ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ର ଜୀବନରେଖା ଭାବେ ପରିଚିତ ଘୋଡ଼ାହାଡ଼ ନଦୀ ବିପଦରେ। ଗୋଟିଏ ପଟେ ଅହରହ ବାଲି ଉତ୍ତୋଳନ ଯୋଗୁ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ବର୍ଷାଭାବ ଯୋଗୁ ଡ୍ୟାମ୍ ଶୁଖିଲା। ମାର୍ଚ୍ଚ ପହିଲାରୁ ହିଁ ଘୋଡ଼ାହାଡ଼ ନଦୀଶଯ୍ୟାରେ ଜଳଧାର ଶୁଖି କାଶତଣ୍ଡି ସମେତ ଅନ୍ୟାନ୍ୟ ଅନାବନା ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ସାରିଛି। ଫଳରେ ନଦୀ ପାର୍ଶ୍ବବର୍ତ୍ତୀ ୫ରୁ ୭ କିଲୋମିଟର ମଧ୍ୟରେ ଅବସ୍ଥିତ ଗାଁ ଗୁଡ଼ିକରେ ପିଇବା ପାଣି ସମସ୍ୟା ଏବେଠୁ ଉତ୍କଟ ରୂପ ଧାରଣ କରିଛି। କେବଳ ଏତିକି ନୁହେଁ, ଭୂତଳ ଜଳସ୍ତର କମି ଚାଲିବା କାରଣରୁ ପୋଖରୀ ଓ ଗାଡ଼ିଆ ସବୁ ଶୁଖିଲା ପଡ଼ିଛି, ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବନ୍ୟଜନ୍ତୁ ମଧ୍ୟ ସଂକଟରେ। ସାନଖେମୁଣ୍ଡି ବ୍ଲକ୍ର ଶତାଧିକ ଗ୍ରାମବାସୀ ଘୋଡ଼ାହାଡ଼ ନଦୀ ଉପରେ ନିର୍ଭରଶୀଳ। ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ଜରିଆରେ ଏହି ନଦୀରୁ ପିଇବା ପାଣି ଯୋଗାଣ ହେଉଛି। ଏହାସହ ଜମିକୁ ଜଳସେଚନ ଦିଗରେ ମଧ୍ୟ ଏହି ନଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ବର୍ତ୍ତମାନ ନଦୀ ଶୁଖିଯିବାରୁ ସ୍ଥିତି ଚିନ୍ତାଜନକ ପାଲଟିଛି। ସେହିପରି ବର୍ଷା ଅଭାବରୁ ଗଲା ଖରିଫ୍ ଋତୁରେ ଚାଷୀ ବିକଳ୍ପ ଭାବେ ପୋଖରୀ ଓ ଗାଡ଼ିଆର ପାଣିକୁ ଧାନଚାଷ ପାଇଁ ବ୍ୟବହାର କରିଥିଲା। କିନ୍ତୁ ତାହା ବି ଶୁଖିଲା ପଡ଼ିଥିବାରୁ ବନ୍ୟଜନ୍ତୁଙ୍କ ସମେତ ଗୃହପାଳିତ ପଶୁଙ୍କ ପାଇଁ ପାନୀୟଜଳ ସଙ୍କଟ ଦେଖାଦେଇଛି।
ଘୋଡ଼ାହାଡ଼ ନଦୀ ନିକଟସ୍ଥ ଗୁମ୍ମା, ମୌଳାଭଞ୍ଜା, ତିଳେଶ୍ୱର, ସୁମନ୍ତପୁର, ପଳାସପୁର, ଆମ୍ବଗାଁ, ଭାଲିଆଝୋଳା, ପାଟପୁର, ଏରେଣ୍ଡ୍ରା, ଖଲିଙ୍ଗି, ଜଲମରା ଓ ସାହାସପୁର ଗ୍ରାମ ହେଉଛି କୃଷ୍ଣସାର ମୃଗ ଏବଂ ବାର୍ହାଙ୍କ ସମେତ ବିଭିନ୍ନ ପଶୁଙ୍କ ବାସସ୍ଥଳୀ। ପାଣି ପାଇଁ ସେମାନେ ନଦୀ, ପୋଖରୀ ଓ ଗାଡ଼ିଆ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଜଳାଶୟରେ ପାଣିର ଅଭାବ ଓ ଘୋଡ଼ାହାଡ ନଦୀରେ ଜଳର ଧାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିପରି ସୁମନ୍ତପୁର ଓ ହରିଣା ନିକଟ ପାହାଡ଼ରେ ବହୁ ସଂଖ୍ୟାରେ ବାର୍ହା ଓ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ରହିଥିବାରୁ ସେମାନେ ଘୋଡ଼ାହାଡ଼ ନଦୀକୁ ଆସିଥା’ନ୍ତି। ବର୍ତ୍ତମାନ ଏମାନଙ୍କ ଜୀବନ ବିପଦରେ ବିପଦରେ ପଡ଼ିଛି। ଅନ୍ୟପଟେ ସାନଖେମୁଣ୍ଡି ବ୍ଲକ୍ର କ୍ଷୁଦ୍ର ଜଳଭଣ୍ଡାର ଖଇରବାଙ୍କ, ଗୋପାଳଗଣ୍ଡ ଏବଂ ରଘୁନାଥସାଗରର ପାଣିକୁ ଧାନଚାଷ ପୂର୍ବରୁ ମରାମତି ନାମରେ ଶୁଖାଇ ଦିଆଯାଇଥିଲା। ସେହିପରି ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରୁ ଉଠା ଜଳସେଚନ ବ୍ୟବସ୍ଥା ସଫଳ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଆଗକୁ ସ୍ଥିତି ସଙ୍ଗିନ ହେବା ଆଶଙ୍କା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/hfkfhkhfkkfh.jpg)