋଲି ଏକ ମୋଡ୍ ରହିଛି। ଯେଉଁଠି ଉଭୟ ଖେଳାଳୀ ଚ୍ୟାଲେଞ୍ଜ୍ ଲଗାଇ ଗେମ୍ ଆରମ୍ଭ କରିଥାଆନ୍ତି। ଏହି ଅବସରରେ ନିଜ ନିଜର ପସନ୍ଦ ଅନୁସାରେ ବିଭିନ୍ନ ଗେମିଂ ଆଇକନ୍ କିଣିବାକୁ ପଡ଼ିଥାଏ। ଏଥିପାଇଁ ନିଜର ଆକାଉଣ୍ଟ୍ ବିବରଣୀ ମଧ୍ୟ ଦେବାକୁ ପଡ଼ିଥାଏ। ମାତ୍ର ଏହା କରିବା ଦ୍ବାରା ଉକ୍ତ ଆକାଉଣ୍ଟ୍ରୁ କେତେବେଳେ ଟଙ୍କା କଟିଯାଏ ତାହା ଜଣାପଡ଼ିନଥାଏ।

କରୋନା ସମୟରେ ଘରେ ଅନଲାଇନରେ ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ହାତରେ ମୋବାଇଲ୍ ଦେବାକୁ ବାଧ୍ୟ ହେଉଛନ୍ତି ପିତାମାତା। ଗେମ୍ ଖେଳୁଥିବା ସମୟରେ ଛାତ୍ରଛାତ୍ରୀମାନେ ଆକାଉଣ୍ଟ୍ ନମ୍ବର ଦେବା ସହିତ ପାସୱାର୍ଡ ଦେଇଦିଅନ୍ତି। ଏହାର ଲାଭ ନେଉଛନ୍ତି ଗେମ୍ ହ୍ୟାକରମାନେ। ରୀତିମତ ଏନେଇ ଜାତୀୟ ସ୍ତରରେ ଏକ ରୢାକେଟ୍ କାମ କରୁଥିବା ସନ୍ଦେହ ହେଉଛି। କାରଣ ସେମାନେ ନୂଆ ନୂଆ ପିଲାମାନଙ୍କ ସହିତ ଗେମ୍ ଆରମ୍ଭ କରି ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣିବାକୁ ପ୍ରବର୍ତ୍ତାଇଥାଆନ୍ତି। ଯେଉଁଥିପାଇଁ ଅର୍ଥ ଦେବାକୁ ପଡ଼ିଥାଏ। ଏହାକୁ ବୁଝିନପାରି ହ୍ୟାକରଙ୍କ ଶିକାର ହୋଇଥାଆନ୍ତ ନିରୀହ ଛାତ୍ରଛାତ୍ରୀ। କେବଳ ବାରିପଦାରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିଛି। ଜଣେ ଅଭିଭାବକଙ୍କର ତ’ ଆକାଉଣ୍ଟ୍ ପୁରା ଖାଲି ହୋଇଯାଇଛି। ଟଙ୍କା ନଉଠିବାରୁ ବ୍ୟାଙ୍କକୁ ଯାଇ ବୁଝିବାରୁ ଏମିତି ଗେମିଂ କାରଣରୁ ଟଙ୍କା କଟିଯାଇଥିବା ଜଣାପଡ଼ିଥିଲା। ସେହିପରି ଆଉ ଜଣେ ଅଭିଭାବକଙ୍କର ମଧ୍ୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା କଟିଛି। ପରେ ଯାଇ ଘରେ ପଚାରିବାରୁ ପିଲାମାନେ ଏହି କଥା ମାନିଥିଲେ। ଭୟରେ ପ୍ରଥମେ ଏହି ବିଷୟରେ ଘରେ କେହି ପ୍ରକାଶ କରୁନଥିବା ଜଣାପଡ଼ିଛି। ବାରିପଦାରେ ଥିବା ଅନେକ ଘରୋଇ ଏବଂ ସରକାରୀ ବ୍ୟାଙ୍କକୁ ଏହିପରି ଅନେକ କେସ୍ ଆସୁଛି। ମାତ୍ର ବିଭିନ୍ନ କାରଣରୁ କେହି ଥାନାରେ ମାମଲା ରୁଜୁ କରିବାକୁ ରାଜି ହେଉନାହାନ୍ତି।

ଏନେଇ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ଶିଶୁମନୋସ୍ତତ୍ତ୍ବବିତ୍‌ମାନେ ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ଅଯଥା ମୋବାଇଲ୍ ବ୍ୟବହାରରୁ ଦୂରେଇ ରଖିବାକୁ ଅଭାଭାବକମାନେ ଚେଷ୍ଟା କରିବା ଦରକାର। ବିଶେଷକରି ନିଜ ସନ୍ତାନ ମୋବାଇଲରେ କେଉଁ ଗେମ୍ ଖେଳୁଛି ସେନେଇ ସଚେତନ ରହିବା ଆବଶ୍ୟକ। ପରିବାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କରର ଏକ୍ଷେତ୍ରରେ ବହୁତ ବଡ଼ ଭୂମିକା ଅଛି। ଯେହେତୁ ବୟସ ବଢ଼ିବା ସହିତ ହାଇସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ନୂଆ ନୂଆ କଥା ଜାଣିବାକୁ ଆଗ୍ରହ ରହିଛି। ତେଣୁ ଏନେଇ ସେମାନଙ୍କ ସହିତ ଖୋଲା ଆଲୋଚନା କରିବା ନିହାତି ଆବଶ୍ୟକ। ମୋବାଇଲର ଭଲ ଏବଂ ଖରାପ ବ୍ୟବହାର ସମ୍ପର୍କରେ ଖୋଲା ଆଲୋଚନା କଲେ ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଚାଇଲ୍ଡ ଲାଇନ, ମୟୂରଭଞ୍ଜର ସଂଯୋଜକ ପ୍ରମୋଦ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଭାରତରେ ଅବସ୍ଥାପିତ ସିଙ୍ଗାପୁରର ଗାରେନା କମ୍ପାନୀ ପକ୍ଷରୁ ଭାରତ ସମେତ ବ୍ରାଜିଲ, ମେକ୍ସିକୋ ଏବଂ ଦକ୍ଷିଣପୂର୍ବ ଏସିଆରେ ଏହି ଗେମ୍‌ର ପ୍ରବର୍ତ୍ତନ କରିଥିଲା। ସେହିପରି ୧୧୧ଡଟ୍ସ ଷ୍ଟୁଡିଓ ସାରା ବିଶ୍ବରେ ଏହି ଗେମ୍‌କୁ ପ୍ରଚାର ପ୍ରସାର କରିଛି। ୨୦୧୭ରେ ଟେଷ୍ଟିଂ ଆରମ୍ଭ ହୋଇଥିବା ଏହି ଗେମ୍‌କୁ ଗୁଗଲ୍ ପ୍ଲେଷ୍ଟୋର୍‌ରୁ ୫୦୦ମିଲିୟନ୍‌ରୁ ଊର୍ଧ୍ବ ଡାଉନଲୋଡ୍ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟଯେ ଏହି ଗେମ୍ ଖେଳି କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରୁ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ଅଛି। ପୂର୍ବରୁ ମଧ୍ୟ ବ୍ଲୁହ୍ବେଲ୍ ଏବଂ ପବ୍‌ଜି ଖେଳି ଅନେକ ଛାତ୍ରଛାତ୍ରୀ ହାତ କାଟିବା ସହିତ ଜୀବନହାନୀ ଘଟିବାର ନଜିର ରହିଛି।

ସମ୍ବନ୍ଧିତ ଖବର