ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ବିଧାନସଭା ଅଚଳ କରିଦେବାକୁ ବିଜେଡି ଯେଉଁ ନିଷ୍ପତ୍ତି ନେଇଥିଲା, ତାହାକୁ ହିଁ କାର୍ଯ୍ୟକାରୀ କଲା। ସାର ଅଭାବକୁ ପ୍ରସଙ୍ଗ କରି ଗୃହରେ ବିଜେଡି ବିଧାୟକ ହୋହଲ୍ଲା କଲେ। ଫଳରେ ଦୁଇଟି ପର୍ଯ୍ୟାୟରେ ମାତ୍ର ୮ ମିନିଟ୍ ଗୃହ ଚାଲିଲା। ଗୃହ ସ୍ବାଭାବିକ ନଥିବାରୁ ଅନାସ୍ଥା ପ୍ରସ୍ତାବ ଉପରେ କିଛି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି ବାଚସ୍ପତି ଜଣାଇ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ପ୍ଲାକାର୍ଡ, ବ୍ୟାନର୍ ଦେଖାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ରାଜ୍ୟରେ ସାରର ଅଭାବ ପାଇଁ ସରକାରଙ୍କୁ ଦାୟୀ କରିଥିଲେ। ମୋହନ ସରକାର ଡାଉନ୍ ଡାଉନ୍ ନାରାରେ ଗୃହ କମ୍ପିଥିଲା। କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ରହିଥିଲେ। ବିଜେଡି ସଭ୍ୟମାନଙ୍କୁ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ଅନୁରୋଧ କରିବା ସହ ପ୍ରଶ୍ନକାଳ ଚଳାଇ ରଖିବାକୁ ଉଦ୍ୟମ କରିଥିଲେ। କିନ୍ତୁ ହୋହଲ୍ଲା ଭିତରେ ଆଗକୁ ବଢ଼ିବା ସମ୍ଭବ ନଥିଲା। ମାତ୍ର ଚାରି ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ।
୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ପୁଣି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସାର ପ୍ରସଙ୍ଗ ଉଠାଇ ହୋହଲ୍ଲା, ନାରାବାଜି କଲେ। ବାଚସ୍ପତି କହିଥିଲେ, ଗୃହ ସ୍ବାଭାବିକ ନଥିବାରୁ ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ କିଛି ନିଷ୍ପତ୍ତି ନେବା ସ୍ଥିତିରେ ମୁଁ ନାହିଁ। ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗଣମାଧ୍ୟମରେ ଏ ନେଇ କହିଥିବାରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ୫ ଜଣ କଂଗ୍ରେସ ବିଧାୟକଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଆଣିଛନ୍ତି। ଏହା ମଧ୍ୟ ବିଚାରାଧୀନ ଅଛି। ସେହି ପାଞ୍ଚ ବିଧାୟକ ହେଲେ ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍ଦୋସ, ଅଶୋକ ଦାସ ଓ ସିଏସ୍ ରାଜନ ଏକ୍କା। ମାତ୍ର ଚାରି ମିନିଟ୍ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ବିଜେଡିର ହୋହଲ୍ଲା ଶାସକ ଦଳକୁ ସୁହାଉଛି
ଅନାସ୍ଥା ଉପରେ ନିଷ୍ପତ୍ତି ନେଇ ନାହାନ୍ତି ବାଚସ୍ପତି
କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ବାଧିକାର ନୋଟିସ୍
ଅନାସ୍ଥା ଉପରେ ନିଷ୍ପତ୍ତି ନେଇ ନାହାନ୍ତି ବାଚସ୍ପତି
କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ବାଧିକାର ନୋଟିସ୍
ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଗଣମାଧ୍ୟମକୁ କହିଥିଲେ, ବାଚସ୍ପତି ଅନାସ୍ଥା ଗ୍ରହଣ କରିବା ପୂର୍ବରୁ କଂଗ୍ରେସ ସଭ୍ୟମାନେ ଗଣମାଧ୍ୟମରେ କହିଲେ। ସେମାନେ ଆଗେ ବିଧାନସଭାରେ କହିବା କଥା। ଏହା ବିଧାନସଭା ନୀତି ନିୟମର ପରିପନ୍ଥୀ। ସେଥି ପାଇଁ ସ୍ବାଧିକାର ଭଙ୍ଗ ଅଭିଯୋଗ ଅଣାଯାଇଛି।
ଆଜିର ଘଟଣାକ୍ରମରୁ ଜଳଜଳ ହୋଇ ଦେଖାଯାଉଛି ଯେ ବିଧାନସଭାର ଅବଶିଷ୍ଟ ୫ଟି ଦିନ ଏମିତି ହିଁ ଉଡ଼ିଯିବ। ଏଥର ବିଧାନସଭାକୁ ନେଇ ବିଜେଡି ଯେଉଁ ରଣନୀତି କରିଥିଲା, ଏହା ତାହାର ଅଂଶବିଶେଷ। ପ୍ରତିଦିନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଜେଡି ଗୃହ ଅଚଳ କରିବ ବୋଲି ବିଧାୟକ ଦଳ ବୈଠକରେ ମୌଖିକ ଭାବେ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା। ଆଜି ତାହା ହିଁ ଘଟିଲା। ଆହୁରି ମଧ୍ୟ ଅନାସ୍ଥା ପ୍ରସ୍ତାବଟି ବିଜେଡି ପାଇଁ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଯେହେତୁ ସଂଖ୍ୟା ଖେଳରେ ଅନାସ୍ଥା ପ୍ରସ୍ତାବର କିଛି ପ୍ରଭାବ ନାହିଁ, ତେଣୁ ଶାସକ ଦଳ ଏତେଟା ବିବ୍ରତ ନୁହେଁ। କଂଗ୍ରେସ ଅନାସ୍ଥା ନୋଟିସ୍ ଦେଇ ରାଜନୀତିକୁ ସରଗରମ କରି ରଖିଛି। ତେବେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। କୌଣସି ପରିସ୍ଥିତିରେ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାର ନାହିଁ। କିନ୍ତୁ ସିଧାସଳଖ ମନା କରିଦେଲେ ଭୁଲ୍ ବାର୍ତ୍ତା ଯିବ। ପୁଣି ଏଠାରେ କଂଗ୍ରେସ ସହ କୌଣସି ପ୍ରସଙ୍ଗରେ ବି ମିଳିତ ଭାବେ ଗଲେ, ବିଜେପିର କେନ୍ଦ୍ରୀୟ ନେତୃତ୍ବର କୋପରେ ବିଜେଡି ରହିବ। ବିଜେଡି ଏପରି କରିବାକୁ ଚାହିବ ନାହିଁ। ତେଣୁ ଗୃହରେ ଅଚଳାବସ୍ଥା ସୃଷ୍ଟି କଲେ ଅନାସ୍ଥା ପ୍ରସ୍ତାବ ଆଦୌ ଆସିପାରିବ ନାହିଁ। ଆଉ ବିଜେଡିର ରଣନୀତି ଏବେ ଶାସକ ଦଳକୁ ବେଶ୍ ସୁହାଉଛି। ଯଦି ବିଜେଡି ସବୁଦିନେ ହୋହଲ୍ଲା କରି ଗୃହ ବନ୍ଦ କରିଦିଏ, ତେଣୁ ଅନାସ୍ଥା ଉପରେ ଆଲୋଚନା ହେବାର ସମ୍ଭାବନା ନାହିଁ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆରୋପ ଲଗାଇଛନ୍ତି ଯେ ଆଜି ପ୍ରମାଣିତ ହୋଇଗଲା ବିଜେଡି-ବିଜେପି ଗୋଟିଏ। ସାର ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ଦେଇଥିବା ନୋଟିସ୍ ଗ୍ରହଣ ହୋଇଥିଲା। କିନ୍ତୁ ବିଜେଡି ଆଲୋଚନାକୁ ନ ଆସି ସାର ପ୍ରସଙ୍ଗରେ ହୋହଲ୍ଲା କଲା। ବିଜେପି ଓ ବିଜେଡି କଥା ହୋଇ ଗୃହ ବନ୍ଦ କଲେ। ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ। ତେଣୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ। କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ। ସେଥି ପାଇଁ ଆମେ ପ୍ରତିବାଦ କଲୁ। କଂଗ୍ରେସ ସାର ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିବା ନେଇ ଶ୍ରୀମତୀ ମଲ୍ଲିକ କହିଥିଲେ, ସେତିକି ସମୟରେ କ’ଣ ଆଲୋଚନା ହୋଇପାରିଥା’ନ୍ତା।