ଡିଆରଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କ୍ୱାଟର ଜବରଦଖଲ ମାମଲା: ଜବରଦଖଲକାରୀଙ୍କୁ ହଟାଇପାରୁନି ଡିଆରଡିଏ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ସରକାରୀ ଜମି, ଜଙ୍ଗଲ ଜମି, ନାଳ ଆଦି ଜବରଦଖଲ ଚାଲିଥିଲା । ତେବେ ଜବରଦଖଲକାରୀଙ୍କ କବଳରୁ ସରକାରୀ କୋଠା, ସରକାରୀ କର୍ମଚାରୀଙ୍କ କ୍ୱାଟର ମଧ୍ୟ ବାଦ୍ ପଡ଼ିନାହିଁ । ଗତ ୧୦ ବର୍ଷ ଧରି ଜବଦରଦଖଲରେ ଥିବା ଡିଆରଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କ୍ୱାଟରକୁ ହଟାଇବାକୁ ପ୍ରଶାସନ ମଧ୍ୟ ସାହସ କରିପାରୁନାହିଁ ।

ଗତ ୧୩ ତାରିଖରେ ଖୋର୍ଦ୍ଧା ସହରରେ ଜବରଦଖଲକାରୀଙ୍କ କବଜାରେ କିଭଳି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କୋଠା କ୍ଷମତାଶାଳୀଙ୍କ ଜବରଦଖଲ ରହିଛି ସେନେଇ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଏହାପରେ ଡିଆରଡିଏ ପକ୍ଷରୁ ଉକ୍ତ କୋଠାକୁ ନିଜ ହାତକୁ ଆଣିବାକୁ ପ୍ରଚେଷ୍ଟା କରାଯିବ ବୋଲି କୁହାଯାଇଥିଲା । ଇତିମଧ୍ୟରେ ଖୋଦ୍ ଡିଆରଡିଏ ପିଡି ଦିଗନ୍ତ ରାଉତରାୟ ଉକ୍ତ କୋଠାର ସ୍ଥିତିକୁ ସରଜମିନ ଅନୁସନ୍ଧାନ କରି ଫେରିଛନ୍ତି । ତେବେ ଏହି କୋଠାଟି ବ୍ଲକ ପ୍ରଶାସନ ପକ୍ଷରୁ ଡିଆରଡିଏକୁ ହସ୍ତାନ୍ତର କରାଯାଇନଥିବା ଜଣାପଡ଼ିଥିଲା । ଏନେଇ ଡିଆରଡିଏପକ୍ଷରୁ ହସ୍ତାନ୍ତର ପାଇଁ ଚିଠି ଲେଖାଯାଇଥିଲା ।

ଘଟଣା ସମ୍ପର୍କରେ ଖୋର୍ଦ୍ଧା ବ୍ଲକ ବିଡିଓ ପ୍ରଶାନ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସେ ଥିବା ସମୟରେ ଏହି କୋଠାର ନିର୍ମାଣ ହୋଇନାହିଁ । ଏଣୁ ନଥିପତ୍ର ନଦେଖିଲା ଯାଏଁ ଏନେଇ ସେ କିଛି କହିପାରିବେ ନାହିଁ । ଅପରପକ୍ଷରେ ଡିଆରଡିଏ ପିଡି ଶ୍ରୀ ରାଉତରାୟଙ୍କୁ ପଚାରିବାରେ ସେ କହିଛନ୍ତି ଯେ । କୋଠା ପରିସର ମଧ୍ୟରେ ପାଳଗଦା, ଗୋଡ଼ି, ବାଲି ଆଦି ଜମା ହୋଇଛି । ଏହାକୁ ହଟାଇବାକୁ କୁହାଯାଇଥିଲା । କିନ୍ତୁ ଏଯାଏଁ ହଟାଯାଇନାହିଁ । ଏଣୁ ଶେଷରେ ଡିଆରଡିଏ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଦାଲତରେ ସରକାରୀ ଜମି ଜବରଦଖଲ ନିରୋଧ ଆଇନରେ (ଓପିଏଲ୍ଏ)ରେ ଆବେଦନ କରାଯିବ । ଜବରଦଖଲକାରୀଙ୍କୁ ବଳପୂର୍ବକ ସେଠାରୁ ହଟାଯିବ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ଜବରଦଖଲକାରୀଙ୍କୁ ସରକାରୀ କ୍ୱାଟରରୁ ହଟାଇବା ପାଇଁ ପ୍ରଶାସନର ସାଧାରଣ ନିର୍ଦ୍ଦେଶ ମଧ୍ୟ କାମ କରୁନାହିଁ ଏବଂ ପ୍ରଶାସନ ଶେଷରେ ଆଇନ ଓ ପୁଲିସର ଆଶ୍ରୟ ନେଇ ଏହାକୁ ହଟାଇବାକୁ ପଡ଼ୁଛି ସେଭଳି ଜବରଦଖଲକାରୀ କିଏ? ତାଙ୍କ ବିରୋଧରେ କାହିଁକି ପ୍ରଶାସନ ସିଧାସଳଖ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛି । ଯଦି ପ୍ରଶାସନ ଏଭଳି ନିଷ୍କ୍ରିୟ ଓ ଅସହାୟ ତେବେ ସାଧାରଣ ଲୋକ ନ୍ୟାୟ ପାଇଁ କାହାର ଦ୍ୱାରସ୍ଥ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର