ଶକ୍ତି ବିଭାଗରେ ଖୋଲିବ ୨୪ ଘଣ୍ଟିଆ ମନିଟରିଂ ସେଲ୍‌

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ‌େହାଇଛି। ବାତ୍ୟାରେ ବିଜୁଳି ଭିତ୍ତିଭୂମି ନଷ୍ଟ ହେବାର ସର୍ବାଧିକ ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗ୍ରିଡ୍‌କୋ/ଓପିଟିସିଏଲ୍‌ରେ ଏକ ୨୪ ଘଣ୍ଟିଆ ମନିଟରିଂ ସେଲ୍‌ କାର୍ଯ୍ୟ କରିବ। ଏହା ସହ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ତଥା ଡିଭିଜନ୍ କାର୍ଯ୍ୟାଳୟଗୁଡ଼ିକରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଆଜି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଗ୍ରିଡ୍‌କୋ ତଥା ଓପିଟିସିଏଲ୍‌ର ସିଏମ୍‌ଡି, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ପରେ ବିଜୁଳି ଯୋଗାଣ ସ୍ବାଭାବିକ କରିବାକୁ ଆବଶ୍ୟକ ହେଉଥିବା ଗଛକଟା ତଥା ରାସ୍ତା ଅବରୋଧ ହଟାଇବା ନିମନ୍ତେ ବିଦ୍ୟୁତ ବିତରଣ କମ୍ପାନିମାନଙ୍କୁ ଏନ୍‌ଡିଆର୍‌ଏଫ୍‌/ଓଡ୍ରାଫ୍‌/ଅଗ୍ନିଶମ ସେବା/ଓଏଫ୍‌ଡିସି ସଂସ୍ଥାର ଆବଶ୍ୟକ ସହଯୋଗ ଯଥାଶୀଘ୍ର ଯୋଗାଇଦେବାକୁ ଏସ୍‌ଆର୍‌ସିଙ୍କୁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର