ଭୁବନେଶ୍ବର: ପୁଣି ଗର୍ଜିଛି କମିସନରେଟ୍ ପୁଲିସ ବନ୍ଧୁକ। ଗତକାଲି ବିଳମ୍ବିତ ରାତିରେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଏନ୍କାଉଣ୍ଟର୍ କରି କୁଖ୍ୟାତ ନିଶା ମାଫିଆ ସେକ୍ ଜାମ୍ସେଦ୍ (୩୨)କୁ ଘାଇଲା କରିଛି। ପୁରୀ ବାଇପାସ୍ରେ ବଡ଼ଗଡ଼ ଥାନା ଝାରପଡ଼ା ମଙ୍ଗରାଜ ପଏଣ୍ଟସ୍ଥିତ ଚନ୍ଦ୍ରଭାନୁନଗରରେ ରହୁଥିବା ଜାମ୍ସେଦ୍ (୩୨)ର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି। ପୁଲିସ ତା’ ନିକଟରୁ ୨୦୦ ଗ୍ରାମ ବ୍ରାଉନ୍ସୁଗାର, ଗୋଟିଏ ମାଉଜର୍, ୨ ଲୋଡେଡ୍ କ୍ୟାଟ୍ରିଜ୍ ଓ ବାଇକ୍ ଜବତ କରିଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଏନ୍କାଉଣ୍ଟର୍ ଓ ଜାମ୍ସେଦର ନିଶା ସାମ୍ରାଜ୍ୟ ଉପରେ ବିବରଣୀ ଦେଇଥିଲେ।
୨୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର୍ ସହିତ ମାଉଜର୍ ଓ ୨ କ୍ୟାଟ୍ରିଜ୍ ଜବତ
ଜାମ୍ସେଦ୍ ପଶ୍ଚିମବଙ୍ଗ ଓ ନେପାଳରୁ ବ୍ରାଉନ୍ସୁଗାର ଆଣି କଟକ, ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପଠାଉଥିଲା। ସେ ଏତେ ବିଚକ୍ଷଣ ଥିଲା ଯେ ଅନେକ ଥର ପୁଲିସକୁ ଚକ୍ମା ଦେଇ ଖସିଯାଉଥିଲା। ତେଣୁ ଏଡିସିପି ଅନୁପ କାନୁନ୍ଗୋଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗୁରୁବାର ଦିନ ଜାମ୍ସେଦ୍ ବଡ଼ଧରଣର ଡିଲ୍ କରିବାକୁ ଯୋଜନା କରୁଥିବା ନେଇ ଏସ୍ସିୟୁ ହାତରେ ଖବର ଲାଗିଥିଲା। ତୁରନ୍ତ ଏଡିସିପି ଶ୍ରୀ କାନୁନ୍ଗୋ ତାଙ୍କ ଟିମ୍କୁ ନେଇ ଜାମ୍ସେଦ୍ର ପିଛା କରିଥିଲେ। ଗୁରୁବାର ରାତି ପାଖାପାଖି ୩ଟା ୪୫ ସମୟରେ ସେ ବାଇକ୍ରେ ବ୍ରାଉନ୍ସୁଗାର ଧରି ଜୟଦେବବାଟିକା ଆଡ଼ୁ ଆସୁଥିବା ବେଳେ ପିଛା କରୁଥିବା ଏସ୍ସିୟୁର ଟିମ୍ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖି ଜାମ୍ସେଦ୍ ରାସ୍ତାରେ ବାଇକ୍ ଫୋପାଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲା। ପୁଲିସ ଗୋଡ଼ାଇବାରୁ ସେ ଆଖିବୁଜା (ପ୍ରାୟ ୮/୧୦ ରାଉଣ୍ଡ) ଗୁଳି ଚଳାଇଥିଲା। ମାତ୍ର ପୁଲିସର ପାଲଟା ଗୁଳି ଚାଳନାରେ ସେ ଆହତ ହୋଇଥିଲା। ପୁଲିସ ୨ ରାଉଣ୍ଡ ଗୁଳି କରିଥିଲା ଏବଂ ଗୋଟିଏ ଗୁଳି ତାର ବାମ ଗୋଡ଼ରେ ବାଜିଥିଲା। ପୂର୍ବରୁ ତା’ ନାଁରେ ୪ରୁ ଅଧିକ ଆପରାଧିକ ମାମଲା ରହିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରିରୁ ଏ ପର୍ଯ୍ୟନ୍ତ କମିସନରେଟ୍ ପୁଲିସ ୪ଟି ଏନ୍କାଉଣ୍ଟର କଲାଣି ଏବଂ ୫ଜଣ ପୁଲିସ ଗୁଳିରେ ଘାଇଲା ହେଲେଣି।