କଟକ/ନିଶ୍ଚିନ୍ତକୋଇଲି: ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍‌ ଲିପୁ(୩୨)କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍‌କାଉଣ୍ଟର୍‌ କରିଛି। ଲିପୁର ବାମଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି। ତେବେ ଏନ୍‌କାଉଣ୍ଟର୍‌ ସମୟରେ ଲିପୁର ସହଯୋଗୀ ଖସି ପଳାଇ ଯିବାକୁ ସକ୍ଷମ ହୋଇଛି। ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ଦୁର୍ଦ୍ଦାନ୍ତ ଲିପୁର ଆପରାଧିକ ସାମ୍ରାଜ୍ୟ ବାଲେଶ୍ବରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ପାଖାପାଖି ୪୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ‌କେବଳ ସେତିକି ନୁହେଁ ତା ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୬୬ରୁ ଅଧିକ ମାମଲା ରହିଛି ବୋଲି ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଗତମାସ ମାହାଙ୍ଗାରେ ସିରିଜ୍‌ ଡକାୟତି ଘଟଣାରେ ଲିପୁ ଓ ତା ଗ୍ୟାଙ୍ଗର ସମ୍ପୃକ୍ତି ଥିଲା। ପୁଲିସ ଏହି ଘଟଣାରେ ପୂର୍ବରୁ ତାର ସହଯୋଗୀଙ୍କୁ ଗିରଫ କରିସାରିଛି ବୋଲି ଏସ୍‌ପି କହିଛନ୍ତି।

Advertisment

ଗତକାଲି ମଧ୍ୟରାତ୍ରିରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବର ପଡ଼ିଆରେ ଲିପୁ ଓ ତାର ସହଯୋଗୀ ଡକାୟତି ପାଇଁ ଷଡ୍‌ଯନ୍ତ୍ର କରୁଥିଲେ। ରାତ୍ରି ପାଟ୍ରୋଲିଂ କରୁଥିବା ପୁଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଲିପୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏହି ସମୟରେ ଲିପୁ ଗୋଡ଼ରେ ଗୁଳି ବାଜିଥିଲା ବେଳେ ସହଯୋଗୀ ଫେରାର ହୋଇଯାଇଥିଲା। ପୁଲିସ କର୍ମଚାରୀମାନେ ଲିପୁକୁ କାବୁ କରି ଡାକ୍ତରଖାନା ନେଇଥିଲେ। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି, ଖୋକା, ମୋବାଇଲ୍‌ ଫୋନ ଓ ୧ ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପଟେ, ଲିପୁ ନାଁରେ ବାଲେଶ୍ବର, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, ବ୍ରହ୍ମପୁର ସମେତ ବିଭିନ୍ନ ଥାନାରେ ଡକାୟତି, ଛିନ୍‌ତାଇ, ରାହାଜାନୀ, ହତ୍ୟା ଉଦ୍ୟମ ସମେତ ଅନେକ ସଙ୍ଗୀନ ମାମଲା ରହିଛି। କିଛିଦିନ ତଳେ ମାହାଙ୍ଗା ଥାନା ଅଞ୍ଚଳରେ ସିରିଜ୍‌ ଡକାୟତିରେ ଲିପୁର ସମ୍ପୃକ୍ତି ଥିବା ପୁଲିସ ସୂଚନା ପାଇଛି। କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ସମେତ ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ, ଡିଏସ୍‌ପି ସ୍ମୃତିରଂଜନ କର, ରିଜର୍ଭ ଇନ୍ସପେକ୍ଟର୍‌ ଶ୍ୟାମସୁନ୍ଦର ସୋରେନ୍‌ ପ୍ରମୁଖ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ନିଶ୍ଚିନ୍ତକୋଇଲି ଥାନାଧିକାରୀ ଯୁଗଳକିଶୋର ଦାସ, ସବ୍‌ଇନ୍ସପେକ୍ଟର ତପନ କୁମାର ନାୟକଙ୍କ ସହ ସାଲେପୁର ଏସ୍‌ଡିପିଓ ନିହାରରଞ୍ଜନ ପ୍ରଧାନ, ମାହାଙ୍ଗା ଥାନାଧିକାରୀ ବିଜୟ ମଲ୍ଲିକ, ସାଲେପୁର ଥାନାଧିକାରୀ ମନୋଜ ସ୍ବାଇଁ ପ୍ରମୁଖ ଘଟଣାର ଅଧିକ ଖୋଳତାଡ଼ କରୁଥିବା ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ ଯେ କିଛିଦିନ ଧରି ଜିଲ୍ଲା ବାହାରର କେତେକ ଅପରାଧୀ ଅସୁରେଶ୍ବର ଓ ମାହାଙ୍ଗା ଅଞ୍ଚଳକୁ ବାରମ୍ବାର ଟାର୍ଗେଟ୍‌ କରି ଅପରାଧ ଘଟାଇ ଚାଲିଥିଲେ। ଏହା ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା।