କୋରାପୁଟ: ଥାନାକୁ ଆସୁଥିବା ଲୋକଙ୍କୁ ତ୍ବରିତ ନ୍ୟାୟ ଦେବା ସହ ସ୍ବଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ। ଶୁକ୍ରବାର ସକାଳେ ଡିଜିପି କୋରାପୁଟରେ ପହଞ୍ଚିବା ପରେ ଆଗକୁ ରାଜ୍ୟ ପୁଲିସରେ ହେବାକୁ ଥିବା ବଡ଼ ପରିବର୍ତ୍ତନ ସଂପର୍କରେ ସଂକେତ ଦେଇଛନ୍ତି।
ଗତକାଲି ମାଲକାନଗିରି ଜିଲ୍ଲାରେ ସମୀକ୍ଷା ପରେ ଆଜି ସକାଳେ କୋରାପୁଟ ବିଏସ୍‌ଏଫ୍‌ ‌ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ ଡିଜିପି। ବିଏସ୍‌ଏଫ୍‌ କ୍ୟାମ୍ପରେ ଆଲୋଚନା ପରେ ଏସ୍‌ଓଜି ତାଲିମ କେନ୍ଦ୍ର ଏବଂ ଡିଭିଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସମସ୍ତ ଥାନା ଅଧିକାରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ।

Advertisment

ନକ୍ସଲଙ୍କ ପୃଷ୍ଠପୋଷକତାରେ ଗଞ୍ଜେଇ ଚାଷ ସହ କାରବାର ବଢ଼ିଛି। ତେଣୁ ନକ୍ସଲ ମୂଳପୋଛ ହୋଇଗଲେ ଗଞ୍ଜେଇର ବି ସମୂଳ ବିନାଶ ଆପେ ଆପେ ହୋଇଯିବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ୨୦୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶା ପୁଲିସ ଦୃ୍ଢ଼ ସଂକଳ୍ପବଦ୍ଧ ବୋଲି ଘୋଷଣା କରିଥିଲେ। ଥାନାଠାରୁ ଆରମ୍ଭ କରି ଜିଲ୍ଲା ପୁଲିସକୁ ପ୍ରଭାବୀ ଓ ଗତିଶୀଳ କରାଯିବ। ଏଥିପାଇଁ ମାନବ ସମ୍ବଳ ବୃଦ୍ଧି ସହ ଭିତ୍ତିଭୂମିରେ ବିଶେଷ ଉନ୍ନତି ଅଣାଯିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସବୁ ଥାନାର ଭିତ୍ତିଭୂମିରେ ସୁଧାର ସହ ଗାଡ଼ି ଯୋଗାଇ ଦିଆଯିବ। ଆବଶ୍ୟକସ୍ଥଳେ ନୂଆ ଥାନା ଓ ଫାଣ୍ଡି ଖୋଲାଯିବ। ଲୋକଙ୍କୁ ସେବା ଯୋଗାଇ ଦେବାକୁ ସବୁ ଥାନାକୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଦିଆଯାଇଛି। ନିର୍ଦ୍ଦେଶ ଠିକ ଭାବେ ପାଳନ ହେଉଛି ନା ନାହିଁ, ତାହାର ସମୀକ୍ଷା ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସିଧାସଳଖ କରାଯିବ। ଡିଜିପିଙ୍କ ଗସ୍ତ ଅବସରରେ ଡିଆଇଜି ଗୁଇନ୍ଦା ଡ.କନୱର୍‌ ବିଶାଳ ସିଂ, ଅଖିଳେଶ କୁମାର ସିଂ, କୋରାପୁଟ ଏସ୍‌ପି ରୋହିତ ବର୍ମା, ଜୟପୁର ଏସ୍‌ଡିପିଓ ଅଙ୍କିତ ବର୍ମା ଓ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ପ୍ରମୁଖ ଉପସ୍ଥିତ ଥିଲେ।