ଅପରାଧୀଙ୍କୁ ସାବାଡ଼ ପାଇଁ ଏନ୍‌କାଉଣ୍ଟର ଫର୍ମୁଲା : ୧୫ ଦିନରେ ୧୦ ଅପରାଧୀଙ୍କୁ ଏନକାଉଣ୍ଟର ହୋଇସାରିଲାଣି, ତାଲିକାରେ ଆଉ ୬୦

ଭୁବନେଶ୍ବର : ଆଉ ଜଘନ୍ୟ ଅପରାଧୀଙ୍କୁ ବରଦାସ୍ତ କରାଯିବ ନାହିଁ। ଅପରାଧୀମାନଙ୍କ ପ୍ରତି ସାଧାରଣ ଲୋକଙ୍କ ଯେମିତି ଆଉ ଭୟ ରହିବ ନାହିଁ; ଏଥିପାଇଁ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ଆମ ରାଜ୍ୟରେ ଏଣିକି ଅପରାଧୀଙ୍କୁ ସିଧା ଏନ୍‌କାଉଣ୍ଟର କରାଯିବ। ଏଭଳି ରଣନୀତି ଆପଣାଇଛି ରାଜ୍ୟ ପୁଲିସ। ପୁଲିସ ମୁଖ୍ୟାଳୟରୁ ଏକ ଅଲିଖିତ ନିର୍ଦେଶ ସବୁ ଜିଲ୍ଲା ଏସ୍‌ପି ଓ ଡିଆଇଜିମାନଙ୍କ ପାଖକୁ ଯାଇଛି। କୁହାଯାଇଛି, ଦୁର୍ଦାନ୍ତ ଅପରାଧୀମାନଙ୍କୁ ଖୋଜି ଖୋଜି ଏନକାଉଣ୍ଟର୍‌ କର। ଏଭଳି ନିର୍ଦେଶ ପରେ ଏବେ ଗତ ୧୫ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ଅପରାଧୀମାନଙ୍କୁ ଏନ୍‌କାଉଣ୍ଟର କରିବା ଆରମ୍ଭ କରିଛି। ଯାହା ହିସାବ ମିଳିଛି, ଗତ ଦୁଇ ସପ୍ତାହ ମଧ୍ୟରେ ୧୦ ଦୁର୍ଦ‌‌ାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର ହୋଇସାରିଲାଣି। ବ୍ରହ୍ମପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବର ଓ ପୁରୀରେ ଏହି ସବୁ ଏନ୍‌କାଉଣ୍ଟର ହୋଇଛି। ଆଜି ଗଞ୍ଜାମରେ ଗୋଟିଏ ଦିନରେ ଦୁଇଟି ଏନ୍‌କାଉଣ୍ଟର ହୋଇଛି। ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏଭଳି ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାରା ରାଜ୍ୟରେ ପାଖାପାଖି ୬୦ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତଙ୍କୁ ଜଣ ଜଣ କରି ଏଭଳି ମୁହଁତୋଡ ଜବାବ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଯାହା ସୂଚନା ମିଳିଛି, ଦିନକୁ ଦିନ ଅପରାଧୀମାନେ ରକ୍ତମୁଖା ହୋଇ ଉଠୁଛନ୍ତି। ଡକାୟତି, ଲୁଟ, ବୋମାମାଡ଼, ରାହାଜାନୀ ଭଳି ଅପରାଧ ଘଟାଇ ସାଧାରଣରେ ଆତଙ୍କ ଖେଳାଉଛନ୍ତି। ଏହାଛଡ଼ା କେତେକ ଗ୍ୟାଙ୍ଗଷ୍ଟର୍‌ ଓ ସେମାନଙ୍କ ସଦସ୍ୟ ଦାଦାବଟି ପାଇଁ ଅପହରଣ, ବୋମାମାଡ଼, ଗୁଳିମାଡ଼ ଭଳି ଅପରାଧ ଘଟାଉଛନ୍ତି। ସେହିପରି ବାଲି ମାଫିଆ, ପଥର ମାଫିଆ, ଖଣି କ୍ଷେତ୍ରରେ ମଧ୍ୟ ଅପରାଧରେ ସଂପୃକ୍ତ ରହୁଛନ୍ତି। ଏମାନଙ୍କ ଆତଙ୍କରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସି ଯାଇଛି। ତେଣୁ ଏନକାଉଣ୍ଟର ହିଁ ଅମୋଘ ଅସ୍ତ୍ର ସାଜିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଏହାଛଡ଼ା ଆଉ କିଛି ଦିନ ପରେ ପାର୍ବଣ ସମୟ ଆରମ୍ଭ ହେଉଛି। ଏହି ସମୟରେ ସାଧାରଣତଃ ଅପରାଧୀମାନେ ସକ୍ରିୟ ହୋଇ ଉଠିଥାନ୍ତି। ଚାନ୍ଦା ଆଦାୟ ନାଁରେ ଦାଦାବଟି ଆଦାୟ କରି ଆତଙ୍କ ଖେଳାଇବାର ଆଶଙ୍କା ରହୁଛି। ତେଣୁ ପୁଲିସ ଅପରାଧୀମାନଙ୍କ ଉପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ୍‌ ମୁଖ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ଏହା ଏନ୍‌କାଉଣ୍ଟର୍ ନୁହେଁ, ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରିବାକୁ ଯିବା ବେଳେ ସେମାନେ ପୁଲିସକୁ ପ୍ରଥମେ ଗୁଳି କରୁଛନ୍ତି। ଜୀବନରକ୍ଷା ପାଇଁ ପୁଲିସ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଚଳିତ ମାସରେ ରାଜ୍ୟରେ ଘଟିଥିବା କେତେକ ଏନ୍‌କାଉଣ୍ଟର

୧. ସେପ୍ଟେମ୍ବର ୫ ରେ ଖୋର୍ଧା ପୁଲିସ ଗୁଳିରେ ଜାମସେଦ ଖାନ ନାମକ ଜଣେ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଥିଲା। ସେହି ଦିନ ଭୁବନେଶ୍ବର ପୁଲିସ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝିକୁ ଗୁଳି କରିଥିଲା।
୨. ସେପ୍ଟେମ୍ବର ୯ ତାରିଖ କଟକରେ ହୋଇଥିଲା ଟ୍ରିପଲ ଏନକାଉଣ୍ଟର। ଏଥିରେ ବା‌ଲି ମାଫିଆ ସେୟାମତ ଖାନ, ବୁଧିଆ ଓ ନିଶା ବେପାରି ବିଶ୍ବରଂଜନ ସାହୁ ଗୁରୁତର ହୋଇଥିଲେ।
୩. ସେ‌ପ୍ଟେମ୍ବର ୨ ତାରିଖ ଓ ୧୦ ତାରିଖରେ ସମ୍ବଲପୁରରେ ଦୁଇଥର ଏନକାଉଣ୍ଟର ହୋଇଥିଲା। ଏଥିରେ ମୁର୍ସିଦ ଅଖତର ଓ ତ୍ରିଦେବ ବାଗ୍ ଗୁରୁତର ହୋଇଥିଲେ
୪. ସେ‌ପ୍ଟେମ୍ବର ୧୪ରେ ଝାରସୁଗୁଡା ବ୍ରଜରାଜନଗରରେ ହୋଇଥିଲା ଏନ୍‌କାଉଣ୍ଟର। ଏଥିରେ କୋଇଲା ମାଫିଆ ବି‌ନୋଦ ପ୍ରସାଦ ଆହତ ହୋଇଥିଲା। ସେହିପରି ଛତ୍ରପୁର ପୁଲିସ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ କାକୋକୁ ମଧ୍ୟ ଏନକାଉଣ୍ଟର କରିଥିଲା।
୫. ସେ‌ପ୍ଟେମ୍ବର ୧୫ ତାରିଖ ବ୍ରହ୍ମପୁର ପୁଲିସ ପ୍ରମୋଦ ବାରିକ ନାମକ ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ପ୍ରମୋଦ ହେଉଛି କାକୋର ସହଯୋଗୀ।

ସମ୍ବନ୍ଧିତ ଖବର