ରାଉରକେଲା: ପୁଲିସର ନିଦ ହଜାଇଥିବା ୧୦ ଜଣିଆ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ରାଉରକେଲା ପୁଲିସ ଆଜି ଭୋର୍ ୪ଟାରେ ଏନ୍କାଉଣ୍ଟର କରିଛି। ପୁଲିସ ଗୁଳିରେ ଜଖମ ହୋଇଥିବା ୩ ଅପରାଧୀ ହେଲେ ଝାଡ଼ଖଣ୍ଡ ଖୁଣ୍ଟିର ମାଷ୍ଟରମାଇଣ୍ଡ ଚନ୍ଦା ନାୟକ (୩୧) ଓରଫ୍ ଚାଣ୍ଡେ, ଝାଡ଼ଖଣ୍ଡ ଗୁମ୍ଲା ଥାନା ନିନାଇ ଗାଁର ପାରସରାମ (୩୩) ଓରଫ୍ ଲମ୍ବୁ ଓ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍କଳକଟାର ରାଜେଶ ସିଂହ (୩୬)। ଦୁଇଜଣଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବାବେଳେ ଅନ୍ୟଜଣଙ୍କ ଗୋଡ଼ରୁ ବାହାରିନି। ଘଟଣାସ୍ଥଳରୁ ପୁଲିସ ସ୍କ୍ବାଡ୍ ଗ୍ୟାଙ୍ଗର ଅନ୍ୟ ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟିଟୋଲିର ଆନେଥିନ୍ ଟପ୍ନୋ (୩୦) ଓରଫ୍ ଜେମ୍ସ, ପଶ୍ଚିମସିଂହଭୂମ ଜିଲ୍ଲା ଶଙ୍କରା ଗ୍ରାମର ସୁରାଜହୁନି ପୂର୍ତ୍ତି (୩୦), ସିନ୍ଜୁଡେହିର ସୁଏଲ୍ ପୂର୍ତ୍ତି (୨୪), ବାଗଡିହିର ଏତୁଆ ନାୟକ (୪୨) ଓ ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ରକ୍ସି ଗ୍ରାମର ସନିଆ କେରକେଟା (୨୨)। ଅପରାଧୀମାନେ ଡକାୟତିରେ ବ୍ୟବହାର କରୁଥିବା ଗୋଟିଏ ସ୍କର୍ପିଓ (ଓଡି୦୨ଟି-୫୪୦୦), ଦୁଇଟି ବାଇକ୍, ଦୁଇଟି ଦେଶୀବନ୍ଧୁକ, ପିସ୍ତଲ, ୮ଟି ଅଫୁଟା ଗୁଳି ଏବଂ ନଗଦ ୭୬ ହଜାର ୧୫୦ ଟଙ୍କା ଜବତ ହୋଇଛି।
ଚଣ୍ଡେ ନାଁରେ ୭ଟି, ରାଜେଶ ନାଁରେ ୫ଟି, ପାରସ, ଜେମ୍ସ, ସୁରାଜହୁନି, ସୁଏଲ ନାଁରେ କୋଇଡା, କେ. ବଲାଙ୍ଗ ଓ ଲହୁଣିପଡ଼ା ଥାନାରେ ୪ଟି ଲେଖାଏଁ ଆପରାଧିକ ମାମଲା ରହିଛି। ୧୦ ଜଣିଆ ଗ୍ୟାଙ୍ଗ୍ର ଅନ୍ୟ ଦୁଇ ସହଯୋଗୀ (ଝାଡ଼ଖଣ୍ଡ ଖୁଣ୍ଟି ଅଞ୍ଚଳର) ଫେରାର ହୋଇଯାଇଛନ୍ତି। କେ. ବଲାଙ୍ଗ ଥାନାର ବାଙ୍କୋ, କୋଇଡ଼ା ଥାନାର ରେଙ୍ଗାଲବେଡ଼ା, ଲହୁଣିପଡ଼ା ଥାନାର ବରସୁଆଁ ଓ କୋଇଡ଼ା ଥାନା ଟ୍ରାନ୍ସପୋର୍ଟ ଅଫିସ୍ ଡକାୟତି ଘଟଣାରେ ଏହି ଗ୍ୟାଙ୍ଗ୍ ସମ୍ପୃକ୍ତ ଥିଲେ। ବିଶେଷକରି ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳର ଟ୍ରାନ୍ସପୋର୍ଟ ଅଫିସ୍ଗୁଡ଼ିକୁ ଏମାନେ ଟାର୍ଗେଟ୍ କରୁଥିଲେ। ୩/୪ ଦିନ ପାଇଁ ଆସୁଥିଲେ, ଡକାୟତି କରି ପୁଣି ଝାଡ଼ଖଣ୍ଡ ଚାଲିଯାଉଥିଲେ। ମାଷ୍ଟରମାଇଣ୍ଡ ଚାଣ୍ଡେର ଘନିଷ୍ଠ ସହଯୋଗୀ ରାଜେଶ ଡକାୟତିର ଠିକଣା ଦେଖାଉଥିଲା। ଟ୍ରାନ୍ସପୋର୍ଟ ଅଫିସ୍ରେ ମାରଣାସ୍ତ୍ର ଦେଖାଇ ଲୁଟ୍ପାଟ କରିବା ପରେ ସ୍କର୍ପିଓ ଓ ବାଇକ୍ରେ ଫେରାର ହୋଇଯାଉଥିଲେ ବୋଲି ଆଜି ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି।
