ସ୍ବାଭିମାନ ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁଇ କ୍ୟାଡର ନକ୍ସଲ ନିହତ

ପୂରା ଅଞ୍ଚଳକୁ ଘେରିଛି ପୁଲିସ, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପିଏଲ୍‌ଜିଏ ସପ୍ତାହ ଶେଷ ହେବାପରେ ମାଓ ଦମନ ଅଭିଯାନକୁ ଜୋରଦାର କରିଛି ମାଲକାନଗିରି ପୁଲିସ। ଏଥିରେ ବଡ଼ ସଫଳତା ମଧ୍ୟ ମିଳିଛି। ସ୍ବାଭିମାନ ଅଞ୍ଚଳରେ ଆଜି ପୁଲିସ ଗୁଳିରେ ଦୁଇ କ୍ୟାଡର ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ସାମଗ୍ରୀ ମଧ୍ୟ ଜବତ କରିଛି। ଶେଷ ଖବର ସୁଦ୍ଧା ନକ୍ସଲଙ୍କ ସବୁ ବାଟକୁ ବାନ୍ଦ କରିଦେଇ ପୂରା ଅଞ୍ଚଳକୁ ଘେରି ରହିଛି ପୁଲିସ। ବାହାରିବା ବାଟ ବନ୍ଦ ରହିଥିବାରୁ ଘଟଣାସ୍ଥଳରୁ ଖସି ପଳାଇଥିବା ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ବି ପୁଲିସ ଆହ୍ବାନ ଦେଇଛି।

ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳରେ କ୍ୟାମ୍ପ କରିଥିଲେ ନକ୍ସଲ। ଯଡ଼ାମ୍ବ ଥାନା ଅନ୍ତର୍ଗତ ଗାଜରମାମୁଡ଼ି ପଞ୍ଚାୟତର ସିଙ୍ଗାରାମ ଅଞ୍ଚଳରେ ଏହି କ୍ୟାମ୍ପ ଚାଲିଥିଲା। ବହୁ ସଂଖ୍ୟାରେ କ୍ୟାଡର ନକ୍ସଲ ଏଠାରେ ଏକତ୍ରିତ ହୋଇଥିବାରୁ ବଡ଼ ଆକ୍ରମଣ ପାଇଁ ଯୋଜନା ଚାଲିଥିଲା। ଗୁଇନ୍ଦା ବିଭାଗ ଏ ନେଇ ପକ୍କା ସୂଚନା ପାଇବା ପରେ ପୁଲିସକୁ କ୍ୟାମ୍ପର ଅବସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା। ଏହାପରେ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ କରି ଏସ୍‌ଓଡି ଏବଂ ଡିଭିଏଫ୍‌ ଯବାନଙ୍କୁ ଏହି ଅପରେସନରେ ସାମିଲ କରାଯାଇଥିଲା। ଗତକାଲିଠାରୁ ଏସ୍‌ଓଡି ଓ ଡିଭିଏଫ୍ ଯବାନ ପୂରା ଅଞ୍ଚଳକୁ ଘେରିବା ପରେ ଆଜି ସକାଳେ କ୍ୟାମ୍ପ ନିକଟରେ ପହଞ୍ଚି ଯାଇଥିଲେ। ଅତର୍କିତ ଚଢ଼ଉ ପାଇଁ ପ୍ରସ୍ତୁତ ହେବା ବେଳକୁ କୌଣସି ପ୍ରକାର ଯବାନଙ୍କ ଉପସ୍ଥିତି ସଂପର୍କରେ ନକ୍ସଲ ଜାଣିବାକୁ ପାଇଥିଲେ। ତେଣୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଏଭଳି ସ୍ଥିତିର ପୂର୍ବାନୁମାନ କରିଥିବା ଯବାନମାନେ ମଧ୍ୟ ପାଲଟା ଜବାବ ଦେବା ଆରମ୍ଭ କରିଥିଲେ। ଉଭୟ ପଟୁ ଗୁଳି ବର୍ଷା ହୋଇଥିବା ବେଳେ ଯବାନଙ୍କ ସଂଖ୍ୟା ଏବଂ ପୂର୍ବ ପ୍ରସ୍ତୁତି ପାଇଁ ପଛଘୁଞ୍ଚା ଦେବାକୁ ନକ୍ସଲ ବାଧ୍ୟ ହୋଇଥିଲେ। ଚକମା ଦେଇ ଖସି ଯିବାରେ ସଫଳ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ସମୟରେ ଦୁଇ ନକ୍ସଲଙ୍କ ଶବ ଘଟଣାସ୍ଥଳରୁ ମିଳିଥିଲା। ମୃତ ଦୁଇ ନକ୍ସଲଙ୍କ ପରିଚୟ ମିଳିପାରି ନଥିଲେ ସୁଦ୍ଧା ଜଣେ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ନକ୍ସଲ ବୋଲି ଜଣାପଡ଼ିଛି। ଏଥିସହ ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର ଓ ଇନସାସ୍ ବନ୍ଧୁକ, ଡିଟୋନେଟର, ଏନସାସ୍‌ ଓ ଏସ୍‌ଏଲ୍‌ଆର ମାଗାଜିନ, ବହୁ ସଂଖ୍ୟାରେ ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଯେଉଁ ହତିଆର ମିଳିଛି ସେଥିରୁ ନିହତ ଦୁଇ ନକ୍ସଲ କ୍ୟାଡର ଅନ୍ତର୍ଭୁକ୍ତ ଥିଲେ ବୋଲି ଅନୁମାନ କରାଯାଉଛି। ପରିଚୟ ଜାଣିବା ପାଇଁ ଚେଷ୍ଟା ଚାଲିଛି ଏବଂ ଉଭୟ ଛତିଶଗଡ଼ର ବୋଲି ପୁଲିସ ଆଶଙ୍କା କରୁଛି।

