କଟକ : ପାର୍ବଣରେ ୪ ଫୁଟ୍ ଉଚ୍ଚ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା କଟକଣାକୁ ବିରୋଧ କରି ଆମରଣ ଅନଶନ ଚଳାଇଥିବା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଆଜି ଅନଶନରୁ ଓହରି ଯାଇଛନ୍ତି। ଫଳରେ କିଛିଦିନ ଧରି ଲାଗି ରହିଥିବା ଏହି ବିବାଦ ଏବେ ନୂଆମୋଡ଼ ନେଇଛି।

Advertisment

ଏଭଳି ସ୍ଥିତିରେ କିନ୍ତୁ ଆଜି ସୁଦ୍ଧା ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଏହି ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କୌଣସି ସିଧାସଳଖ ଆଲୋଚନା ସମ୍ଭବ ହୋଇ ପାରି ନଥିବା ଜଣାପଡିଛି। ସାଂସଦ ଭର୍ତ୍ତୃହରି ମହତାବ ଓ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଥିଲେ ବି ସିଧାସଳଖ ଭେଟି ଆଲୋଚନା ସମ୍ଭବ ହୋଇପାରିନାହିଁ। ୧୬ ତାରିଖ ସୁଦ୍ଧା ସରକାରଙ୍କ ଠାରୁ କୌଣସି ସୂଚନା ନମି‌‌ଳିଲେ ୧୭ ତାରିଖରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ ବୋଲି ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଶୁଣାଣି ଶେଷ, ଆଜି ପ୍ରକାଶ ପାଇବ ରାୟ
କଟକ : ପାର୍ବଣରେ ମୂର୍ତ୍ତି ଉଚ୍ଚତା ୪ ଫୁଟରେ ସୀମିତ ରଖିବା ପ୍ରସଂଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲୁବଜାର ପୂଜା କମିଟି ପକ୍ଷରୁ ଦାୟର ହୋଇଥିବା ଏହି ମାମଲାର ବିସ୍ତୃତ ଶୁଣାଣି କରିଥିବାବେଳେ ଆସନ୍ତାକାଲି ଦିନ ୨ଟାରେ ମାମଲାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।