ଏହି ଗ୍ୟାଙ୍ଗ୍କୁ ଧରିବା ଲାଗି ୭ ଥାନା ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଯାହାର ନେତୃତ୍ବ ନେଇଥିଲେ ବଣାଇ ଏସ୍ଡିପିଓ ରାମଚନ୍ଦ୍ର ବିଶ୍ବାଳ। ଗତକାଲି ରାତି ପ୍ରାୟ ୧୧ଟାରେ ଅପରାଧୀ ଗ୍ୟାଙ୍ଗ୍ ସ୍କର୍ପିଓ ଓ ବାଇକ୍ରେ ଆସୁଥିବା ସୂଚନା ମିଳିଥିଲା। ଏସ୍ଡିପିଓ ଶ୍ରୀ ବିଶ୍ବାଳଙ୍କ ନେତୃତ୍ବରେ ଥାନା ଅଧିକାରୀମାନେ ବିଭିନ୍ନ ସ୍ଥାନରେ ନାକା କରିଥିଲେ। ଆଜି ଭୋର୍ ପ୍ରାୟ ୪ଟାରେ ଗୋଟିଏ ସ୍କର୍ପିଓ ଓ ଦୁଇଟି ବାଇକ୍ କୋଇଡ଼ା ଆଡ଼କୁ ଯାଉଥିଲା। ଲାମ୍ପସି ନିକଟରେ ପୁଲିସ ଟିମ୍ ସ୍କର୍ପିଓକୁ ଅଟକାଇବାରୁ ବାଇକ୍ରେ ଯାଉଥିବା ପାରସରାମ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ ଗୁଳି କରିବାରୁ ପାରସ ବାଇକ୍ ସହ ତଳେ ପଡ଼ିଯାଇଥିଲା। ପୁଲିସ ତାକୁ କାବୁ କଲାବେଳେ ବାଇକ୍ରେ ଥିବା ତା’ର ଅନ୍ୟଜଣେ ସହଯୋଗୀ ଓ ସ୍କର୍ପିଓରେ ଥିବା ଅନ୍ୟମାନେ ସେଠାରୁ ଚାନ୍ଦିପୋଷ ଆଡ଼କୁ ଖସି ପଳାଇଥିଲେ। ୧୪୩ ନମ୍ବର ଜାତୀୟ ରାଜପଥର କୁଚେଇତା ନିକଟରେ ଚାନ୍ଦିପୋଷ ଓ ଗୁରୁଣ୍ଡିଆ ପୁଲିସକୁ ଦେଖି ଅପରାଧୀ ଗ୍ୟାଙ୍ଗ୍ ଗୁଳି ଚଳାଇଥିଲେ। ପୁଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା। ମାତ୍ର ସେମାନେ ଶୁଣିନଥିଲେ। ପୁଲିସ ଟିମ୍ ଚାଣ୍ଡେ ଓରଫ୍ ଚନ୍ଦା ନାୟକ ଓ ରାଜେଶକୁ ଏନ୍କାଉଣ୍ଟର କରିବା ପରେ ସ୍କର୍ପିଓରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ କାବୁ କରିଥିଲା। ଅନ୍ୟଦୁଇ ସହଯୋଗୀ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ। ୩ ଆହତଙ୍କୁ ପୁଲିସ ଆର୍ଜିଏଚ୍ରେ ଭର୍ତ୍ତି କରିଛି। ଗିରଫ ଅପରାଧୀଙ୍କ ନାଁରେ ଝାଡ଼ଖଣ୍ଡର କେତେ ଆପରାଧିକ ମାମଲା ରହିଛି, ତା’ର ତଦନ୍ତ କରାଯାଉଥିବା ଏସ୍ପି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/encounter-2025-11-24-01-54-35.jpg)