ସମ୍ବଲପୁର/ରେଙ୍ଗାଲି: ହତ୍ୟା ଉଦ୍ୟମ, ଡକାୟତି, ଚୋରା ବନ୍ଧୁକ କାରବାର, ଚୋରି ସମେତ ୨୧ରୁ ଅଧିକ ସଙ୍ଗିନ ମାମଲା ଥିବା କୁଖ୍ୟ‌ାତ ଅପରାଧୀ ଦୀପକ ମଣ୍ଡଳ (୩୭)କୁ ଏନ୍‌କାଉଣ୍ଟର କରିଛି ପୁଲିସ। ଦୀପକକୁ ଲକ୍ଷ୍ୟ କରି ପୁଲିସ ୨ ରାଉଣ୍ଡ ଗୁଳି ଚଳାଇଥିବାବେଳେ ଦ୍ବିତୀୟଟି ତାର ଡାହାଣ ଗୋଡ଼ରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରେଙ୍ଗାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ବିପଦମୁକ୍ତ ଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର। ଦୀପକ ସମ୍ବଲପୁର ସହର ଦେହେରିପାଲିର ବାସିନ୍ଦା। ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ, ୩ ମାସ ହେଲା ବୁର୍ଲା ଡକାୟତି ମାମଲାରେ ଫେରାର ଥିବା ଦୀପକ ମଣ୍ଡଳକୁ ପୁଲିସ ଖୋଜୁଥିଲା। ଆଜି ସେ ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲାରେ ବୁଲାବୁଲି କରୁଥିବା ରେଙ୍ଗାଲି ଥାନା ଅଧିକାରୀଙ୍କୁ ସୂଚନା ମିଳିଥିଲା। ରେଙ୍ଗାଲି ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ତା’ର ପିଛା କରିବାବେଳେ ରମ୍ପେଲା ଜଙ୍ଗଲରେ ପୁଲିସ ଓ ଦୀପକ ମୁହାଁମୁହିଁ ହୋଇଥିଲେ।

Advertisment

ଅଚାନକ ଦୀପକ ପୁଲିସ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ଦେଖି ଦୀପକ ଉପରକୁ ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ ପ୍ରଦୀପ ପାଲଟା ଗୁଳିଚାଳନା କରିଥିଲେ। ଯେଉଁଥିରେ ସେ ଆହତ ହୋଇଥିଲା। ୨୦୦୬ ମସିହାରେ ଏକ ମାଡ଼ପିଟ ମାମଲାରୁ ଦୀପକର ଅପରାଧ ଜୀବନ ଆରମ୍ଭ ହୋଇଥିଲା। ୨୦୦୯ରେ ଚୋରି, ୨୦୧୯ରେ ରାହାଜାନି, ୨୦୨୧ରେ ଡକାୟତି, ଛିନ୍‌ତାଇ, ଅସ୍ତ୍ର କାରବାର, ହତ୍ୟା ଉଦ୍ୟମ ଆଦି ଧର୍ତ୍ତବ୍ୟ ଅପରାଧରେ ସେ ଜଡ଼ିତ ଥିଲା। ୨୦୨୫ ମସିହାରେ ବୁର୍ଲାରେ ଡକାୟତି କରି ଫେରାର ହୋଇ ଯାଇଥିଲା ଦୀପକ। ତା’ ବିରୋଧରେ ଅଇଁଠାପାଲି ଥାନାରେ ୧୦, ବୁର୍ଲା ଥାନାରେ ୩, ଧନୁପାଲି ଥାନାରେ ୧, କ୍ଷେତରାଜପୁର ଥାନାରେ ୨, ସମ୍ବଲପୁର ସଦର ଥାନାରେ ୧ ଓ ଟାଉନ ଥାନାରେ ୪ଟି ମାମଲା ରହିଛି। ଆଜିର ଏନ୍‌କାଉଣ୍ଟର୍‌ ସହିତ ୬ ମାସରେ ସମ୍ବଲପୁରରେ ୫ଟି ଏନ୍‌କାଉଣ୍ଟର୍‌ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।