ବ୍ରହ୍ମଗିରି : ଚିଲିକାରେ ଚଳିତବର୍ଷ ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଶୁକ୍ରବାର ଦିନ ଶେଷ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମି ଥିବାବେଳେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିଲିକାର ୫ଟି ରେଞ୍ଜ୍ ସାତପଡ଼ା, ବାଲୁଗାଁ, ଟାଙ୍ଗୀ, ରମ୍ଭା ଓ ଚିଲିକା ରେଞ୍ଜ୍ ସହିତ ନଳବଣରେ ପକ୍ଷୀଗଣନା କରାଯାଇଛି।
ଚଳିତବର୍ଷ ୫ଟି ରେଞ୍ଜ୍ରେ ୫୪ ହଜାର ୪୦୭ ବିଦେଶୀ ପକ୍ଷୀ ରହିଥିବା ବେଳେ ୮୫୪୦ଟି ଦେଶୀୟ ପକ୍ଷୀ ରହିଥିବା ଗଣନା ବେଳେ ଜଣାପଡ଼ିଛି। ଏହି ୫ଟି ରେଞ୍ଜ୍ରେ ୪୩ଟି ବିଦେଶୀ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ସାତପଡ଼ା ରେଞ୍ଜ୍ରେ ୭୭୪୪, ବାଲୁଗାଁରେ ୧୮୬୫୫, ଟାଙ୍ଗୀରେ ୨୦୫୭୦, ରମ୍ଭାରେ ୨୦୦୨ ଓ ଚିଲିକା ରେଞ୍ଜ୍ରେ ୫୪୩୬ଟି ବିଦେଶୀ ପକ୍ଷୀ ରହିଛନ୍ତି। ସେହିଭଳି ସାତପଡ଼ାରେ ୧୦୧୯, ବାଲୁଗାଁରେ ୧୯୨୬, ଟାଙ୍ଗୀରେ ୩୭୧୫, ରମ୍ଭାରେ ୬୨୨, ଚିଲିକା ରେଞ୍ଜରେ ୧୨୫୫ଟି ଦେଶୀୟ ପକ୍ଷୀ ରହିଛନ୍ତି। ୪୫ଟି ପ୍ରଜାତିର ଦେଶୀୟ ପକ୍ଷୀ ରହିଛନ୍ତି। ଚଳିତବର୍ଷ ମୋଟ୍ ବିଦେଶାଗତ ଓ ଦେଶୀୟ ପକ୍ଷୀ ୮୮ ପ୍ରଜାତିର ରହିଛନ୍ତି। ଗତବର୍ଷ ଏହି ୫ଟି ରେଞ୍ଜରେ ୬୧ ହଜାର ୩୫୦ଟି ବିଦେଶୀ ଓ ଦେଶୀୟ ପକ୍ଷୀ ରହିଥିଲେ। ସେମାନଙ୍କ ମଧ୍ୟରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ୪୮ ହଜାର ୨୫୪ଟି ରହିଥିବା ବେଳେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୧୩ ହଜାର ୯୬ ରହିଥିଲା। ୪୨ ପ୍ରଜାତିର ବିଦେଶୀ ଓ ୫୩ ପ୍ରଜାତିର ଦେଶୀୟ ପକ୍ଷୀ ଦେଖିବାକୁ ମିଳିଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ୧୫୯୭ଟି ପକ୍ଷୀ ବଢ଼ିଥିବା ବେଳେ ୭ଟି ପ୍ରଜାତି କମ୍ ଥିବା ଗଣନାରୁ ଜଣାପଡ଼ିଛି ବୋଲି ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ ଡିଏଫ୍ଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।
ଗଣନାରେ ୫ଟି ରେଞ୍ଜ୍ରେ ୫ଟି ଟିମ୍ ସାମିଲ ହୋଇଥିବା ବେଳେ ବାଇନାକୁଲାର ସହିତ ଜିପିଏସ୍ ପ୍ରକ୍ରିୟାରେ ପକ୍ଷୀଗଣନା ହୋଇଥିଲା। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଫ୍ଲେମିଙ୍ଗୋ, ପେଲିକାନ୍, ଗଡ୍ୱିଟ୍, ଗ୍ଲୋସିଆଆଇବିସ୍, ନର୍ଦ୍ଦନ୍ ପିଣ୍ଟେଲ୍ ପ୍ରଜାତିର ପକ୍ଷୀ ରହିଥିବା ବନବିଭାଗ କହିଛି। ନଳବଣରେ ୨୦ ହଜାରରୁ ଅଧିକ ପକ୍ଷୀ ରହିଥିବା ଡିଏଫ୍ଓ ଶ୍ରୀ ନାୟକ କହିଛନ୍ତି।