ଯୁବକକୁ ଅପହରଣ ଉଦ୍ୟମ ସହ ୨ ଜଣଙ୍କୁ ହାଣି ଖସି ପଳାଉଥିଲେ
ଭୁବନେଶ୍ୱର : ରାଜଧାନୀରେ ଏନ୍କାଉଣ୍ଟ ପରେ ଏନ୍କାଉଣ୍ଟର। ଆଜି କ୍ରମାଗତ ଦ୍ୱିତୀୟ ଦିନରେ କମିସନରେଟ୍ ପୁଲିସର ଗୁଳିରେ ଜଣେ ଅପରାଧୀ ଗୁରୁତର ଆହତ ହୋଇଛି। ମଙ୍ଗଳବାର ଅପରାହ୍ଣରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ଡକାୟତ ଦଳକୁ ଧରିବାକୁ ଯାଇ ପୁଲିସ ଗୁଳି ଚଳାଇ ଦୁଇ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଧରିଥିଲା। ବୁଧବାର ରାତିରେ କିଛି ଦୁର୍ବୃତ୍ତ ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକକୁ ଅପହରଣ ଉଦ୍ୟମ କରିବା ସହ ଦୁଇ ଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଖସି ପଳାଉଥିବାବେଳେ ପୁରୀ ବାଇପାସ୍ ରୋଡ଼ରେ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ପୁଲିସ ଗୁଳି ଚଳାଇ ୩ ଜଣଙ୍କୁ କାବୁ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମେଜୟ ରାଉତ ନାମକ ଜଣେ ଅପରାଧୀକୁ ଗୁଳି ବାଜିଥିବାରୁ ତା’କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି।
/sambad/media/post_attachments/wp-content/uploads/2018/01/encou2-169x300.jpg)
ମିଳିଥିବା ସୂଚନାନୁଯାୟୀ ଆଜି ରାତିରେ ଏହି ଦୁର୍ବୃତ୍ତମାନେ ଏକ ବୋଲେରୋରେ ଆସି ବଡ଼ଗଡ଼ ମେଘେଶ୍ୱରୀ କଲୋନିରେ ଥିବା ଏକ ଗ୍ୟାରେଜ ନିକଟରେ ଚିଣ୍ଟୁ ମାହାନ୍ତି ନାମକ ଜଣେ ଯୁବକଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ତେବେ କିଛିି ସ୍ଥାନୀୟ ଯୁବକ ଏହା ଦେଖି ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଯୁବକମାନଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ତେବେ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେମାନେ ଚିଣ୍ଟୁଙ୍କ ଅପହରଣ ଯୋଜନାକୁ ପଣ୍ଡ କରି ଦେଇଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।
ଖବର ପାଇ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସର ଏକ ଟିମ୍ ହାଣ ଖାଇଥିବା ୨ ଜଣ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିବାବେଳେ ଅନ୍ୟ ଏକ ଟିମ୍ ବୋଲେରୋରେ ଖସି ପଳାଉଥିବା ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ। ତେବେ ପୁରୀ ବାଇପାସ୍ ରୋଡ଼ରେ ପୁଲିସ ସେମାନଙ୍କୁ ଘେରିଯିବାରୁ ଦୁର୍ବୃତ୍ତମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୁଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନଙ୍କ ମଧ୍ୟରୁ ଜନ୍ମେଜୟ ରାଉତ ନାମକ ଜଣେ ଦୁର୍ବୃତ୍ତ ଦେହରେ ଗୁଳି ବାଜିଥିଲା। ଏହାପରେ ପୁଲିସ ଜନ୍ମେଜୟ ସମେତ ତିନି ଜଣ ଦୁର୍ବୃତ୍ତଙ୍କୁ ମାଡ଼ି ବସିଥିଲା। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିବାବେଳେ ଗୁଳିମାଡ଼ରେ ଆହତ ଜନ୍ମେଜୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/badagada-encounter-1.jpg)