ଇବ୍ଥର୍ମାଲ : ଓଡ଼ିଶା ପାଓ୍ବାର ଜେନେରେସନ କର୍ପୋରେସନ୍ (ଓପିଜିସି)ରେ ଏଇଏସ୍ ଯୁଗର ସମାପ୍ତି ଘଟିଛି। ବହୁ ବାଦବିବାଦ ପରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ ପିସି) ୪୯ ପ୍ରତିଶତ ଅଂଶଧନ ଏଇଏସ୍ଠାରୁ ସଂପୂର୍ଣ୍ଣ କିଣି ନେଇଛି। କମ୍ପିଟିସନ୍ କମିସନ୍ ଅଫ୍ ଇଣ୍ଡିଆ ସୂଚନା ଅନୁସାରେ ଏ ଡିଲ୍କୁ କମ୍ପିଟିସନ ଆକ୍ଟ ୨୦୦୨ ର ସେକ୍ସନ୍ ୩୧(୧) ଅନୁଯାୟୀ ଅନୁମୋଦନ ମିଳିଥିବା ଜଣାପଡିଛି। ଏହା ହେବାପରେ ଗୁରୁବାର ଏଇଏସ୍ ଅଧିକାରୀ ଯେଉଁମାନେ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଥିଲେ ସେମାନେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଓପିଜିସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ସେପଟେ ଏଇଏସ୍ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ସହ ୭ ଦଫା ଦାବିନେଇ ଓପିଜିସି ଅଫିସର୍ସ ୟୁନିୟନ, ଓପିଜିସି କର୍ମଚାରୀ ସଂଘ ଓ ଇବ୍ଥର୍ମାଲ କର୍ମଚାରୀ ସଂଘର ମଧ୍ୟାହ୍ନ ଭୋଜନ ସମୟ ବିକ୍ଷୋଭ ଆଜି ୨୬ ଦିନରେ ପହଞ୍ଚିଛି। ଏଇଏସ୍ ସବୁକ୍ଷେତ୍ରରେ ଅଲବିଦା କହିସାରିଥିଲେ ମଧ୍ୟ ଏଇଏସ୍ କ୍ୟାଡର୍ରେ କାମ କରୁଥିବା କିଛି ଅଧିକାରୀ ଏବେ ବି ଓପିଜିସିରେ ରହି କାମ କରୁଥିବା ଓ ତାଙ୍କ ସଂପର୍କରେ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳି ନଥିବାରୁ ଅସନ୍ତୋଷ ଜାରି ରହିଛି। ବିଶେଷକରି ତୃତୀୟ ଓ ଚତୁର୍ଥ ୟୁନିଟ୍ ନିର୍ମାଣରେ ଏଇଏସ୍ର ଭୁଲ ନୀତି ଓ ଅର୍ଥ ହରିଲୁଟ୍ ଅଭିଯୋଗ ରହିଛି। ଓପିଜିସି ତୃତୀୟ ଓ ଚତୁର୍ଥ ୟୁନିଟ ନୂଆଁ ଅବସ୍ଥାରେ ବାରଂବାର ଅଚଳ ହେବା, ହପର୍ ଭାଙ୍ଗି ଦୁର୍ଘଟଣା ଘଟି ଜୀବନ ହାନି ଘଟିବା, ଯାନ୍ତ୍ରିକ ତ୍ରୁଟି ଘଟିବା, ୟୁନିଟ୍ ଦ୍ବୟ ପୂର୍ଣ୍ଣ ଉତ୍ପାଦନ ଦେଇ ନପାରି ୩୦/୪୦ ପ୍ରତିଶତ ଉତ୍ପାଦନ ଦେବା ଭଳି ଘଟଣା ଏବେ ଏଇଏସ୍ କାର୍ଯ୍ୟଶୈଳୀକୁ ପଦାରେ ପକେଇ ଦେଇଛି।
ଅନ୍ୟପକ୍ଷରେ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓପିଜିସିର ଏହି ଦୁଇଟି ବଡ଼ ପ୍ଲାଣ୍ଟକୁ କିପରି ସୁଧୁରା ଯିବ ତାହା ହିଁ ଏବେ ସବୁଠାରୁ ବଡ ପ୍ରଶ୍ନ। ଆଜିବି ୩ୟ ଓ ୪ର୍ଥ ୟୁନିଟ୍ରୁ ସମସ୍ୟା ହଟୁନି। ୟୁନିଟ୍ ୪ ଦିନ ୨ ଟା ୩୧ରେ ଓ ୟୁନିଟ୍ ୩ ଦିନ ୪ ଟା ୨୫ ରେ ଅଚଳ ହୋଇପଡିବାରୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସଂକ୍ରାନ୍ତରେ ଜନସଂପର୍କ ଅଧିକାରୀ ହିମାଂଶୁ ବେହେରାକୁ ପଚରା ଯିବାରୁ ଏହା ସାମାନ୍ୟ ତ୍ରୁଟିଥିଲା ତାକୁ ସଜଡାଯାଇ ରାତିସୁଦ୍ଧା ଆଜି କାର୍ଯ୍ୟକ୍ଷମ କରି ଦିଆଯିବ ବୋଲି କହିଛନ୍ତି। ୧୩୨୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସଂପନ୍ନ ୟୁନିଟ୍ ଦ୍ବୟର ଶତ ପ୍ରତିଶତ ନିର୍ମାଣ ଭାର ଏଇଏସ୍ ହାତରେ ଥିଲା। ୧୯୯୯ ପରଠୁ ୪୯ ପ୍ରତିଶତ ଅଂଶଧନ କିଣି ୫୧ ପ୍ରତିଶତ ଅଂଶଧନ ଥିବା ଓପିଜିସି ଉପରେ ଏଇଏସ୍ ଯେଉଁ କର୍ତୃତ୍ତ୍ବ ଥିଲା ତାହାର ଅନ୍ତ ଘଟିଛି। ଏବେ ସଂପୂର୍ଣ୍ଣ ୧୭୪୦ ମେଗାଓ୍ବାଟ ବିଶିଷ୍ଟ ୪ଟି ୟୁନିଟ୍ ସଂପନ୍ନ ଓପିଜିସି ପାଓ୍ବାର ପ୍ଲାଣ୍ଟ ସରକାରଙ୍କ ହାତରେ। ସରକାର ଏବେ ପୂର୍ଣ୍ଣ କ୍ଷମତାରେ ଉତ୍ପାଦନ କ୍ଷେତ୍ରରେ କି ପଦକ୍ଷେପ ଗ୍ରହଣ କରିବେ ଏବଂ ଓପିଜିସି ଅଧିକାରୀ କର୍ମଚାରୀଙ୍କ ଦାବି କେବେ ପୂରଣ ହେଉଛି ତାହା ଏବେ ଆଲୋଚନାର ବିଷୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/opgc-f.jpg)