ବଦଳିଗଲେ ଉପଜିଲ୍ଲାପାଳ, ହଟିପାରିଲାନି ରାସ୍ତାରୁ ଜବରଦଖଲ

ଖୋର୍ଦ୍ଧା: ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦୁଇ ଜଣ ନିର୍ବାହୀ ଅଧିକାରୀ, ତିନିଜଣ ଉପଜିଲ୍ଲାପାଳ, ଦୁଇଜଣ ତହସିଲଦାର ବଦଳି ହେଲେଣି । ୬ ଥର ସହରରେ ମାଇକ ଯୋଗେ ପ୍ରଚାର କରାଯାଇ ରାସ୍ତା ଓ ନାଳ ଉପରେ ଥିବା ଜବରଦଖଲ ହଟାଇବାକୁ ନିଦେ୍ର୍ଦଶ ଦିଆଗଲା । ୫ଥର ଧର୍ମକୁ ଆଖିଠାର ଭଳି ଦୁଇ ତିନିଟି ଅସ୍ଥାୟୀ ଦୋକାନକୁ ହଟାଇ ପ୍ରଶାସନ ନିଜ କାନ୍ଧ ଉପରୁ ଦାୟିତ୍ୱ ଖସାଇଦେଲା । କିନ୍ତୁ ସହରର ମୁଖ୍ୟ ସଡ଼କ, ନାଳନର୍ଦ୍ଦମା, ସରକାରୀ କାର୍ଯ୍ୟାଳୟର ଜମି ଉପରୁ ଜବରଦଖଲ ହଟିପାରିଲାନାହିଁ ।

ଜବରଦଖଲ ଓ କ୍ୟାବିନ୍ ସହର ଭାବେ ପରିଚିତ ରାଜ୍ୟ ରାଜଧାନୀର ଜିଲ୍ଲାର ସଦର ମହକୁମା । ୧୯୯୫ରେ ବିଜ୍ଞପିତ ଅଂଚଳ ପରିଷଦରୁ ପୌର ପରିଷଦ ହେବା ପରେ ଅନେକ ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ, ତହସିଲଦାର, ଉପଜିଲ୍ଲାପାଳ ଆସି ଚାଲିଗଲେଣି, କିନ୍ତୁ ସହରର ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିନାହିଁ । ୨୦୨୦-୨୧ ଆର୍ଥିକ ବର୍ଷରେ ସହରର ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥାକୁ ସୁଧାର କରିବାକୁ ନାଳ ନିର୍ମାଣ କରିବାକୁ ଅନୁଦାନ ଆସିଥିଲା । କେତେକ ସ୍ଥାନରେ ନାଳ ନିର୍ମାଣ ହେଲା, କିନ୍ତୁ ସହରର ପ୍ରମୁଖ ସଡ଼କ ନୂଆ ବସ୍ଷ୍ଟାଣ୍ଡ ଠାରୁ ଚଣ୍ଡିଚୁଆ, ନୂଆ ବସ୍ଷ୍ଟାଣ୍ଡ ଠାରୁ ମାରୁୱାଡ଼ି ପଟି ଦେଇ ଗୋଡ଼ିପୋଖରୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଠାରୁ ପୁରୁଣା ବସ୍ଷ୍ଟାଣ୍ଡ ଦେଇ ଚଣ୍ଡିଚୁଆ ଛକରେ ନାଳ ନିର୍ମାଣ ହୋଇପାରିଲା ନାହିଁ ।

ପୌର ପରିଷଦ ନିର୍ବାଚନ ପୂର୍ବରୁ ନିର୍ବାହୀ ଅଧିକାରୀ ବଦଳିଲେ, ଉପଜିଲ୍ଲାପାଳଙ୍କୁ ନିର୍ବାହୀ ଅଧିକାରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପୌର ପରିଷଦ ନିର୍ବାଚନରେ ମଧ୍ୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ପ୍ରଚାର ବେଳେ ଟ୍ରାଫିକ, ଜବରଦଖଲ ଓ ନର୍ଦ୍ଦମା ନିଷ୍କାସନ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଲୋକଙ୍କ ଧାରଣା ଥିଲା, ଉପଜିଲ୍ଲାପାଳ ଜଣେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହୋଇଥିବାରୁ ସମସ୍ୟାର ସମାଧାନ ସୁରୁଖୁରୁରେ ହୋଇଯିବ । କିନ୍ତୁ ନାଳ ନିର୍ମାଣ ହେବ କ’ଣ ବର୍ଷା ପୂର୍ବରୁ ନାଳ ସଫା କାମ ମଧ୍ୟ ଠିକ୍ରେ ହୋଇପାରିଲା ନାହିଁ । ତତ୍କାଳୀନ ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ ଜବରଦଖଲ ହଟାଇବା ପାଇଁ ମାଇକ ଯୋଗେ ପ୍ରଚାର କରି ତିନିଥର ଜବରଦଖଲ ହଟାଇବାକୁ ପୁଲସ ବଳକୁ ସାଥୀରେ ନେଇ ଚେଷ୍ଟା କରି ବିଫଳ ହେଲେ ।

ବର୍ତମାନ କରୋନା ଉପରୁ କଟକଣା ହଟିଛି, ଦୋକାନ-ବଜାରରେ ଲୋକଙ୍କ ଗହଳି ବଢ଼ିଛି, ଆଗକୁ ପାର୍ବଣ ଋତୁ, ଆହୁରି ଗହଳି ବଢ଼ିବ । ଗୋଟିଏ ପଟେ ଅଣଓସାରିଆ ରାସ୍ତା ଆରପଟକୁ ଦୋକାନୀଙ୍କ ଜବରଦଖଲ ପରିସ୍ଥିତିକୁ ଆହୁରି ଜଟିଳ କରିବ । ଏଣୁ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସହରର ପ୍ରମୁଖ ସଡ଼କୁ ଜବରଦଖଲ ମୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର