କେନ୍ଦ୍ରାପଡ଼ା/ ଡେରାବିଶ : କେନ୍ଦ୍ରାପଡ଼ା ସମେତ ପଡ଼ୋଶୀ ଯାଜପୁର ଜିଲ୍ଲାରେ ୧୫ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ଲାଲା ଓରଫ ଶେଖ୍ ମୋଜାମିଲ୍ ଖାଁ (୩୪) ଆଜି ପୁଲିସ ଏନ୍କାଉଣ୍ଟରରେ ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଲାଲା ନିକଟରୁ ଗୋଟିଏ ବନ୍ଧୁକ ସହିତ ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲାଲାର ଘର ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଗ୍ରାମରେ। ତାକୁ ଧରିବା ପାଇଁ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପୁଲିସ ବାରମ୍ବାର ଜାଲ ବିଛାଇ ବିଫଳ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଲାଲା ଘରକୁ ଆସିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏସ୍ପି ନିତିଶେଖରଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ୍ ସ୍କ୍ଵାଡ ଅଧିକାରୀ ପି. କେ. କାନୁନ୍ଗୋ ଓ ସଦର ଥାନା ଅଧିକାରୀ କାବୁଲି ବାରିକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଗତକାଲି ମଧ୍ୟରାତ୍ରରେ ଲାଲାକୁ ଧରିବା ପାଇଁ ତା’ ଘର ଚାରିପଟେ ଜାଲ ବିଛାଇଥିଲେ। ଏ ସମ୍ପର୍କରେ ଜାଣିପାରି ଲାଲା ଆଜି ଭୋରରୁ ଘରୁ ଫେରାର ହେବାକୁ ଉଦ୍ୟମ କରିଥିଲା। ଗ୍ରାମରୁ ବାହାରି କେନ୍ଦ୍ରାପଡ଼ା-ଗୋଲରାହାଟ ରାସ୍ତାରେ ଅଳାବାଙ୍କ ଆଡ଼େ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତା’ ପଛରେ ଦୌଡ଼ିଥିଲେ। ଲାଲା ରିଭଲଭର୍ କାଢ଼ି ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ପୁଲିସ ବାଧ୍ୟ ହୋଇ ତା’ ଉପରକୁ ୨ରାଉଣ୍ଡ ଗୁଳି ଫୁଟାଇଥିଲା। ଗୁଳି ଲାଲାର ବାମଗୋଡ଼ ଆଣ୍ଠୁ ତଳକୁ ପଛପଟେ ବାଜିଥିଲା। ନିର୍ମାଣାଧୀନ ରେଳବାଇ କ୍ରସିଂ ନିକଟ ରାସ୍ତାରେ ସେ ତଳେ ପଡ଼ିଯାଇଥିଲା ଓ ତା’ହାତରୁ ବନ୍ଧୁକ ଛିଟ୍କି ପଡ଼ିଥିଲା। ଏହି ମଉକାରେ ପୁଲିସ ତାକୁ କାବୁ କରି ନେଇଥିଲା। ତାକୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।