ସରିଲା ଶୀତଳଷଷ୍ଠୀ ଯାତ୍ରା, ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର: ନଗର ଭ୍ରମଣ କରି ଭକ୍ତଙ୍କୁ ନବଯୌବନ ବେଶରେ ଯୁଗଳ ଦର୍ଶନ ଦେବା ପରେ ଦେବଦେବ ମହାଦେବ ଜଗତଜନନୀ ମହାମାୟା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି। ଏଥି ସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ବଲପୁରର ସୁପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ମଙ୍ଗଳବାର ସଂଧ୍ୟାରେ ବିଶ୍ୱନିୟନ୍ତା ମହାଦେବ ନବବିବାହିତା ଦେବୀ ପାର୍ବତୀଙ୍କ ସହ ନଗର ପରିକ୍ରମା ଶେଷ କରି ନିଜ ମନ୍ଦିରରେ ପହଞ୍ଚିଥିଲେ। ନନ୍ଦପଡ଼ାର ବଂବରାଡ଼ ବାଲୁଂକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ୱର ବାବା ନିଜ ନିଜ ମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ରୀତିନୀତି କରା ଯାଇଥିଲା। ମହାଆଳତି, ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପରେ ରାତି ସୁଦ୍ଧା ଠାକୁରମାନଙ୍କ ଗର୍ଭଗୃହ ପ୍ରବେଶ ହୋଇଥିଲା।

ଗୋଟିଏ ରାତି ଓ ଗୋଟିଏ ଦିନ ଧରି ଚାଲିଥିବା ବିଭିନ୍ନ ପଡ଼ାର ଏହି ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇ ଯାତ୍ରାକୁ ଉପଭୋଗ କରିବା ସହ ଭକ୍ତିଭାବରେ ଲୀନ ହୋଇଥିଲେ। ମଙ୍ଗଳବାର ଦିନ ତମାମ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମ ସତ୍ତ୍ୱେ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ସବୁ ପଡ଼ାର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସହରର ସମସ୍ତ ରାସ୍ତା ଲୋକାରଣ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର