ବରଗଡ଼ ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ବିଭିନ୍ନ ଯୋଜନାରେ ମଂଜୁରୀପ୍ରାପ୍ତ ପ୍ରକଳ୍ପ : ଅସଂପୂର୍ଣ୍ଣ ଅବସ୍ଥାରେ ବରପାଲିର ସମସ୍ତ ୮୨ଟି ପ୍ରକଳ୍ପ

ବରଗଡ଼: ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଅଢ଼େଇ ମାସ ରହିଛି। କିନ୍ତୁ ଜିଲ୍ଲାରେ ବିଭିନ୍ନ ଯୋଜନାରେ ମଂଜୁରୀପ୍ରାପ୍ତ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। ସ୍ଥିତି ଏଭଳି ଯେ, କୌଣସି ବି ଯୋଜନା ଟାର୍ଗେଟ୍‌ ହାସଲ କରି ପାରିବନାହିଁ। ଗୋପବନ୍ଧୁ ଗ୍ରାମିଣ ଯୋଜନାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲ୍ଲାରେ ଏହି ଯୋଜନା ଧକେଇ ଚାଲିଛି। ପର୍ଯ୍ୟାପ୍ତ ଅନୁଦାନ ଥିଲେ ହେଁ ଯୋଜନାରେ ସାମିଲ ଥିବା ପ୍ରକଳ୍ପ ଗୁଡ଼ିକ ଅଧାଅଧୁରା ହୋଇ ପଡ଼ି ରହିଛି। କେଉଁଠି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ ତ କେଉଠି ଅଧପନ୍ତରିଆ ଅବସ୍ଥାରେ। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଯୋଜନା ବାବଦକୁ ଜିଲ୍ଲାରେ ମୋଟ୍‌ ୫୬୮.୧୮ ଲକ୍ଷ ଟଙ୍କା ମହଜୁଦ ରହିଥିଲା। ହେଲେ ଏଥିରୁ ମାତ୍ର ୨୭୮.୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ ଅନୁଦାନ ରାଶିରୁ ମାତ୍ର ୪୮.୯୮ ପ୍ରତିଶତ ଅର୍ଥରାଶି ପ୍ରକଳ୍ପ ଗୁଡ଼ିକରେ ବିନିଯୋଗ ହୋଇଛି। ମୋଟ୍ ବ୍ୟୟ ଅଟକଳ ଅନୁସାରେ ଗୋପବନ୍ଧୁ ଗ୍ରାମିଣ ଯୋଜନାରେ ୨୧୩ଟି ପ୍ରକଳ୍ପ ମଂଜୁର ହୋଇଥିଲା। କିନ୍ତୁ ଏଥିରୁ ମାତ୍ର ୮୮ଟି ସଂପୂର୍ଣ୍ଣ ହୋଇଥିବା ପରିସଂଖ୍ୟାନ କହୁଛି। ବରପାଲି ବ୍ଲକ୍‌ରେ ସବୁଠୁ ସର୍ବନିମ୍ନ କାମ ହୋଇଛି। ଏଠାରେ ୧.୪୫କୋଟି ମଂଜୁର ହୋଇଥିବାବେଳେ ୮୨ଟି ପ୍ରକଳ୍ପରୁ ଗୋଟିଏ ବି ସଂପୂର୍ଣ୍ଣ ହୋଇନାହିଁ। ପଦ୍ମପୁର ବ୍ଲକ୍‌ରେ ୪୧ଟି ପ୍ରକଳ୍ପରୁ ମାତ୍ର ୮ଟି ଶେଷ ହୋଇଛି। କେବଳ ବିଜେପୁର ବ୍ଲକ୍‌ରେ ଶତ ପ୍ରତିଶତ କାମ ହୋଇଛି। ଏଠାରେ ୪୨ରୁ ସମସ୍ତ ପ୍ରକଳ୍ପ କାମ ସରିଛି।

ସମ୍ବନ୍ଧିତ ଖବର