ଖୋର୍ଦ୍ଧା: ନାଁ ହେଲା ‘ଡଙ୍ଗରରାଣୀ’। ଇଏ କୌଣସି ପାହାଡ଼ ପର୍ବତ କିମ୍ବା ବ୍ୟକ୍ତି ବିଶେଷର ନାମ ନୁହେଁ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପାରମ୍ପରିକ ପଦ୍ଧତିରେ ଚାଷ ହେଉଥିବା ଫସଲ। ଯାହା ଏବେ ବିଲୁପ୍ତାଭିମୁଖୀ। ଯାହାର ପୁନରୁଦ୍ଧାର ଓ ବହୁଳ ପ୍ରଚାର ପାଇଁ ଭାରତୀୟ ଡାଲିଜାତୀୟ ଗବେଷଣା କେନ୍ଦ୍ର ଖୋର୍ଦ୍ଧା ଶାଖା ଉଦ୍ୟମ ଆରମ୍ଭ କରିଛି। କେବଳ ପନୁରୁଦ୍ଧାର ନୁହେଁ, ଏ ଡାଲି ଉପରେ ଅଧିକ ଗବେଷଣା ଆରମ୍ଭ ହେବାକୁ ଯାଉଛି। ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଆଶିଷ କୁମାର ରାଉତଙ୍କ କହିବା ମୁତାବକ, ‘ଡଙ୍ଗରରାଣୀ’ ବୁଟ, ମୁଗ, କି ହରଡ଼ ଭଳି ବିହନ ନୁହେଁ। କୋଳଥ ଯେମିତି ଡାଲି ପ୍ରଜାତିର ଏକ ସ୍ବତନ୍ତ୍ର ଫସଲ, ସେମିତି ଡଙ୍ଗରରାଣୀ ଏକ ଭିନ୍ନ ପ୍ରକାରର ଡାଲି। ଯାହା ଏକ ଲତାଜାତୀୟ ଫସଲ। ଆଦିବାସୀ ଅଞ୍ଚଳର ଲୋକେ ଏ ଡାଲିକୁ ଚାଷ କରୁଛନ୍ତି।

Advertisment

ଡାଲି ଏକ ଭଲ ପୋଷକ ତତ୍ତ୍ବ। ଯାହାର ଉତ୍ପାଦନ ଓଡ଼ିଶାରେ ଅପେକ୍ଷାକୃତ କମ୍‌। ଲୋକେ ଧାନ ପରେ ଡାଲି ଜାତୀୟ ଫସଲ ମୁଗ, ବିରିକୁ ଏକ ବିକଳ୍ପ ଚାଷ ଭାବେ ଗ୍ରହଣ କରୁଛନ୍ତି। ଏ ଚାଷକୁ ମୁଖ୍ୟ ଫସଲ ରୂପେ ଉଭା କରାଇବା ଦିଗରେ ପୁଙ୍ଖାନୁପୁଙ୍ଖ ଗବେଷଣା ପାଇଁ ୨୦୨୦ ମସିହାରେ ଭାରତୀୟ ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର କାନପୁର ଏକ ଶାଖା ଖୋର୍ଦ୍ଧାରେ ଖୋଲିଛି। ଏ ଶାଖା ଏବେ ଓଡ଼ିଶା ବିଲୁପ୍ତପ୍ରାୟ ଓ ବିଲୁପ୍ତାଭିମୁଖୀ ବିହନ ଓ ଫସଲର ଅନୁସନ୍ଧାନ କରୁଛି। ତନ୍ମଧ୍ୟରେ କୋରାପୁଟର ‘ଡଙ୍ଗରରାଣୀ’ ଅନ୍ୟତମ ବୋଲି ବୈଜ୍ଞାନିକ ଡ. ରାଉତ ପ୍ରକାଶ କରିଛନ୍ତି। ନିକଟରେ କୋରାପୁଟରୁ ବିହନ ସଂଗ୍ରହ କରାଯାଇଛି। ଏ ବିହନରେ କ’ଣ ସବୁ ବିଶେଷତ୍ବ ଅଛି, ତା’ର ରୋଗ ପ୍ରତିରୋଧକ ଶକ୍ତି କ’ଣ, ଓଡ଼ିଶାର ଅନ୍ୟ ସ୍ଥାନରେ ଏହା କିପରି ବିକଶିତ ହୋଇ ପାରିବ, ଏ ସବୁ ଦିଗର ଗବେଷଣା କରାଯିବ। ଚାଷୀଙ୍କ ପାଖରୁ ଏ ବିହନ ସବୁଦିନ ପାଇଁ ବୁଡ଼ିଯିବା ପୂର୍ବରୁ ଆଗାମୀ ତିନି ଶହ ବର୍ଷ ପର୍ଯ୍ୟନ୍ତ ଯେମିତି ସଂରକ୍ଷିତ ରହିପାରିବ ସେଥିପାଇଁ ଏହାର ବିହନକୁ ଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ୍ ବ୍ୟୁରୋ ଅଫ୍‌ ପ୍ଲାଣ୍ଟ୍‌ ଜେନେଟିକ୍‌ ରିସୋର୍ସ ସେଣ୍ଟରକୁ ପଠାଯିବ ବୋଲି ଡ. ରାଉତ ପ୍ରକାଶ କରିଛନ୍ତି।