ଅପରପକ୍ଷରେ ଶେଷ ଖବର ସୁଦ୍ଧା ଯବାନ ଘଞ୍ଚ ଜଙ୍ଗଲରେ ପଶି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଏହି ଅଂଚଳକୁ ଜଳଭଣ୍ଡାର ସଂପୂର୍ଣ୍ଣ ଘେରି ରହିଥିବା ଯୋଗୁଁ ଯବାନ ଜଳଭଣ୍ଡାର ଚାରିପଟେ ବିଛାଇ ହୋଇ ରହିଥିବା ଜଣାପଡିଛି। ମିଲିସିଆ ଏବଂ କ୍ୟାଡର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଲିସ ଅନୁରୋଧ କରିଛି। ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ନେବା ପାଇଁ ପରାମର୍ଶ ଦେଇଛି ପୁଲିସ। ଗତ କିଛି ମାସ ହେଲା ସ୍ବାଭିମାନ ଅଞ୍ଚଳରେ ପୁଲିସକୁ ବାରମ୍ବାର ସଫଳତା ମିଳୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିବା ବେଳେ ଲୋକେ ବି ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରି ଅଞ୍ଚଳର ବିକାଶ ପାଇଁ ସହାୟତା କରୁଛନ୍ତି। ବିଏସଏଫ କ୍ୟାମ୍ପ ସହ ନୂଆ ଥାନା ପ୍ରତିଷ୍ଠା ମଧ୍ୟ ଇତି ମଧ୍ୟ ହୋଇଛି। ତେଣୁ ଜନସମର୍ଥନ ହରାଇ ନକ୍ସଲ ଏକପ୍ରକାର ଅସହାୟ ଅବସ୍ଥାକୁ ଚାଲି ଆସିଥିବା କୁହାଯାଉଛି। ଏହାରି ମଧ୍ୟରେ ଏନକାଉଣ୍ଟରରେ କ୍ୟାଡର ନକ୍ସଲ ନିହତ ହେବା ଘଟଣା ସଂଗଠନ ପାଇଁ ଶକ୍ତ ଧକ୍କା ହୋଇଛି।

ସମ୍ବନ୍ଧିତ ଖବର