ବାତ୍ୟା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି

ଭୁବନେଶ୍ବର : ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଆଜି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ନେସ୍କୋ, ସେସୁ ଓ ଓପିଟିସିଏଲ୍‌ ପକ୍ଷରୁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ପ୍ରେରଣ କରାଯାଇଥିବା ମାନବ ସମ୍ୱଳ ଓ ବୈଦ୍ୟୁତିକ ଯନ୍ତ୍ରପାତି ସମ୍ୱନ୍ଧୀୟ ବିବରଣୀ ଉପସ୍ଥାପନ କରାଯାଇଥିଲା। ସମ୍ଭାବ୍ୟ ବାତ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳରେ ନେସ୍କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସୂରୁପ ବିଦ୍ୟୁତ ଭିତ୍ତିଭୂମି ଥିବା ସ୍ଥାନରେ ଆଗୁଆ ଗଛଗୁଡ଼ିକରୁ ଡାଳପତ୍ର କଟା ଯାଉଥିବା ବିଷୟ ବୈଠକରେ ଅବଗତ କରାଯାଇଥିଲା । ଅଦ୍ୟାବଧି ନେସ୍କୋ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୧୩୯ଟି ଗ୍ୟାଙ୍ଗ ପହଞ୍ଚି ନିଜ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟ ୨୧ଟି ଗ୍ୟାଙ୍ଗ ୱେସ୍କୋ ଓ ସାଉଥ୍‌କୋରୁ ଆସି ଯଥାଶୀଘ୍ର ଏହି ଅଞ୍ଚଳରେ ପହଞ୍ଚି କାର୍ଯ୍ୟରେ ଯୋଗ ଦେବେ। ଓପିଟିସିଏଲ୍‌ ଦ୍ୱାରା ବାତ୍ୟାରେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବା ଭୋଗରାଇ, ବାଲେଶ୍ୱର, ଚାନ୍ଦବାଲି, କେନ୍ଦ୍ରାପଡ଼ା, ଓଳାଭର, ଚନ୍ଦକା ଓ ଭଦ୍ରକ ଠାରେ ଗ୍ରିଡ଼୍ ଓ ତତ୍ ସଂଲଗ୍ନ ଲାଇନ ଓ ଟାୱାର ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ୱଳ ନିୟୋଜିତ କରାଯାଇଛି। ଏସବୁ ଅଞ୍ଚଳରେ ତୁରନ୍ତ ଟାୱାର ମରାମତି ପାଇଁ ଆବଶ୍ୟକ ଇଆର୍‌ଏସ୍‌ ଟାୱାର ଚନ୍ଦକା ଠାରେ ପ୍ରସ୍ତୁତ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳରେ ବିକଳ୍ପ ସୂତ୍ରରୁ ଅସ୍ଥାୟୀ ଭାବେ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ ଦେବାକୁ ଶକ୍ତି ବିଭାଗର ପ୍ରମୁଖ ସଚିବ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର