ବଲାଙ୍ଗୀର/ଦେଓଗାଁ : କରୋନା ଲକ୍‌ଡାଉନ୍‌ ଜୀବନଜୀବିକା ଉଜାଡ଼ି ଦେଇଛି। ଆଉ ଏ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଯୁବ ଇଞ୍ଜିନିୟର ଅନନ୍ତ ବେରିଆ। ଏକଦା ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଅନନ୍ତ ହାତରେ କୋଡ଼ି, କୋଦାଳ ଧରି ପାଲଟିଛନ୍ତି ମନରେଗା ମଜୁରିଆ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତିକୁ ନେଇ ଯେଉଁ ବାପାଙ୍କର ଦିନେ ଛାତି କୁଣ୍ଢେମୋଟ ହୋଇଥିଲା, ଏବେ ସେହି ବାପାଙ୍କ ସହ ଦେହରୁ ଝାଳ ବୁହାଉଛନ୍ତି। ବଂଚିବା ପାଇଁ ସଂଘର୍ଷ କରୁଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲାବେଳେ ବଙ୍ଗାଙ୍ଗୀର ଜିଲ୍ଲାପାଳ ଡିଆର୍‌ଡିଏରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Advertisment

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଜୁର୍ଲାକାନୀ ଗାଁର ବୈଶାଖୁ ବେରିଆଙ୍କ ପୁଅ ଅନନ୍ତ। ଦୁଇପୁଅ ଓ ଦୁଇଝିଅ ଭିତରେ ସେ ବଡ଼। ଦିନ ମଜୁରିଆ ଭାବରେ କାମ କରି ବୈଶାଖୁ ପୁଅ ଅନନ୍ତଙ୍କୁ ପାଠ ପଢ଼ାଇଥିଲେ। ୨୦୧୮ ମସିହାରେ ସିଭିଲ ଇଞ୍ଜିନିୟରିଂରେ ବିଟେକ୍ କରିବା ପରେ ଚେନ୍ନାଇରେ ଏକ ବେସରକାରୀ ସଂସ୍ଥାରେ ଇଞ୍ଜିନିୟର ଭାବରେ ଯୋଗଦେଇ କାମ କରୁଥିଲେ। କରୋନା ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ହୋଇଯିବାରୁ ସେ ଗାଁକୁ ଫେରିଥିଲେ। ବଡ଼ ପରିବାରରେ ଏକମାତ୍ର ରୋଜଗାରିଆ ଭାବରେ ଏଠି ବାପା। ବାପାଙ୍କ ସହ ଅନନ୍ତ ବି ମନରେଗା ମଜୁରି କରିବାକୁ ବାହାରିଥିଲେ। ଶ୍ରମିକ ଭାବେ କାମ କରୁଥିଲେ ଇଞ୍ଜିନିୟର ଅନନ୍ତ।

ମଙ୍ଗଳବାର ଜିଲ୍ଲାପାଳ ଚଞ୍ଚଳ ରାଣା ଜୁର୍ଲାକାନୀ ଗାଁର ମନରେଗା କାମ ଦେଖିବାକୁ ଆସିଥିବା ସମୟରେ ଏ ବିଷୟରେ ଜାଣିବାକୁ ପାଇଥିଲେ। ଅନନ୍ତଙ୍କ ସହ କଥା ହେବା ପରେ ବଲାଙ୍ଗୀର ଆସି ତାଙ୍କୁ ସାକ୍ଷାତ କରିବାକୁ କହିଥିଲେ। ଅନନ୍ତ ତାଙ୍କ ବାପା ବୈଷ୍ଣବ ବେରିଆଙ୍କ ସହ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ। ଜିଲ୍ଲାପାଳ ସମସ୍ତ କାଗଜପତ୍ର ଦେଖିବା ପରେ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ। ପ୍ରଥମେ  ଡିଆରଡିଏ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛଥିବା ଅନନ୍ତ ପ୍ରକାଶ କରିଛନ୍ତି।