ପୁରୀ : ମାନସିକ ସନ୍ତୁଳନ ବିଗିଡ଼ିବା ପରେ ଦୀର୍ଘ ୧୫ ବର୍ଷ ଧରି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରି ଚଳି ଆସୁଥିବା ଉଚ୍ଚଶିକ୍ଷିତ ଇଂଜିନିୟର ଗିରିଜା ଶଙ୍କର ମିଶ୍ର(୫୦) ଶେଷରେ ଘରକୁ ଫେରିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୩ଟାରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରିବା ସମୟରେ ଗିରିଜାଙ୍କୁ ତାଙ୍କ ବଡ଼ଭାଇ ଓ ଭଉଣୀ ଉଦ୍ଧାର କରି ଘରକୁ ଫେରାଇ ନେଇଛନ୍ତି। ତେବେ ଗିରିଜାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ଘରକୁ ଫେରାଇ ନେବାକୁ ପରିବାର ଲୋକଙ୍କୁ ନାକେଦମ ହେବାକୁ ପଡ଼ିଛି। କେଉଁ କାରଣରୁ ଗିରିଜା ଘର ଛାଡ଼ିଥିଲେ ସ୍ପଷ୍ଟ ହୋଇନଥିଲେ ବି ଏହା ପଛରେ ପାରିବାରିକ କଳହ ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। କାରଣ ଯାହା ଥାଉ ନା କାହିଁକି ପ୍ରଥମେ ଏହି ଖବର ଲୋକଲୋଚନକୁ ଆଣିଥିବା ‘ସମ୍ବାଦ’ର ମହତ ଉଦ୍ୟମ ସଫଳ ହୋଇଛି।
ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ କେନ୍ଦ୍ର କରି ଏକ ରିକ୍ସା ଚାଳକଙ୍କ ସହ ଗିରିଜାଙ୍କ ରକ୍ତାକ୍ତ ସଂଘର୍ଷ ପରେ ଏହି ଘଟଣା ‘ସମ୍ବାଦ’ ନଜରକୁ ଆସିଥିଲା। କାରଣ ଏହି ଘଟଣା ପରେ ଗିରିଜା ଟାଉନ୍ ଥାନାରେ ଏତଲା ଦେଇଥିଲେ। ଲମ୍ବା ଦାଢ଼ି, ମୁଣ୍ଡରେ ବଡ଼ ବଡ଼ କେଶ ରଖିଥିବା ଗିରିଜା ଯେଉଁ ଅଭିଯୋଗ କରିଥିଲେ ତାହା ଉଚ୍ଚକୋଟୀର ଇଂରାଜୀ ଭାଷାରେ ଲେଖାଯାଇଥିଲା। ଜଣେ ସାଧାରଣ ଭିକାରିଙ୍କର ଏପରି ଇଂରାଜୀ ଜ୍ଞାନକୁ ନେଇ ‘ସମ୍ବାଦ’ ଟିମ୍ ଏହାର ରହସ୍ୟ ଖୋଜିବା ଆରମ୍ଭ କରିଥିଲା। ଜଣାପଡ଼ିଥିଲା ଗିରିଜା ଜଣେ ଉଚ୍ଚଶିକ୍ଷିତ ଇଂଜିନିୟର ବୋଲି । ପଚରାଉଚରା କରିବାରୁ ଗିରିଜା କିଛିଟା ରହସ୍ୟ ଖୋଲିଥିଲେ। କହିଥିଲେ, ସେ ଜଣେ ପୂର୍ବତନ ଡିଏସ୍ପିଙ୍କ ପୁଅ । ଭଲ ମାର୍କ ସହ ବିଜ୍ଞାନରେ ଗ୍ରାଜୁଏସନ୍ କରିବା ପରେ ସେ ଭୁବନେଶ୍ବର ସିପେଟ୍ରେ ଇଂଜିନିୟରିଂ କରିଥିଲେ। ଏପରକି ମୁମ୍ବାଇରେ ଏକ ଇଂଜିନିୟରିଂ ସଂସ୍ଥାରେ ଚାକିରି ବି କରିଥିଲେ। କିନ୍ତୁ ୧୫ ବର୍ଷ ତଳେ କୌଣସି କାରଣରୁ ପରିବାର ଓ ଚାକିରି ବାକିରି ଛାଡ଼ି ସେ ପୁରୀ ଚାଲି ଆସିଥିଲେ। ଏଠାକୁ ଆସି ପେଟପାଟଣା ପାଇଁ ଭିକ୍ଷାବୃତ୍ତି କରୁଥିଲେ। ଘର, ଚାକିରି ଛାଡ଼ିବାର କାରଣ ସମ୍ପର୍କରେ ବାରମ୍ବାର ପଚାରା ଯାଇଥିଲେ ବି ଏହା ତାଙ୍କ ବ୍ୟକ୍ତିଗତ କଥା କହି ଗିରିଜା ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଗତ ୧୮ ତାରିଖରେ ଏ ନେଇ ବିସ୍ତୃତ ଖବର ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଆଜି ଗିରିଜାଙ୍କ ଭାଇ ଓ ଭଉଣୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି ସମୟରେ ତାଙ୍କ ପାଖରେ ପହଞ୍ଚିଥିଲେ। ଆରମ୍ଭରୁ ବହୁ ବୁଝାସୁଝା କରିଥିଲେ। ଘରକୁ ଫେରିଯିବାକୁ ନିବେଦନ କରିଥିଲେ। କିନ୍ତୁ ଆରମ୍ଭରୁ ଗିରିଜା ଅନିଚ୍ଛା ପ୍ରକାଶ କରିଥିଲେ। ଏପରିକି ସେହି ସ୍ଥାନରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗିରିଜାଙ୍କୁ ବୁଝାସୁଝା କରାଯାଇ ଘରକୁ ପଠାଯାଇଛି। ଭାଇ-ଭଉଣୀ ଏକ ବାଇକରେ ଗିରିଜାଙ୍କୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ନେବା ପରେ ସେଠାରୁ ଏକ ଚାରିଚକିଆ ଗାଡ଼ିରେ ବସାଇ ଘରକୁ ନେଇଛନ୍ତି। ଭାଇ-ଭଉଣୀ ଏହି ସମୟରେ ନିଜର ପରିଚୟ କି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଥିଲେ। ତଥାପି ବେଶ ପରିପାଟୀରୁ ଭାଇ-ଭଉଣୀ ଉଚ୍ଚଶିକ୍ଷିତ ଓ ଚାକିରିଆ ହୋଇଥିବା ଅନୁମାନ କରାଯାଉଛି।