ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ବିଭିନ୍ନ ସେକ୍ଟର ଅଞ୍ଚଳରେ ଜମି ଜବରଦଖଲ ସୀମା ଟପିଲାଣି। ଖାସ୍ ଏହି କାରଣରୁ ଆର୍ଏସ୍ପିର ପ୍ରାୟ ୩୦ ହଜାର କୋଟି ଟଙ୍କାର ସଂପ୍ରସାରଣ କାର୍ଯ୍ୟ ଅଗେଇପାରୁନି। ଜବରଦଖଲ ଜମିରେ ଘର ତିଆରି କେବଳ ଭଡ଼ାରେ ଦିଆଯାଉନି; ବରଂ ଘର ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସବୁକିଛି ଏବେ ଖୋଲାଖୋଲି ଚାଲିଛି। ସହରସେବା ବିଭାଗ ସବୁ ଜାଣି ଚୁପ୍ ବସିବା ହିଁ ଜବରଦଖଲକାରୀଙ୍କ ମନୋବଳକୁ ସୁଦୃଢ଼ କରିବାସହ ଏଥିରେ ଅଙ୍କୁଶ ଲାଗିପାରୁନି।
ଅଣଆନୁଷ୍ଠାନିକ ସୂଚନା ହିସାବରେ ଆର୍ଏସ୍ପିର ପ୍ରାୟ ୬/୭ ଶହ ଏକରରୁ ଅଧିକ ଜମି ଏବେ ଜବରଦଖଲରେ। କିଛି ଅସାଧୁ ବ୍ୟକ୍ତି ପ୍ରତିଦିନ ମୂଲ୍ୟବାନ ଜମି ଜବରଦଖଲକୁ ନେଉଛନ୍ତି; କିନ୍ତୁ ସହରସେବା ବିଭାଗର ଚିରାଚରିତ ଅବହେଳାରେ ସୁଧାର ଆସୁନି। ସେକ୍ଟର-୧୬, ଏ’ ବ୍ଲକରେ ସହରସେବା ବିଭାଗର ଜଣେ ଭାରପ୍ରାପ୍ତ ମହାପ୍ରବନ୍ଧକ ରହୁଛନ୍ତି। ଉକ୍ତ କ୍ବାର୍ଟର ସମ୍ମୁଖରେ ଥିବା ଜମିକୁ ଜବରଦଖଲକୁ ନେଇ ସାଇକଲ ମରାମତି ଦୋକାନ, ଗୁଟ୍ଖା ଦୋକାନ, ଚା’ ଦୋକାନ ଆଦି ଗଢ଼ି ଉଠିଲାଣି। ସେହିଭଳି ସେକ୍ଟର-୨୦, ଡି’ ବ୍ଲକରେ ଥିବା ପମ୍ପ୍ ହାଉସ୍ ପାଖରେ ଜଣେ ବ୍ୟବସାୟୀ ବହୁ ପରିମାଣର ମୂଲ୍ୟବାନ ଜମି ଅକ୍ତିଆରକରି ଗୋଦାମ କରିଛନ୍ତି। ବ୍ୟବସାୟୀ ଜଣକ ଉକ୍ତ ଆର୍ଏସ୍ପି ଜମିରେ ସିମେଣ୍ଟ୍, ଲୁହା ରଡ୍, ବାଲି, ଚିପ୍ସ ଆଦି ଗଚ୍ଛିତ କରି ବର୍ଷବର୍ଷ ହେଲା ଅନାୟାସରେ ବେପାର କରୁଛନ୍ତି। ଏମିତିକି ଉକ୍ତ ବ୍ୟବସାୟୀ ସେକ୍ଟର-୧୮ ମାର୍କେଟ୍ ଅଞ୍ଚଳରେ ରାସ୍ତାକଡ଼ ଖୋଲା ଜମିରେ ଗୃହ ନିର୍ମାଣ ସାମଗ୍ରୀ ଗଦାକରି ବ୍ୟବସାୟ ଜାରି ରଖିଛନ୍ତି। ଏମିତିକି ସେକ୍ଟର-୨୦, ବି’ ବ୍ଲକ ପାଖରେ ଜଣେ ବ୍ୟକ୍ତି ଏକ ଯଜ୍ଞ ମଣ୍ଡପ ତିଆରି ପ୍ରାୟ ୫ ଏକର ପରିମିତି ବିଶିଷ୍ଟ ପଡ଼ିଆକୁ ବାଉଁଶରେ ବ୍ୟାରିକେଡ୍ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଆର୍ଏସ୍ପି ଜମିକୁ ଜବରଦଖଲକୁ ନେଇ ଗାଡ଼ି ସର୍ଭିସିଂ ସେଣ୍ଟର୍, ଏକାଧିକ ବାସଗୃହ, ଦୋକାନ ଗୃହ ତିଆରି ଭଡ଼ାରେ ଲଗାଇବା ଆଦି କାର୍ଯ୍ୟରେ ବର୍ଷବର୍ଷ ହେଲା ଜଡ଼ିତ ଅଛନ୍ତି।
/sambad/media/post_attachments/wp-content/uploads/2024/01/3a5b6e80-8d4c-4e4a-b456-4c343fb44038.jpeg)
ସେକ୍ଟର-୧୬ ଅଞ୍ଚଳରେ ଥିବା ବିଭିନ୍ନ କ୍ବାର୍ଟରକୁ ବିପଦପୂର୍ଣ୍ଣ ଘୋଷଣା କରାଯିବା ସହ ହଳଦିଆ ରଙ୍ଗରେ ସ୍ପଷ୍ଟଭାବେ ଲେଖାଯାଇଛି। ତେବେ ଉକ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବା କ୍ବାର୍ଟରରେ ଲୋକେ ବର୍ଷବର୍ଷ ହେଲା ବାସ କରୁଥିବା ଦେଖିବାକୁ ମିଳିଛି। ବିଭାଗୀୟ କର୍ତ୍ତୃପକ୍ଷ ଗୋଟିଏପଟରେ ବୁହୁମୂଲ୍ୟ ଜମିର ସୁରକ୍ଷା କରିବା ପରିବର୍ତ୍ତେ ଜବରଦଖଲକାରୀଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବାରୁ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ରାଜସ୍ବ ହାନୀ ହେବାସହ ବିକାଶ ବେଗ ଧରିପାରୁନି। ଏନେଇ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, ଜବରଦଖଲ ବିରୋଧରେ ସବୁବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏମିତିକି ଉଚ୍ଛେଦ କରିବାକୁ ଯାଇ କର୍ମଚାରୀ ଆକ୍ରମଣର ଶିକାର ବି ହୋଇଛନ୍ତି। ଜବରଦଖଲ ନେଇ ଜଣାପଡ଼ିଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fb3d0aa7-5fd7-455f-afe1-88fe2384a3c1.jpeg)