ରାଉରକେଲା: ଦୁର୍ଗାପୁର ପାହାଡ ପାଦଦେଶରେ ନିର୍ମାଣଧୀନ ବେଆଇନ ଘରକୁ ରାଉରକେଲା ବନ ବିଭାଗର ମୋବାଇଲ୍‌ ସ୍କ୍କାର୍ଡ ଭାଙ୍ଗି ଦେଇଛନ୍ତି। ଦୁର୍ଗାପୁର ପାହାଡକୁ ଅକ୍ତିଆର କରି ଘର ନିର୍ମାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ବାର୍ଡର ହରିଶ ଚନ୍ଦ୍ର ଜେନା, ଦୁଖୁ କିସାନ, ରଶ୍ମିତା ଛୁଆଳସିଂହ, ଗୀତାରାଣି ଏକ୍କା ପ୍ରମୁଖ ପହଞ୍ଚି ୫୦୦ ବର୍ଗଫୁଟ ଜାଗରେ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ। ନିର୍ମାଣକାରୀ ପ୍ରକାଶ ଚନ୍ଦ୍ର ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୋବାଇଲ୍‌ ସ୍କ୍ବାର୍ଡ ପ୍ରକାଶଙ୍କ ପତ୍ନୀ ଓ ପୁଅକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି। କଳିଙ୍ଗବିହାର ହନୁମାନ ମନ୍ଦିର ନିକଟ ଦୁର୍ଗାପୁର ପାହାଡ ପାର୍ଶ୍ବ ବନଖଣ୍ଡ ଅଞ୍ଚଳରେ ଏକର ଏକର ଜମି ଜବଦରଖଲ ହୋଇଛି। ଯେଉଁଠି ବେଆଇନ ଭାବେ ଘର ନିର୍ମାଣ କରାଯାଇଛି। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।