ଛତିଶଗଡ଼ରେ ଏନ୍‌କାଉଣ୍ଟର୍‌: ୨୯ ମାଓବାଦୀ ନିପାତ

ମାଲକାନଗିରି/ରାୟପୁର: ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ସୁରକ୍ଷା ବାହିନୀ। ଏନ୍‌କାଉଣ୍ଟରରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପା‌ଟୋଲା ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇଛନ୍ତି। ନିହତମାନଙ୍କ ମଧ୍ୟରେ ରହିଛି ଟପ୍‌ କମାଣ୍ଡର ଶଙ୍କର ରାଓ। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଯୋଜନାବଦ୍ଧ ହମ୍‌ଲା ହୋଇଥିବାରୁ ସୁରକ୍ଷା କର୍ମୀଙ୍କ ବିଶେଷ କ୍ଷୟକ୍ଷତି ହୋଇନାହିଁ। ତଥାପି ୩ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟରେ କାଙ୍କେର ଲୋକସଭା ଆସନ ନିମନ୍ତେ ମତଦାନ ହେବ। ଏଥିପାଇଁ ରାଜ୍ୟ ପୁଲିସ ସହ କେନ୍ଦ୍ରୀୟ ବଳ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଆଧାରରେ ସୁରକ୍ଷା କର୍ମୀ କମ୍ବିଂ ଅପରେସନକୁ ଜୋର୍‌ଦାର କରିଛନ୍ତି। ଅନ୍ୟପଟେ ବନ୍ଧୁକ ମୁନରେ ନିର୍ବାଚନକୁ ଭଣ୍ଡୁର ଉଦ୍ଦେଶ୍ୟରେ ମାଓବାଦୀ ହାପା‌ଟୋଲା ଜଙ୍ଗଲରେ ହତିଆର ଜମା କରୁଥିଲେ। ବଡ଼ ହିଂସାରେ ଜଡ଼ିତ କୁଖ୍ୟାତ ତଥା ଟପ୍‌ ମାଓବାଦୀ ମଧ୍ୟ ନିଜ ଅଞ୍ଚଳ ଛାଡ଼ି ଏହି କ୍ୟାମ୍ପରେ ପହଞ୍ଚିଥିଲେ। ଏହି ଖବର ସ୍ଥାନୀୟ ପୁଲିସ ନିକଟରେ ପହଞ୍ଚିବା ପରେ ଆଜି ପୂର୍ବାହ୍ଣରେ ବିଏସ୍‌ଏଫ୍‌ ଓ ଡିଆର୍‌ଜି ଯବାନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀଙ୍କ ଠିକଣାକୁ ଚାରିପଟୁ ଘେରିଯାଇ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ପାଲଟା ଜବାବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଦେଇଥିଲେ ମାଓବାଦୀ। ଘନଘନ ଗୁଳି ବର୍ଷଣରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ୫୦ ପାଖାପାଖି ମାଓବଦୀଙ୍କ ଉପସ୍ଥିତି ରହିଥିବା ବେଳେ ବହୁ କଷ୍ଟରେ ଅଳ୍ପ କିଛି ମାଓବାଦୀ ଜବୀନ ବଞ୍ଚାଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି। ଏସ୍‌ପି ଇନ୍ଦ୍ର କଲ୍ୟାଣୀଙ୍କ ସୂଚନା ଅନୁସାରେ, ଆଜି ସଂଧ୍ୟା ସୁଦ୍ଧା ୨୯ ମାଓବାଦୀଙ୍କ ଶବ ଠାବ ହୋଇଛି। ସେଥିରେ ଟପ୍‌ ନକ୍ସଲ କମାଣ୍ଡର ଶଙ୍କର ରାଓଙ୍କ ଶବ ରହିଛି। ଶଙ୍କରଙ୍କ ମୁଣ୍ଡ ପାଇଁ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଇନ୍‌ସାସ୍‌, ଏକେ-୪୭, କାର୍‌ବାଇନ୍‌, ଏସ୍‌ଏଲ୍‌ଆର୍‌ ଭଳି ଅତ୍ୟାଧୁନିକ ଅସ୍ତ୍ର ସହ ୩୦୩ ବନ୍ଧୁକ ମିଳିଛି।

ସମ୍ବନ୍ଧିତ ଖବର