ଭୁବନେଶ୍ବର : ରାଜ୍ୟର ସୀମା ସୁରକ୍ଷିତ ନୁହେଁ। କୋଟିଆରେ ଆନ୍ଧ୍ର ନିର୍ବାଚନ କରି ଚାଲିଗଲା। କିନ୍ତୁ ଓଡ଼ିଶା ସରକାରଙ୍କ ପ୍ରଶାସନ ଜଳକା ହୋଇ ଚାହିଁ ରହିଲା। ଲଘୁ ଖଣିଜ ପଦାର୍ଥରୁ ହଜାର ହଜାର କୋଟି ଆଦାୟ ହୋଇପାରନ୍ତା। କିନ୍ତୁ ସରକାରଙ୍କ ଢିଲାପଣ ଯୋଗୁ ମାତ୍ର ୨୦୦ କୋଟି ରାଜସ୍ବ ପାଉଛନ୍ତି। ସେହିପରି ରାଜସ୍ବ ବୃଦ୍ଧି ପାଇଁ ମଦ ଦୋକାନ ଖୋଲି ପରିବାର ନଷ୍ଟ କରୁଛନ୍ତି। ଅବକାରୀ ବିଭାଗକୁ ବନ୍ଦ କରାଯାଉ। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କ ଉପରେ ଏପରି ଗର୍ଜିଛନ୍ତି ବିରୋଧୀ। ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ରାଜ୍ୟର ସୀମା ସୁରକ୍ଷାକୁ ନେଇ ସରକାର ସତର୍କ ଅଛନ୍ତି। କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ ମଧ୍ୟ କୋଟିଆର ବିକାଶ ନେଇ ଯୋଜନା କାର୍ଯ୍ୟକାରି କରିଛନ୍ତି। ଲଘୁ ଖଣିଜ ପଦାର୍ଥରୁ ସରକାର ୬୩୮ କୋଟି ୧୫ ଲକ୍ଷ ଟଙ୍କା ରାଜସ୍ବ ପାଇଛନ୍ତି। ଅନ୍ୟପଟେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ରାଜସ୍ବ ବୃଦ୍ଧି ପାଇଁ ସରକାର ମଦ ଦୋକାନ ଖୋଲୁନାହାନ୍ତି। ମଦ କାରବାରକୁ ସ୍ବଚ୍ଛ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ।
ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ କହିଥିଲେ, ସୀମା ବିବାଦ ନେଇ ସରକାର ସବୁବେଳେ ଦୃଷ୍ଟି ଦେଉଥିବା କଥା କୁହନ୍ତି କିନ୍ତୁ କିଛି ବି ପଦକ୍ଷେପ ନିଅନ୍ତି ନାହିଁ। ଗୁଇନ୍ଦା ବିଭାଗର ବିଫଳତା ଯୋଗୁ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତ ନିର୍ବାଚନ କରିବାରେ ସଫଳ ହେଲା। କେତେବଳେ କୋଟିଆର ସମସ୍ତ ଗ୍ରାମପୁଞ୍ଜ ବି ଆନ୍ଧ୍ର ନେଇଯାଇଥିବ। ବାଲି, ମୋରମ୍ ଓ ପଥର ପରି ଲଘୁ ଖଣିଜ ପଦାର୍ଥ ରାଜ୍ୟରୁ ବେଧଡ଼କ ଭାବେ ଚୋରାଚାଲାଣ ହେଉଛି। ଯେତିକି ଚୋରା ଚାଲାଣ ହେଉଛି ତାକୁ ରୋକାଯାଇପାରିଲେ ରାଜ୍ୟ ୧୦ ହଜାର କୋଟି ରାଜସ୍ବ ପାଆନ୍ତା। ସେହିପରି ଘରେ ଘରେ ମଦର ପ୍ରସାର କରି ସରକାର ପରିବାର ଛାରଖାର କରୁଥିବା ନେଇ ଶ୍ରୀ ମାଝୀ କହିଥିଲେ। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଅବ୍ୟବହୃତ ସରକାରୀ ଜମି ଫେରସ୍ତ ଓ ବେଆଇନ ମଦ କାରବାର ବନ୍ଦ ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଇଡକୋ ସିଏମ୍ଡିଙ୍କ ବିରୋଧରେ ଅଭିଯୋଗ କରିବା ସହ ଜଟଣୀ ଅଧିବାସୀଙ୍କ ସ୍ଥିତିବାନ ଜମି ମହାପ୍ରଭୁ ଜଗନ୍ନାଥଙ୍କ ନାମରୁ ଫେରସ୍ତ ନେଇ ଗୃହରେ ଦାବି ଉପସ୍ଥାପନ କରିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ମନୋହର ରନ୍ଧାରୀ, ବିଧାୟିକା ଲତିକା ପ୍ରଧାନ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଭାଗ ନେଇଥିଲେ।
ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖିବା ପରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୨୭୮ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କାର ବିଭାଗୀୟ ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା। ସେହିପରି ଅବକାରୀ ମନ୍ତ୍ରୀଙ୍କ ଉତ୍ତର ପରେ ୧୨୮ କୋଟି ୬୦ ଲକ୍ଷ ୭୮ ହଜାର ଟଙ୍କାର ବିଭାଗୀୟ ଖର୍ଚ୍ଚ ଦାବି ଗୃହୀତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/alcohol.jpg)