କୋଟିଏ ଟଙ୍କାର ବ୍ରାଉନସୁଗାର ସହ ଇଞ୍ଜିନିୟର ଗିରଫ

କୋଲକାତାରୁ ଏଜେଣ୍ଟଙ୍କ ଜରିଆରେ ଆଣୁଥିଲା ଧଳାଜହର
ପଢ଼ା ସମୟରେ ଖାଉଥିଲା, ପରେ ପାଲଟି ଯାଇଥିଲା ବେପାରୀ
ଖୋର୍ଦ୍ଧା, ଭୁବନେଶ୍ବରରେ କୋଡ୍‌ୱାର୍ଡରେ କରୁଥିଲା ବିକ୍ରି
ଆହୁରି ଦୁଇ ଶହରୁ ଅଧିକ ସାମିଲ

ଭୁବନେଶ୍ବର : ଶିକ୍ଷାଗତ ଯୋଗ୍ୟତା ବି.ଟେକ୍। କିନ୍ତୁ ପେସାରେ ବ୍ରାଉନସୁଗାରେ ବେପାରୀ। କିଛିଦିନ ଭିତରେ ପାଲଟି ଯାଇଥିଲା ବ୍ରାଉନସୁଗାର ବାଦ୍‌ଶାହା। ସିଧା କୋଲକାତାରେ ବେପାରୀଙ୍କ ସହ ଯୋଗାଯୋଗରେ ରହୁଥିଲା। ଏଜେଣ୍ଟ ବାଲେଶ୍ବରର ଜଳେଶ୍ବର ଦେଇ ପହଞ୍ଚାଉଥିଲେ ଧଳାଜହର। ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରାପଡ଼ିଛି ବି.ଟେକ୍ ଡିଗ୍ରିଧାରୀ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ। ତା’ ନିକଟରୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗାର, ଏକ ପଲ୍‌ସର ବାଇକ୍ ଜବତ କରାଯାଇଛି। ଜବତ ଧଳାଜହର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଏସଟିଏଫ୍ କହିଛି।

ମିଳିଥିବା ସୂଚନା ଅନୁସାରେ, ମନୋରଞ୍ଜନ ରାଜଧାନୀର ଏକ ଜଣାଶୁଣା କଲେଜରେ ବି.ଟେକ୍ ପଢ଼ୁଥିଲା। ସେହି ସମୟରେ ବ୍ରାଉନସୁଗାର ଜାଲରେ ପଡ଼ି ଯାଇଥିଲା। କୁସଙ୍ଗରେ ପଡ଼ି ନିଶା ସେବନ କରୁଥିଲା।

odisha-bytes

ବ୍ରାଉନସୁଗାର କେମିତି ଆସୁଛି, କେମିତି ବିକ୍ରି ହେଉଛି, ଖୁଚୁରା ବେପାରୀଙ୍କ ପାଖରେ କେମିତି ପହଞ୍ଚୁଛି ତା’ର ଟିକିନିଖି ତଥ୍ୟ ହାସଲ କରିଥିଲା। ବିପୁଳ ଟଙ୍କା ରୋଜଗାର ହେଉଥିବାରୁ ଲୋଭ ସମ୍ଭାଳି ପାରି ନ ଥିଲା। ବି.ଟେକ୍ ପାସ କରିବା ପରେ ନିଶା କାରବାରରେ ପାଦ ଥାପିଥିଲା। ସେ ନିଜେ ସିଧାସଳଖ ମାଲ ଆଣି ନ ଥାଏ। କିନ୍ତୁ କୋଲକାତାର ବେପାରୀଙ୍କ ସହ ଯୋଗାଯୋଗରେ ରହିଥାଏ। କେବଳ ହ୍ବାଟସ୍ଆପ୍ କଲ୍ ଓ ଚାଟିଂରେ ଡିଲ୍ କରେ। ତା’ର ଦୁଇ ଜଣ ଏଜେଣ୍ଟ ମଧ୍ୟ ରହିଛନ୍ତି। କୋଲକାତାରୁ ବ୍ରାଉନସୁଗାର ଆସି ଜଳେଶ୍ବରରେ ପହଞ୍ଚିବା ପରେ ଏଜେଣ୍ଟ ମନୋରଞ୍ଜନ ପାଖରେ ପହଞ୍ଚାନ୍ତି। ଏହା ପରେ ସ୍ବତନ୍ତ୍ର କୋଡ୍ଓ୍ଵାର୍ଡ ‘ପାଉ’ ବ୍ୟବହାର କରି ବିକ୍ରି କରାଯାଏ। ରାଜଧାନୀ ଉପକଣ୍ଠ ଓ ଖୋର୍ଦ୍ଧା ଅଞ୍ଚଳରେ ଖୁଚୁରା ବେପାରୀଙ୍କ ପାଖରେ ବ୍ରାଉନସୁଗାର ପହଞ୍ଚାଇ ଥାଏ ମନୋରଞ୍ଜନ। ଏଥିପାଇଁ ତା’ର ପିଲା ମଧ୍ୟ ରହିଛନ୍ତି। ଏ ସମ୍ପର୍କରେ ଏସଟିଏଫ୍ ପାଖରେ ଖବର ପହଞ୍ଚିଥିଲା।

ଗତକାଲି ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରେ କେଜିଏ ବ୍ରାଉନସୁଗାର ଧରି ଖୁଚୁରା ବେପାରୀଙ୍କୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲା ମନୋରଞ୍ଜନ। ପୂର୍ବରୁ ଖବର ପାଇଥିବା ଏସଟିଏଫ୍ ମନୋରଞ୍ଜନକୁ ଧରିବା ପାଇଁ ଜାଲ ବିଛାଇଥିଲା। ମନୋରଞ୍ଜନ ବାଇକ୍ ସହ ଛିଡ଼ା ହୋଇଥିବା ବେଳେ ଏସଟିଏଫ୍ ଟିମ୍ ତାକୁ ମାଡ଼ି ବସିଥିଲା। ଏକ ପ୍ୟାକେଟ ଭିତରୁ ଧଳାଜହର ଜବତ କରିଥିଲା। ଏ ସଂକ୍ରାନ୍ତରେ ଏସଟିଏଫରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଅଭିଯୁକ୍ତକୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୦ରୁ ଏବେ ସୁଦ୍ଧା ଏସଟିଏଫ୍ ୩୯ କେଜି ବ୍ରାଉନସୁଗାର ଜବତ କରିଛି। ଯାହା ଦେଶରେ ମଧ୍ୟ ଏକ ରେକର୍ଡ ବୋଲି କୁହାଯାଉଛି। ସେହିପରି ୮୬ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।

ଦୁଇ ବର୍ଷରେ ଧରାପଡ଼ିଲେଣି ୨୦ରୁ ଅଧିକ
ବାଲେଶ୍ବର ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଏପରିକି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଭିତରେ ପ୍ରାୟ ଦୁଇ ଶହରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ବ୍ରାଉନସୁଗାର ବେପାରରେ ସାମିଲ ରହିଛନ୍ତି। କଲେଜରେ ପଢ଼ିବା ସମୟରେ ବ୍ରାଉନସୁଗାର ଖାଉଥିବା ବେଳେ ପରେ ବେପାରରେ ପାଦ ରଖିଥାନ୍ତି। ଆଉ ପାଲଟିଯାନ୍ତି କୁଖ୍ୟାତ ନିଶା ବେପାରୀ। ନିଜର ନେଟଓ୍ଵର୍କକୁ ବଢ଼ାଇ ବେପାର କରନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାଲେଶ୍ବରରୁ ଆରମ୍ଭ କରି କଟକ, ଜଗତସିଂହପୁର, ଭୁବନେଶ୍ବରରୁ ୨୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ଗିରଫ ହୋଇ ସାରିଲେଣି। ନିକଟରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମାମଲାର ତଦନ୍ତଭାର ନେଇଛି ଇଡି।

ସମ୍ବନ୍ଧିତ ଖବର